ଗଂଜାମ ଆସ୍କାରେ ପୁଣି ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ପୁଲିସ ଗୁଳିରେ ଆହତ, ପିସ୍ତଲ ଓ ଗୁଳି ଜବତ

26

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ପୁଣି ଏକ ଏନକାଉଣ୍ଟର ହୋଇଛି । ଚାରିମାଇଲ ଛକଠାରେ ବଳିଆପଲ୍ଲୀ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳକୁ ପୋଲିସ ଏନକାଂଉଟର କରିଛି । କାଳୁର ଡାହାଣ ଗୋଡରେ ଗୁଳି ବାଜିଛି । ତା ନିକଟରୁ ୯ଏମଏମ ପିସ୍ତଲ, ୩ଟି ଅଫୁଟା ଗୁଳି, ଗୋଟିଏ ବାଇକ ଜବତ କରାଯାଇଛି । କାଳୁ ନାଁରେ ହତ୍ୟା, ରାହାଜାନୀ, ବୋମାମାଡ, ଡକାୟତି ଭଲି ସଙ୍ଗୀନ ମାମଲା ରହିଛି ।

ମିଳିଥିବା ସୂଚନା ଅନୁସାରେ କାଳୁ ବିଶ୍ୱାଳ ଏକ ବାଇକ ଯୋଗେ କୌଣସି ଅଘଟଣ ଘଟାଇବା ପାଇଁ ଆସୁଥିବା ବେଳେ ବଡଗଡ ଓ ଆସିକା ପୋଲିସ ପାଖରେ ଖବର ପହଂଚିଥିଲା । ପୋଲିସ କାଳୁ ବିଶ୍ୱାଳକୁ ଅଟକାଇବା ପାଇଁ ଚେଷ୍ଟା କରିବା ବେଳେ ସେ ଦ୍ରୁତଗତିରେ ବାଇକ ଯୋଗେ ଚାରିମାଇଲ ଅଂଚଳକୁ ଚାଲିଯାଇଥିଲା । ଉଭୟ ଥାନା ଅଧିକାରୀଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଜବାବରେ ପୋଲିସର ପାଲଟା ଗୁଳିଚାଳନାରେ କାଳୁର ଡାହାଣ ଗୋଡରେ ଗୁଳି ବାଜିଥିଲା । ସେ ତଳେ ପଡିଯାଇଥିଲା । ପରେ ପୋଲିସ ତାକୁ କାବୁ କରିଥିଲା । କାଳୁ ବିଶ୍ୱାଳ ନାଁରେ କବିସୂର୍ଯ୍ୟନଗର, ଆସିକ,ବରଗଡ, ସୋରଡା ଓ ବ୍ରହ୍ମପୁର ଥାନା ଅଂଚଳରେ ବିଭିନ୍ନ ମାମଲା ରହିଥିବା ପୋଲିସ କହିଛି ।