ସୁଲେମାନ୍ ମୃତ, ଜେଲରେ ହାଇଦର, ଏବେ ପୋଲିସ କବଜାରେ ଟିଟୋ ! ପଢନ୍ତୁ କେନ୍ଦ୍ରାପଡାର ତିନି ଗ୍ୟାଙ୍ଗଷ୍ଟରଙ୍କ କଳାସାମ୍ରାଜ୍ୟର କାହାଣୀ ।

58

କନକ ବ୍ୟୁରୋ : କେନ୍ଦ୍ରାପଡ଼ାର ତିନି ଗ୍ୟାଙ୍ଗଷ୍ଟର । ଟିଟୋ-ହାଇଦର-ସୁଲେମାନ । ଗୋଟିଏ ଅଂଚଳରୁ ଏହି ତିନି ଗ୍ୟାଙ୍ଗଷ୍ଟର ସାରା ଓଡ଼ିଶାରେ ଖେଳାଉଥିଲେ ଆତଙ୍କ । କେନ୍ଦ୍ରାପଡ଼ାରୁ ସାରା ରାଜ୍ୟକୁ ଲମ୍ବିଥିଲା ସେମାନଙ୍କ ନେଟୱର୍କ  । ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ହତ୍ୟା, ଦାଦାବଟି ପର୍ଯ୍ୟନ୍ତ ସବୁଥିରେ ମାହିର ଥିଲେ ଏହି ତିନି ଖଳନାୟକ । ୨୦୦୯ରେ ସୁଲେମାନର ମୃତ୍ୟୁ ଓ ହାଇଦର ଜେଲ ଯିବା ପରେ ପୂରା କ୍ରାଇମ ୱାର୍ଲ୍ଡକୁ କବଜା କରିଥିଲା ଟିଟୋ । ୬ ବର୍ଷ କାଳ ଅଣ୍ଡର ଗ୍ରାଉଣ୍ଡ ରହି ଅପରାଧ ଜଗତର ବାଦଶାହା ପାଲଟିଥିବା ଟିଟୋ ଏବେ ଏସଟିଏଫ କବଜାରେ ।

ଟିଟୋ, ହାଇଦର, ସୁଲେମାନ, କେନ୍ଦ୍ରାପଡ଼ାର ଏହି ତିନି ଗ୍ୟାଙ୍ଗଷ୍ଟର, ଅପରାଧ ଦୁନିଆରେ ଏପରି ଭୟାନକ କାହାଣୀ ଲେଖିଛନ୍ତି ଯାହା ଲୋକଙ୍କ ମନରେ ଏବେ ବି ଭୟ ସୃଷ୍ଟି କରେ । ଏହି ତିନି ଖଳନାୟକ କେନ୍ଦ୍ରାପଡ଼ାରୁ ଅପରାଧ ଦୁନିଆରେ ପାଦ ଦେଇ ସାରା ରାଜ୍ୟରେ ଗଢିଥିଲେ ନେଟୱର୍କ । କେତେବେଳେ ଏକାଠି ହୋଇଯାଆନ୍ତି, କେତେବେଳେ ଗ୍ୟାଙ୍ଗୱାର କରି ଆତଙ୍କ ସୃଷ୍ଟି କରିଥାନ୍ତି, ଯାହା ଜାଣିବା ମୁସ୍କିଲ । ସୁଲେମାନକୁ ହତ୍ୟା କରାଯାଇଛି, ହାଇଦର ଜେଲରେ ସଜା କାଟୁଛି, ଆଉ ଟିଟୋକୁ ଏବେ ଗିରଫ କରିଛି ଏସଟିଏଫ୍ ।

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର :

ନବେ ଦଶକରେ କେନ୍ଦ୍ରାପଡ଼ାରେ ଆତଙ୍କ ଖେଳାଇଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ରିକ୍ସା ଟାଣି ପେଟ ପୋଷୁଥିବା ହାଇଦର, ଛୋଟମୋଟ ଚୋରି କରି ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ଏକୁଟିଆ କ୍ରାଇମ୍ ଘଟାଇବା ପରେ ସୁଲେମାନ ସହ ମିଶି ଗ୍ୟାଙ୍ଗ ତିଆରି କରିଥିଲା  । ଟେଣ୍ଡର ଫିକ୍ସିଂ, ହତ୍ୟା, ରାହାଜାନୀ, ଅପହରଣ କରି ଖେଳାଇ ଦେଇଥିଲେ ଆତଙ୍କ । ତେବେ ପର ସମୟରେ ସୁଲେମାନ ସହ ବିବାଦ ହୋଇଥିଲା  । ସୁଲେମାନର ସହଯୋଗୀମାନେ ତାକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଭାବେ ଆହତ ହୋଇଥିଲା ହାଇଦର । ହସ୍ପିଟାଲରୁ ଫେରିବା ପରେ ପୁଣି ଆରମ୍ଭ କରି ଦେଇଥିଲା ଅପରାଧ  । ଭୁବନେଶ୍ୱରରେ ସୁଲେମାନର ଭାଇ ଚୁନ୍ନାକୁ ଗୁଳିମାଡ ଏବଂ ଖଣି ବ୍ୟବସାୟୀ ରଶ୍ମିରଂଜନ ମହାପାତ୍ରକୁ ଅପହରଣ ଓ ହତ୍ୟା ମାମଲାରେ ନାଗପୁରରୁ ଗିରଫ ହୋଇ ଜେଲ ଯାଇଥିଲା ହାଇଦର ।

ଗ୍ୟାଙ୍ଗଷ୍ଟର ସୁଲେମାନ :

ଅପରାଧ ଦୁନିଆକୁ ଆସିବା ପୂର୍ବରୁ ଅଡିଓ-ଭିଡିଓ କ୍ୟାସେଟ ବ୍ୟବସାୟ କରୁଥିଲା ସୁଲେମାନ । କେନ୍ଦ୍ରାପଡ଼ାର ତିନି ଗ୍ୟାଙ୍ଗଷ୍ଟରଙ୍କ ଭିତରେ ସୁଲେମାନ ହିଁ ଥିଲା ଅଧିକ ପଢୁଆ । ବିଏ ପାସ କରିଥିଲା, କିନ୍ତୁ ରାତାରାତି ଧନୀ ହେବାର ନିଶା ତାକୁ ଟାଣି ଆଣିଥିଲା ଅପରାଧ ଦୁନିଆକୁ  । ଟିଟୋ ସହ ମିଶି ଗ୍ୟାଙ୍ଗ ଗଢି ଆରମ୍ଭ କରି ଦେଇଥିଲା ବଡ଼ ବଡ଼ କ୍ରାଇମ୍ । କୁହାଯାଏ, ନିଜେ କୌଣସି ଅପରାଧରେ ପ୍ରତ୍ୟକ୍ଷ ସଂପୃକ୍ତ ନହୋଇ ତିଆରି କରୁଥିଲା ମାଷ୍ଟର ପ୍ଲାନ । ତେବେ ଟିଟୋ ସହ ନପଡିବାରୁ ହାଇଦର ସହ ମିଶିଥିଲା । ତା ସହ ମଧ୍ୟ ବେଶୀ ଦିନ ରହି ପାରିନଥିଲା । ଦୁଇ ଗ୍ୟାଙ୍ଗଷ୍ଟରଙ୍କ ହିଟ୍ ଲିଷ୍ଟରେ ରହିଥିଲା ସୁଲେମାନ । ୨୦୦୯ରେ ଗ୍ୟାଙ୍ଗଷ୍ଟର ସୁଲେମାନକୁ ତାରି ଗାଡି ଭିତରେ ହତ୍ୟା କରିଥିଲେ ତା’ର ନିକଟ ସହଯୋଗୀ  । ଅଭିଯୋଗ ହୁଏ ହାଇଦର ଓ ଟିଟୋ ହିଁ ସୁଲେମାନର ନିଜ ଲୋକକୁ ହାତ କରି ତାକୁ ରାସ୍ତାରୁ ହଟାଇ ଦେଇଛନ୍ତି ।

ଡନ୍ ବନିଯାଏ ଟିଟୋ : 

ଅପରାଧ ଜଗତରେ କେନ୍ଦ୍ରାପଡାର ଏହି ଗ୍ୟାଙ୍ଗଷ୍ଟରର କାହାଣୀ ବେଶ୍ ଲମ୍ବା । ୧୯୮୯ ମସିହାରୁ ଆରମ୍ଭ ହୁଏ ଟିଟୋର କ୍ରାଇମ୍ କ୍ୟାରିଅର୍ । ଫୁଟବଲ୍ ପଡିଆରେ ମାରପିଟ୍ ଓ ଧମକଚମକ ଏବଂ କୁଖ୍ୟାତ ଅପରାଧୀ ରବୀନ ବେହେରାକୁ ହତ୍ୟା କରି ଆସେ ଲାଇମଲାଇଟକୁ ।

ଆଳୁ ବେପାରୀରୁ ପାଲଟିଯାଏ ଗ୍ୟାଙ୍ଗଷ୍ଟର । ଅତି ଧ୍ରୁତ ଓ ଚାଲାଖ ହୋଇଥିବାରୁ  ନିଜ ଢଙ୍ଗରେ ଚଳାଏ ଅପରେସନ୍ । ଏପ୍ରିଲ୍ ୨୦୦୬ରେ ଜଣେ କଂଟ୍ରାକ୍ଟରଙ୍କ ହତ୍ୟା ଘଟଣାରେ ଟିଟୋ ଗିରଫ ହୁଏ କୋଲକାତାରୁ । ତେବେ ଜେଲ୍ ବାହାରିବା ପରେ ପୁଣି ସକ୍ରିୟ ହୋଇଉଠେ ଟିଟୋ । ସୁଲେମାନର ହତ୍ୟା ଓ ହାଇଦରକୁ ଜେଲ ହେବା ପରେ କେନ୍ଦ୍ରାପଡାରେ ସୃଷ୍ଟି ହୁଏ ଅପରାଧର ନୂଆ ସମୀକରଣ । ୨୦୧୦ ମସିହାରେ ପୁଲିସ୍ ହାତରେ ଲାଗେ ଡନ୍ । ହେଲେ କିଛି ଦିନ ଜେଲରେ ରହି ପୁଣି ବାହାରିଆସେ ବେଲରେ । କାରଣ ଡନର ଡର ଯୋଗୁଁ ପାଟି ଖୋଲନ୍ତି ନାହିଁ ସାକ୍ଷୀ । ତେବେ ଏହି ଅପରାଧୀକୁ  ଜେଲ ଭିତରକୁ ପୂରାଇବା ଲାଗି ୬ ବର୍ଷର ଲୁଚକାଳି ଖେଳ ପରେ ଗିରଫ କରିଛି ପୋଲିସ ।