ଦୁର୍ଦ୍ଦାନ୍ତ ଅପରାଧୀ ରଂଜିତ ଏନକାଉଣ୍ଟରକୁ ନେଇ ବଢୁଛି ସନ୍ଦେହ ! ଡାକ୍ତର-ପୋଲିସ ରିପୋର୍ଟରେ ନାହିଁ ତାଳମେଳ

124

କନକ ବ୍ୟୁରୋ : ଦୁର୍ଦାନ୍ତ ଅପରାଧୀ ରଂଜିତ ବାଘ ଏନକାଉଣ୍ଟର ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଘଟଣାର ୨୪ଘଣ୍ଟା ପରେ ଏ ସଂକ୍ରାନ୍ତ ତଥ୍ୟ ଦେଉନାହିଁ ପୁଲିସ। ରଂଜିତର ଡାହାଣ ଗୋଡ଼ରେ କେମିତି ଆଘାତ ଲାଗିଲା ତାହା ସ୍ପଷ୍ଟ ହୋଇପାରୁ ନାହିଁ। ପୁଲିସ ଗୁଳି ବିନିମୟ ହୋଇଥିବା ସ୍ବୀକାର କରିଥିଲା। ଏପରିକି ଡାହାଣ ଗୋଡ଼ର ଆଣ୍ଠୁରୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଗୁଳି ବାଜିଥିବା ନେଇ ଦାବି କରୁଥିଲା। କିନ୍ତୁ ହସ୍ତଗତ ହୋଇଥିବା ମେଡିକାଲ ରିପୋର୍ଟ ଭିନ୍ନ କଥା କହୁଛି। ରଂଜିତର ଡାହାଣ ଗୋଡ଼ରେ କ୍ଷତ ହୋଇଛି ଏବଂ ଆଞ୍ଚୁଡ଼ା ଭଳି ହୋଇଛି। ଏହି କ୍ଷତ କିଭଳି ହୋଇଛି ସେନେଇ ମେଡିକାଲ ରିପୋର୍ଟରେ କିଛି ଉଲ୍ଲେଖ ହୋଇନାହିଁ।

ଶନିବାର ସଂଧ୍ୟାରେ ଖସି ପଳାଇ ଯିବାକୁ ଉଦ୍ୟମ ସମୟରେ ରଂଜିତ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ପୁଲିସ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଂଜିତକୁ ଭର୍ତି କରିଥିଲା। ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କହିଥିଲା ଯେ, ଦୁର୍ଦାନ୍ତ ଅପରାଧୀ ରଂଜିତକୁ ଗିରଫ କରାଯାଇଛି। ଉଭୟ ପଟୁ ଗୁଳି ବିନମୟ ହୋଇଥିବା ବେଳେ ଏଥିରେ ରଂଜିତ ଆହତ ହୋଇଛି। ସେହିପରି ଅନ୍ୟ ଜଣେ ହାବିଲଦାର ମଧ୍ୟ ଆହତ ହୋଇଛନ୍ତି। କିନ୍ତୁ ରଂଜିତ କିଭଳି ଆହତ ହେଲା ଏବଂ ଯେଉଁ ଆଘାତ ଲାଗିଛି ତାହା କେତେ ଗଭୀର ସେନେଇ ଆଦୌ ମୁହଁ ଖୋଲିଲା ନାହିଁ ପୁଲିସ ହେଲେ ମେଡିକାଲରେ ଭର୍ତି ହେବାର ଅଳ୍ପ ସମୟ ମଧ୍ୟରେ ତାଙ୍କୁ ଛାଡ଼ି ଦିଆଯିବା ଏବଂ ପରେ ପରେ କୋର୍ଟ ଚାଲାଣ କରାଯାଇଥିବାରୁ ଆଘାତ ସେତେଟା ଗୁରୁତର ନଥିବା ଜଣାପଡ଼ିଥିଲା।

 

ଏଥିନେଇ ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପଚାରିବାରୁ ରଂଜିତକୁ ଗୁଳି ମାଡ଼ ହୋଇଛି ନା ସେ ତଳେ ପଡି ଆହତ ହେଲା ତାହା ମେଡିକାଲ ରିପୋର୍ଟ ଆସିଲା ପରେ ଜଣାପଡିବ। କୋରାପୁଟ ଏସପି କେଭି ସିଂ ବି ଅନୁରୂପ ବୟାନ ଦେବା ସହ ଆଘାତ ଗୁଳି ଯୋଗୁଁ ନା ଅନ୍ୟ କିଛି କାରଣରୁ ତାହା ମେଡିକାଲ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କହିଛନ୍ତି। ପୁଲିସ କହିବା ଅନୁଯାୟୀ ରଂଜିତ ମୁହଁରେ ମଙ୍କି କ୍ୟାପ ପିନ୍ଧି କୁମ୍ଭାର ସାହି ଛକରେ ଥିଲା। ଥାନା ଅଧିକାରୀ ବାଲେଶ୍ବର ଗିଧି ପାଟ୍ରୋଲିଂ ବେଳେ ରଂଜିତ ସଂପର୍କରେ ସୂଚନା ପାଇଥିଲେ। ପୁଲିସକୁ ଦେଖି ସେ ନମ୍ବର ବିହୀନ ବାଇକରେ ଖସି ଯିବାକୁ ଉଦ୍ୟମ କରୁଥିଲା। ପୁଲିସ ଅଟକାଇବାକୁ ଚେଷ୍ଟା କରିବାରୁ ସେ ୨ରାଉଣ୍ଡ ଗୁଳି ଫୁଟାଇଥିଲା।

ଗୋଟିଏ ଗୁଳି ପୁଲିସର ବୋଲେରର ଫୁଟରେଷ୍ଟରେ ବାଜିଥିବା ଥାନା ଅଧିକାରୀ କହିଛନ୍ତି। ପୁଲିସ ପକ୍ଷରୁ ପାଲଟା ୩ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ରଂଜିତ ବାଇକରୁ ଖସି ପଡିବା ପରେ ତାକୁ କାବୁ କରି ଡାକ୍ତରଖାନାକୁ ନେଇ ତୁରନ୍ତ କୋର୍ଟକୁ ଚାଲାଣ କରାଯାଇଥିଲା। ପ୍ରବଳ ରକ୍ତସ୍ରାବ ଯୋଗୁଁ ଗୁଳି ମାଡ଼ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରିଥିଲା।