ଅଣାୟତ ହେଉଛି ରାଜ୍ୟର ଆଇନଶୃଙ୍ଖଳା : ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଓଡିଶା, ବଢୁଛି ଦୁଷ୍କର୍ମ, ଅସଦାଚରଣ , ଚୋରି ଏବଂ ଡକାୟତି

139

କନକ ବ୍ୟୁରୋ : ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଓଡିଶା । ଅଣାୟତ ହେଉଛି ରାଜ୍ୟର ଆଇନଶୃଙ୍ଖଳା । ବଢୁଛି ଦୁଷ୍କର୍ମ, ଅସଦାଚରଣ , ଚୋରି ଏବଂ ଡକାୟତି । ଖାଲି ଏତିକି ନୁହେଁ, ରାହାଯାନୀ, ଯୌତୁକ ଜନିତ ହତ୍ୟା, ନିର୍ଯାତନା ଭଳି ଘଟଣା ଉଦବେଗ ଜନକ ସ୍ଥିତିରେ ରହିଛି । ଏହି ପ୍ରସଙ୍ଗରେ ଶାସକ ଦଳ ବିଧାୟକ ଉମା ସାମନ୍ତରାୟଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ର ।

ଦୁଷ୍କର୍ମ
୨୦୧୯ ମସିହାରେ ସମଗ୍ର ରାଜ୍ୟରେ ୨୯୫୦ଟି ଦୁଷ୍କର୍ମ ମାମଲା ଦାୟର ହୋଇଛି । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୦୩ଟି । ଦ୍ୱିତୀୟରେ ଯାଜପୁରରେ ଦାୟର ହୋଇଛି ୧୬୬ଟି ମାମଲା । ୨୦୧୮ରେ ଏହି ସଂଖ୍ୟା ଥିଲା ୨୫୦୨ । ଦୁଷ୍କର୍ମ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୧୭.୯ ପ୍ରତିଶତ ବଢିଛି ।
ଅସଦାଚରଣ
୨୦୧୯ରେ ୬୮୮୪ଟି ଅସଦାଚରଣ ମାମଲା ଦାୟର ହୋଇଛି । ୨୦୧୮ରେ ଏହା ଥିଲା ୫୮୭୬ । ଗତବର୍ଷ ତୁଳନାରେ ଏହା ୧୬.୫ ପ୍ରତିଶତ ବଢିଛି ।
ଚୋରି
୨୦୧୯ରେ ୧୦୭୭୬ଟି ମାମଲା ପଞ୍ଜିକୃତ ହୋଇଥିଲା । ୨୦୧୮ରେ ଏହି ସଂଖ୍ୟା ଥିଲା ୯୦୬୯ । ଅର୍ଥାତ ବଢିଛି ୧୮.୭ ପ୍ରତିଶତ ।
ମହିଳା ଚାଲାଣ
୨୦୧୯ରେ ୧୧୭ଜଣ ମହିଳା ରାଜ୍ୟ ବାହାରକୁ ଚାଲାଣ ହୋଇଥିବା ମାମଲା ପଞ୍ଜିକୃତ ହୋଇଛି । ପୂର୍ବବର୍ଷ ତୁଳନାରେ ଏହା ୧୨୯ ପ୍ରତିଶତ ଅଧିକ ।

କାହିଁକି ରାଜ୍ୟରେ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ ଏନେଇ ବିରୋଧି ପ୍ରଶ୍ନ ଉଠାଇଥିବା ବେଳେ ପୋଲିସ ବିଭାଗର ନଗ୍ନଚିତ୍ର ବି ସାମନାକୁ ଆସିଛି । ପୋଲିସ ବିଭାଗରେ ପାଖାପାଖି ୧୦ହଜାର ୫୪ଟି ପୋଲିସ ପଦବୀ ଖାଲି ପଡିଛି । ୭୮ଟି ଆଇପିଏସ ପଦବୀ ଖାଲି ପଡିଛି । ଆଉ କେବଳ କମିଶନରେଟ ପୋଲିସରେ ଖାଲି ପଡିଛି ୫୪୩ ପଦବୀ । ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଦେଇଛନ୍ତି ।