ନୟାଗଡ ବାରମାସୀଦଣ୍ଡା ନିକଟରେ ଏନକାଉଂଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁରେଶ ରାଉତ ଆହତ

30

କନକ ବ୍ୟୁରୋ: ରାତି ପ୍ରାୟ ୧୨ଟା ୪୫ରେ ନୟାଗଡ଼ କଲେଜ ନିକଟ ବାରମାସୀଦଣ୍ଡାଠାରେ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଲୁଟେରା ସୁରେଶ ରାଉତ ଗୁରୁତର ଆହତ ହୋଇଛି । ତା’ର ଡାହାଣ ଗୋଡ଼ ଆଣ୍ଠୁ ପାଖରେ ଗୁଳି ବାଜିଛି । ଆହତ ଅବସ୍ଥାରେ ତାକୁ ନୟାଗଡ଼ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାକୁ ଭୁବନେଶ୍ୱର ପଠାଇ ଦିଆଯାଇଛି । ସୁରେଶ ନାଁରେ ୩୦ରୁ ଅଧିକ ଲୁଟ୍ ଓ ରାହାଜାନି ମାମଲା ରହିଛି । ତା’ର ଘର ଦଶପଲାର ପୋଇବାଡ଼ି ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ସୁରେଶ ସନ୍ଦେହଜନକ ଅବସ୍ଥାରେ ନୟାଗଡ଼ କଲେଜ ନିକଟରେ ବୁଲୁଥିବା ବେଳେ ପୁଲିସ୍ ପାଟ୍ରୋଲିଂ ଟିମ୍ ହାବୁଡ଼ରେ ପଡ଼ିଥିଲା । ପୁଲିସ କର୍ମଚାରୀମାନେ ତାକୁ ଧରିବାକୁ ଚେଷ୍ଟା କରିବାରୁ ସେ ଗୋଟିଏ ରାଉଣ୍ଡ ଗୁଳି କରି ଖସି ଯିବାକୁ ବସିଥିଲା । ଗୁଳିଟି ପୁଲିସ୍ ଗାଡ଼ିରେ ବାଜିଥିଲା । ଏହାର ଜବାବରେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏଥିରେ ସୁରେଶ ଆହତ ହୋଇଥିଲା। ତା’ ନିକଟରୁ ଏକ ମାଉଜର ଜବତ ହୋଇଛି ।