ଟିଟୋ ହାତରେ ହାତକଡ଼ି : ୬ ବର୍ଷ ପରେ ପୁଲିସ କବଜାକୁ ଆସିଲା ଗ୍ୟାଙ୍ଗଷ୍ଟର

54

କନକ ବ୍ୟୁରୋ : ଯେଉଁ ଡନ୍ ପଛରେ ସାରା ରାଜ୍ୟର ପୋଲିସ ପଡିଥିଲା ଏବଂ ୬ ବର୍ଷ ଧରି ଯିଏ ଅଣ୍ଡର ୱାର୍ଲ୍ଡରେ ହଇଚଇ କରିଥିଲା, ଆଜି ପୋଲିସ ପଂଝାକୁ ଆସିଛି ଗାଙ୍ଗଷ୍ଟର ଉସମାନ୍ ଅଲୀ ଓରଫ ଟିଟୋ । ଯାଜପୁର ଚଣ୍ଡିଖୋଲ ନିକଟରେ ସ୍ପେଶାଲ ଟାସ୍କ ଫୋର୍ସର ଏନକାଉଂଟରରେ ଆହତ ହୋଇଛି ମୋଷ୍ଟ ୱାଟେଂଡ୍ ‘ଟିଟୋ’ । ବଡ଼ଚଣା ଡାକ୍ତରଖାନାରେ ଚିକିତ୍ସା ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟିଟୋ ନାଁରେ ହତ୍ୟା, ଅପହରଣ, ଦାଦାବଟି ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ଭଳି ଅନେକ ମାମଲା ରହିଛି ।

ସ୍ପେଶାଲ ଟାକ୍ସ ଫୋର୍ସର ଗୁଳିରେ ଘାଇଲା ଶେଖ୍ ଉସମାନ ଅଲ୍ଲୀ ଓରଫ୍ ଟିଟୋ । ଏନକାଉଂଟର ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ଏହି ଅଣ୍ଡରୱାର୍ଡ୍ଡ ଡନ୍ । ପୋଲିସ ରେକର୍ଡରେ ଥିଲା ଫେରାର , ହେଲେ ତା’ର ଇସାରାରେ ହେଉଥିଲା ବଡ଼ ବଡ଼ କ୍ରାଇମ୍ । ଟିଟୋ ପଛରେ ପଡିଥିଲା ସାରା ରାଜ୍ୟର ପୋଲିସ । କେନ୍ଦ୍ରାପଡ଼ାରୁ କୋଲକାତା ଯାଏଁ ଲମ୍ବିଥିଲା ଟିଟୋର ନେଟୱର୍କ । ତାର ନାଲିଆଖିରେ ପାଟି ଫିଟେନି କାହାର । ପୋଲିସ ରେକର୍ଡରେ ଫେରାର ଥିଲା, ତେବେ ଅଣ୍ଡର ୱାର୍ଲ୍ଡରେ ରହି ଚଳାଇଥିଲା ନେଟୱର୍କ ।

ଆସନ୍ତୁ ଜାଣିବା ଟିଟୋର କ୍ରାଇମ୍ କ୍ୟାରିଅର୍ ଉପରେ . . .

୧୯୮୯ ମସିହାରୁ ଅପରାଧ ଜଗତରେ ପାଦ ଦିଏ ଟିଟୋ । କେନ୍ଦ୍ରାପଡ଼ାର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଓ ସୁଲେମାନ୍ ଗ୍ୟାଙ୍ଗ ସହ ସଂପର୍କ ବଢ଼ାଏ ଏହି ଅପରାଧୀ । ଦୁଇ ଗ୍ୟାଙ୍ଗଷ୍ଟରଙ୍କ ସହ ମିଶି ବଡ଼ ବଡ଼ ଅପରାଧ କରେ ଟିଟୋ । ସ୍ଥିତି ସୁଦୃଢ ହେବା ପରେ ହାଇଦର ଓ ସୁଲେମାନ୍ ଗ୍ୟାଙ୍ଗ୍ ଠାରୁ ଅଲଗା ହୋଇ ଟିଟୋ ଗଢେ ନିଜର ସାମ୍ରାଜ୍ୟ । ୨୦୦୬ରେ ଜଣେ କଂଟ୍ରାକ୍ଟରଂକ ହତ୍ୟା ଘଟଣାରେ ଟିଟୋ ଗିରଫ ହୁଏ କୋଲକାତାରୁ । ବେଶ୍ କିଛି ଦିନ ପର୍ଯ୍ୟନ୍ତ ଜେଲରେ ରହେ ଡନ୍ । ତେବେ ଜେଲ୍ ଚାରିକାଂଥରୁ ବି ଚାଲେ ତା’ର ନେଟୱର୍କ ।

୨୦୦୯ରେ ହୁଏ ଗ୍ୟାଙ୍ଗଷ୍ଟର ସୁଲେମାନର ହତ୍ୟାକାଣ୍ଡ ପଛରେ ବି ଟିଟୋ ଗ୍ୟାଂଗର ହାତ ଥିବା ଅଭିଯୋଗ ହୁଏ । ଏହାପରେ ଟିଟୋ ପାଇଁ କେନ୍ଦ୍ରାପଡାରେ ସୃଷ୍ଟି ହୁଏ ଅପରାଧର ନୂଆ ସମୀକରଣ । ୨୦୧୦ ମସିହାରେ ପୁଲିସ୍ ହାତରେ ଲାଗେ ଡନ୍ ଟିଟୋ । ହେଲେ କିଛି ଦିନ ଜେଲରେ ରହି ପୁଣି ବାହାରିଆସେ ବେଲରେ । କାରଣ ଡନର ଡର ଯୋଗୁଁ ପାଟି ଖୋଲନ୍ତି ନାହିଁ ସାକ୍ଷୀ । ତେବେ ଅପରାଧୀକୁ ଜେଲ ଭିତରକୁ ପୂରାଇବା ଲାଗି ୨୦୧୨ରୁ ଟିଟୋ ନାଁରେ ପୋଲିସ ବାହାର କରିଥିଲା ଏନଏସଏ ୱାରେଂଟ୍, ହେଲେ ଗିରଫ କରିବାକୁ ସକ୍ଷମ ହୋଇନଥିଲା ପୋଲିସ ।

ସେପଟେ ଟ୍ୱିନ୍ ସିଟିର ତିନି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ, ଅନୀଲ ଛୋଟରାୟ ଓ ଡି ବ୍ରଦର୍ସ ଜେଲକୁ ଯିବା ପରେ କେନ୍ଦ୍ରାପଡ଼ାରୁ କଟକ ଯାଏ ଲମ୍ବିଥିଲା ଟିଟୋର ନେଟୱର୍କ । ବାଲି ଚୋରାଚାଲଣଠାରୁ ଟେଣ୍ଡର ଫିକ୍ସିଂ ପର୍ଯ୍ୟନ୍ତ ସବୁକିଛି ହୁଏ ଟିଟୋର ଇସାରାରେ । ଗତ ମାର୍ଚ୍ଚ ମାସରେ କଟକ ଜଗତପୁରରେ ଗୁଳିକାଣ୍ଡ ଘଟଣାରେ ୮ଜଣଙ୍କୁ ଗିରଫ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଅଭିଯୁକ୍ତମାନେ ହେଉଛନ୍ତି ଟିଟୋର ସହଯୋଗୀ । ଆଉ ଟେଣ୍ଡର ଫିକ୍ସିଂକୁ ନେଇ ହୋଇଥିଲା ଗୁଳିମାଡ଼ । ଟିଟୋକୁ କାଠଗଡ଼ାକୁ ଆଣିବାକୁ ଜାଲ ବିଛାଇଥିଲା ପୋଲିସ ।