ଟିଟୋର ବାସଭବନ ଓ ଆଡ୍ଡା ଉପରେ କ୍ରାଇମବ୍ରାଂଚର ରେଡ୍ ! ସାମ୍ନାକୁ ଆସିଲା ଗ୍ୟାଙ୍ଗଷ୍ଟରର ମଠ, ଗୋପନରେ ଚାଲିଥିଲା ଟିଟୋର ଦରବାର ।

27

କନକ ବ୍ୟୁରୋ : ପାଞ୍ଚ ଦିନିଆ ରିମାଣ୍ଡରେ ଟିଟୋ ଥିବା ବେଳେ କେନ୍ଦ୍ରାପଡ଼ା ପୋଲିସ ସହାୟତାରେ ବଡ଼ ଧରଣର ରେଡ୍ କରିଛି କ୍ରାଇମବ୍ରାଂଚ । ଦିଲାରପୁର ସ୍ଥିତ ଟିଟୋର ବାସଭବନ, ଦପ୍ତର, ପେଟ୍ରୋଲ ଟାଙ୍କି ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଟିଟୋର ଆତଙ୍କବାଦ ଲିଙ୍କ ନେଇ ମଧ୍ୟ ତନାଘନା କରୁଛି କ୍ରାଇମବ୍ରାଂଚ । ଟିଟୋର ମଠରୁ ମିଳିଛି ଏକ ବହି, ଯାହାର ନାଁ ଜାମ୍ମୁ କାଶ୍ମୀର । ଯାହା ପୋଲିସର ସନ୍ଦେହକୁ ବଢାଇ ଦେଇଛି । ତେବେ ଚଢ଼ାଉ ବେଳେ ଗ୍ୟାଙ୍ଗଷ୍ଟରର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ‘ମଠ’ ସାମ୍ନାକୁ ଆସିଛି । ଏହା ଭିତରକୁ ମହିଳା ଓ ମଦୁଆଙ୍କ ପ୍ରବେଶ ଲାଗି କଟକଣା ରହିଛି । ୨୦୦ ସିସିଟିଭି ନଜରରେ ରହିଛି ଏହି ଅଞ୍ଚଳ । କୁହାଯାଉଛି, ଏହି ସ୍ଥାନରେ ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ବଡ଼ ବଡ଼ ଡିଲ୍ କରୁଥିଲା ଟିଟୋ । ଆଉ ଏହି ସ୍ଥାନରୁ ଗତ ଜୁନ ୩୦ ତାରିଖରେ ଗ୍ୟାଙ୍ଗଷ୍ଟର ଓ ତା’ର ସହଯୋଗୀଙ୍କୁ କାବୁ କରିଥିଲା ଏସଟିଏଫ୍ ।

ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ନେବା ପରେ ତା’ର କଳା ସାମ୍ରାଜ୍ୟର ଆରମ୍ଭ ହୋଇଯାଇଛି ଖୋଳତାଡ଼ । ଆଜି କେନ୍ଦ୍ରପଡ଼ା ଦିଲାରପୁର ସ୍ଥିତ ଟିଟୋର ବାସଭବନ, ଦପ୍ତର, ପେଟ୍ରୋଲ ଟାଙ୍କି ସମେତ ୬ଟି ସ୍ଥାନରେ ଚଢାଉ କରିଛି କେନ୍ଦ୍ରାପଡ଼ା ପୋଲିସ ସହ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । କେବଳ ସେତିକି ନୁହେଁ ଟିଟୋର ଭାଇ ଓ ଘନିଷ୍ଠ ସହଯୋଗୀମାନଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି । କ୍ରାଇମବ୍ରାଞ୍ଚ ଆଇଜି ହିମାଂଶୁ ଲାଲ ଓ କେନ୍ଦ୍ରାପଡ଼ା ଏସପି ନୀତିଶେଖରଙ୍କ ନେତୃତ୍ୱରେ ୧୦ ଜଣ ଅଧିକାରୀ ଓ ୫ ପ୍ଲାଟୁନ୍ ଫୋର୍ସ ପୂରା ଅଂଚଳରେ ଛାନଭିନ୍ ଚଳାଇଛି । ବିଭିନ୍ନ ବ୍ୟାଙ୍କର ପାସବୁକ୍ ଜବତ କରିଛି ପୋଲିସ । ତା’ ଭାଇ ଅଫିସରୁ ଭୁଜାଲି ଓ କଟୁରି ଜବତ କରାଯାଇଛି ।

ଗ୍ୟାଙ୍ଗଷ୍ଟରର ଅଭେଦ୍ୟ ଦୁର୍ଗ, ଗୋପନରେ ଚାଲିଥିଲା ଟିଟୋର ଦରବାର । ପୋଲିସ ରେଡ୍ ବେଳେ ସାମନାକୁ ଆସିଛି ଗ୍ୟାଙ୍ଗଷ୍ଟର ଟିଟୋର ମଠ । ବାସଭବନରୁ ୫୦ ଫୁଟ ଦୂରରେ ରହିଛି ଏହି ଘର । ଘର ଚାରିପଟେ ବିଶାଳ ପାଚେରୀ । ଗେଟର ତାଲା ଭାଙ୍ଗି ଆଜି ତା ଉପରେ ରେଡ୍ ମାରିଛି ପୋଲିସ । ମଠ ଭିତରକୁ ମହିଳା ଓ ମଦୁଆଙ୍କ ପ୍ରବେଶ ନିଷେଧ ବୋଲି ଲେଖାଯାଇଛି । ଏହି ଘରୁ କଠଉ ଓ ଚିଲମ ଜବତ କରିଛି ପୋଲିସ । ହେଲେ କୁହାଯାଉଛି, ଏହି ମଠରେ ଚାଲୁଥିଲା ସମସ୍ତ ପ୍ରକାରର ଡିଲ । ଏଇଠି ହେଉଥିଲା ଟେଣ୍ଡର ଫିକ୍ସିଂ, ହତ୍ୟା, ଡକାୟତି ଭଳି ସଂଗୀତ ଅପରାଧର ବ୍ଲୁ ପ୍ରିଂଟ । ଏପରିକି ଯେଉଁମାନେ ଟିଟୋକୁ ଭେଟିବାକୁ ଚାହୁଁଥିଲେ ସେମାନେ ଏହି ମଠକୁ ଯାଇ ସାକ୍ଷାତ କରୁଥିଲେ । ମଠ ଭିତରକୁ ପ୍ରବେଶ କଲାବେଳେ ମୁଖ୍ୟ ଫାଟକ ନିକଟରେ ଗ୍ୟାଙ୍ଗଷ୍ଟରର ଜଣେ ବିଶ୍ୱସ୍ତ ଲୋକ ରହୁଥିଲେ । ତନତନ କରି ଯାଂଚ କରିବା ପରେ ଭିତରକୁ ଛଡାଯାଉଥିଲା । ଏହି ମଠରୁ ଟିଟୋକୁ କାବୁ କରିଥିଲା ପୋଲିସ ।

ଗତ ଜୁନ ୩୦ ତାରିଖରେ ଟିଟୋକୁ ଏହି ମଠରୁ ଉଠାଇ ନେଇଥିଲା କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ । ତେବେ ୭ ମିନିଟର ଏହି ଅପରେସନ୍ ପାଇଁ ବଡ଼ ଯୋଜନା କରିଥିଲା ପୋଲିସ । ସିସିଟିଭି ନଜରରୁ ଦୂରେଇ ରହିବା ପାଇଁ ୨୦୦ ମିଟର ଦୂରରେ ରହିଥିଲା ଫୋର୍ସ । ମାତ୍ର ୪ ଜଣ ବଛା ବଛା ଯବାନ ଦୁଇଟି ବାଇକରେ ପହଁଚିଥିଲେ ଟିଟୋର ଏହି ମଠ ନିକଟରେ । ପାଚେରି ନିକଟରେ ପହରା ଦେଉଥିବା ସହଯୋଗୀ ତନୋକୁ କାବୁ କରିବା ପରେ ମଠ ଭିତରକୁ ପ୍ରବେଶ କରିଥିଲେ ଏସଟିଏଫର ଦୁଇ ଯବାନ । ସିଧା ଟିଟୋର ମୁଣ୍ଡ ଉପରେ ପିସ୍ତଲ ରଖି ଆତ୍ମସମର୍ପଣ ପାଇଁ ବାଧ୍ୟ କରିଥିଲେ । ଖସି ଯିବାର ସବୁ ବାଟ ମଧ୍ୟ ବନ୍ଦ ହୋଇ ଯାଇଥିଲା ।

କେବଳ ଏହି ମଠ ନୁହେଁ ବାସଭବନ ମଧ୍ୟ ସୁରକ୍ଷା ବଳୟ ମଧ୍ୟରେ ଥିଲା । ଆଲିଶାନ ବଙ୍ଗଳା ଭଳି ଦେଖାଯାଉଥିବା ଟିଟୋର ଘର କୌଣସି ରାଜମହଲଠାରୁ କମ ନୁହେଁ । ଆସବାବପତ୍ର ଯେପରି ମହଙ୍ଗା, ସେହିପରି ରହିଛି ଅୟସଆରମ ପାଇଁ ସାମଗ୍ରୀ । ଭିତରକୁ ଯିବା ପାଇଁ ରହିଛି ଗୋଟିଏ ରାସ୍ତା । ୨୦୦ ସିସିଟିଭିର ନଜରରେ ରହିଛି ପୂରା ଅଂଚଳ । ସେପଟେ ଟିଟୋର ଆତଙ୍କବାଦ ଲିଙ୍କ ସଂଦେହରେ ତନାଘନା କରୁଛି କ୍ରାଇମବ୍ରାଂଚ । ଟିଟୋର ମଠରୁ ମିଳିଛି ଏକ ବହି, ଯାହାର ନାଁ ଜାମ୍ମୁ କାଶ୍ମୀର । ଆତଙ୍କବାଦୀ ଅବଦୁର ରହେମାନର ଭାଇ ତାହିର ଅଲ୍ଲୀକୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ଅଛି ଟିଟୋ । ତା’ ନିକଟରୁ ଏପରି ବହି ମିଳିବା ବଡ଼ ସଂଦେହ ସୃଷ୍ଟି କରିଛି ।