ରାଜ୍ୟରେ ବଢୁଛି ହତ୍ୟା, ଦୁଷ୍କର୍ମ: ଗତ ପାଞ୍ଚ ମାସରେ ପଶୁ ପାଲଟିଛି ମଣିଷ ? ମନ୍ତ୍ରୀ ଦେଲେ ଛାତି ଥରାଇ ଦେଲା ଭଳି ରିପୋର୍ଟ…

262

କନକ ବ୍ୟୁରୋ: ଅପରାଧ କବଳରେ ରହିଛି ଓଡିଶା । ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ରାହାଜାନି, ଚୋରି, ଡକାୟତି ଭଳି ଅପରାଧର ମାତ୍ରା ବଢି ଚାଲିଥିବା ବେଳେ ସାମ୍ନାକୁ ଆସିଛି ଦଶ ବର୍ଷର ସତ । ଗୋଟିଏ ଦଶନ୍ଧିରେ ଓଡିଶାରେ କେତେ ଅପରାଧ ହୋଇଛି ତାର ଏକ ରିପୋର୍ଟ ଦେଇଛନ୍ତି ସରକାର । ବିଧାନସଭାରେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅପରାଧ ନେଇ ରିପୋର୍ଟ ଦେଇଛନ୍ତି ।

ତେବେ ୧୦ ବର୍ଷରେ ରାଜ୍ୟରେ କେତେ ଅପରାଧ ହୋଇଛି । କେଉଁ ବର୍ଷ କେତେ ଅପରାଧ ହୋଇଛି । ତାର ଏକ ତାଲିକା ମାଗିଥିଲେ ବିଧାୟକ ନରସିଂହ ମିଶ୍ର । ଆଉ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ତେବେ ମନ୍ତ୍ରୀଙ୍କ ରିପୋର୍ଟ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ରାଜ୍ୟରେ ଦଶ ବର୍ଷର ଅପରାଧିକ ରିପୋର୍ଟ ସମସ୍ତଙ୍କ ଆଖିରୁ ନିଦ ଉଡାଇ ଦେଇଛି ।

ମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ଓଡିଶାରେ ହତ୍ୟା, ଦୁଷ୍କର୍ମ, ଡକାୟତି, ରାହାଜାନି, ଚୋରି ଆଉ ଦଙ୍ଗା ଭଳି ଅପରାଧ ଧିରେ ଧିରେ ବଢୁଛି । ଦଶ ବର୍ଷରେ ରାଜ୍ୟରେ ଏହି ଅପରାଧ ସଂଖ୍ୟା କ୍ରମାଗତ ବଢୁଥିବା ବେଳେ ହତ୍ୟା ଓ ଦୁଷ୍କର୍ମ ସଂଖ୍ୟା ଅଧିକ ହୋଇଛି । ସବୁଠାରୁ ବଡ କଥା ହେଉଛି ଚଳିତ ବର୍ଷ ଅର୍ଥାତ ୨୦୧୯ରେ ଆସିଛି ଛାତି ଥରେଇ ଦେଲାଭଳି ରିପୋର୍ଟ । ଚଳିତ ବର୍ଷ ଜାନୁୟାରୀରୁ ମେ ମାସ ମଧ୍ୟରେ ଅନେକ ଅପରାଧ ଘଟିଛି ।

ଗତ ୫ ମାସରେ ଚୋରି ଓ ସିନ୍ଧି ଚୋରିର ମାତ୍ରା ଅଧିକ ରହିଛି । ପାଞ୍ଚ ମାସରେ ୩୬୦୯ଟି ଚୋରି ଏବଂ ୧୩୯୫ଟି ସିନ୍ଧି ଚୋରି ହୋଇଛି । ସେହିପରି ଗତ ୫ ମାସରେ ୫୬୩ଟି ହତ୍ୟା ଏବଂ ୯୨୭ଟି ଦୁଷ୍କର୍ମ ହୋଇଛି । ସବୁଠାରୁ ବଡ କଥା ହେଉଛି ରାଜ୍ୟରେ ହତ୍ୟା ଠାରୁ ଦୁଷ୍କର୍ମର ମାତ୍ରା ଅଧିକ ରହିଛି । ଗତ ପାଞ୍ଚ ମାସରେ ହତ୍ୟା ଠାରୁ ଦୁଷ୍କର୍ମର ମାତ୍ରା ଟପିଥିବା ବେଳେ ପୂରା ୧୦ ବର୍ଷରେ ମଧ୍ୟ ଦୁଷ୍କର୍ମ ସଂଖ୍ୟା ଉପରେ ରହିଛି । ବିଗତ ୧୦ ବର୍ଷରେ ୧୩ ହଜାର ୨୪୬ଟି ହତ୍ୟାକାଣ୍ଡ ହୋଇଥିବା ବେଳେ ଦୁଷ୍କର୍ମ ହୋଇଛି ୧୭ ହଜାର ୫୨୮ଟି । ୨୦୧୮ ମସିହାରେ ୨୫୦୨ଟି ଏବଂ ୨୦୧୫ରେ ୨୨୮୬ଟି ଦୁଷ୍କର୍ମ ହୋଇଛି । ସେମିତି ୨୦୧୨ରେ ୧୫୪୮ଟି, ୨୦୧୧ରେ ୧୪୭୭ଟି ହତ୍ୟାକାଣ୍ଡ ପରେ ୧୦ ବର୍ଷ ଭିତରେ ଆଉ ହତ୍ୟାକାଣ୍ଡ ସଂଖ୍ୟା ବଢିନି ।

ମନ୍ତ୍ରୀଙ୍କ ୧୦ ବର୍ଷିଆ ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ବାରି ହୋଇ ପଡୁଛି କି ରାଜ୍ୟରେ ହତ୍ୟା ତୁଳନାରେ ଦୁଷ୍କର୍ମ ସଂଖ୍ୟା ବଢୁଛି । ଯାହା ଏକ ଖରାପ ବାର୍ତ୍ତା ଦେଉଛି । ଯଦି ଏଇ ମାତ୍ରାରେ ଓଡିଶାରେ ଦୁଷ୍କର୍ମ ସଂଖ୍ୟା ବଢେ ତେବେ ଆଗାମୀ ଦିନରେ ଓଡିଶା ସାରା ଦେଶରେ ଲଜ୍ଜିତ ହେବ ।