ଜାତୀୟ ରାଜପଥରେ ହେଉଥିବା ଅପରାଧ ଉପରେ ଲାଗିବ ଲଗାମ୍ ! ଗଠନ ହେବ ସ୍ୱତନ୍ତ୍ର ଫୋର୍ସ

37

କନକ ବ୍ୟୁରୋ : ଦିନକୁ ଦିନ ଜାତୀୟ ରାଜପଥରେ ଅପରାଧ ବଢ଼ି ଚାଲିଛି । କେଉଁଠି ଡକାୟତି ତ କେଉଁଠି ଛିନ୍‌ତାଇ । ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଲୁଟେରାମାନେ ଚମ୍ପଟ ମାରୁଛନ୍ତି । କେଉଁ ଥାନା ଅଞ୍ଚଳରେ ଏହି ଅପରାଧ ଘଟିଲା ତାହା ଅଭିଯୋଗକାରୀ ଜାଣିବା ମଧ୍ୟ କଷ୍ଟକର ହେଉଛି । ଏହି କାରଣରୁ ଅନେକେ ଅଭିଯୋଗ ମଧ୍ୟ କରୁନାହାନ୍ତି। ଫଳରେ ଏହାର ସୁଯୋଗ ନେଉଛନ୍ତି ଅପରାଧୀ । ବିଶେଷ କରି କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଧା, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, ପୁରୀରେ ଏଭଳି ସମସ୍ୟା ବଢ଼ି ବଢ଼ି ଚାଲିଛି । ତେଣୁ ଜାତୀୟ ରାଜପଥରେ ଏଭଳି ଅପରାଧ ରୋକିବାକୁ ଏକ ସ୍ୱତନ୍ତ୍ର ପୋଲିସ ଫୋର୍ସ ଗଠନ ହେବ । ଏପିରକି ଜାତୀୟ ରାଜପଥର କେତେକ ପ୍ରମୁଖ ସ୍ଥାନରେ ଆଉଟପୋଷ୍ଟ ମଧ୍ୟ ନିର୍ମାଣ କରାଯିବ । ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଚିଠି କରାଯାଇଛି କେଉଁଠି କେଉଁଠି ଜାତୀୟ ରାଜପଥରେ ଅଧିକ ଅପରାଧ ହେଉଛି ଏହାର ଏକ ତାଲିକା ପ୍ରଦାନ କରିବାକୁ । ଏହି ତାଲିକା ମିଳିବା ପରେ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ । ଏହି ଫୋର୍ସ ଜାତୀୟ ରାଜପଥରେ ଦିନ ରାତି ପାଟ୍ରୋଲିଂ କରିବ । ଏ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

ଶ୍ରୀ ଶର୍ମାଙ୍କ ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ଜାତୀୟ ରାଜପଥରେ ରାଜ୍ୟ ବାହାରର ଲୋକ ଓ ବିଦେଶୀମାନେ ମଧ୍ୟ ଯିବା ଆସିବା କରୁଛନ୍ତି । କେଉଁ ଥାନାରେ ଅଭିଯୋଗ କରାଯିବ ସେମାନେ ତାହା ଜାଣି ପାରୁନାହାନ୍ତି । ଫଳରେ ସେମାନେ ସେମାନଙ୍କ ରାଜ୍ୟ ପୁଲିସକୁ ଜଣାଉଛନ୍ତି ବା ଅଭିଯୋଗ କରୁଛନ୍ତି । ଫଳରେ ପୁଲିସ ତଦନ୍ତରେ ବିଳମ୍ବ ହେଉଛି ।

ବିଶେଷ କରି ବ୍ରହ୍ମପୁର, ଭୁବନେଶ୍ୱର, ଖୋର୍ଧା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ଏଭଳି ଅପରାଧ ବଢ଼ି ବଢ଼ି ଚାଲିଛି । ଅପରାଧୀମାନେ ଲୁଟପାଟ କରିବା ପାଇଁ ପ୍ରାଣାନ୍ତକ ଆକ୍ରମଣ କରୁଛନ୍ତି । ତେବେ ଥାନା କର୍ମଚାରୀମାନେ ଜାତୀୟ ରାଜପଥରେ ପେଟ୍ରୋଲିଂ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିବାକୁ ପୁଲିସ ବିଭାଗ ଚିନ୍ତା କରୁଛି । କେବଳ ଫୋର୍ସ ନୁହେଁ ଜାତୀୟ ରାଜପଥର କେତେକ ପ୍ରମୁଖ ସ୍ଥାନରେ ଆଉଟପୋଷ୍ଟ ମଧ୍ୟ ନିର୍ମାଣ ହେବ ବୋଲି ଡିଜି ଶର୍ମା କହିଛନ୍ତି  । ଏହି ପୋଷ୍ଟରେ ଜଣେ ଏସ୍‌ଆଇ, ୧୨ ଜଣ କନଷ୍ଟେବଲ ଓ ହାବିଲଦାର ନିଯୁକ୍ତ ପାଇବେ । ଏହି ଫୋର୍ସ ଅପରାଧ ରୋକିବା ସହିତ ଦୁର୍ଘଟଣା ଘଟୁଥିବା ସ୍ଥାନରେ ମଧ୍ୟ ପହଞ୍ଚିବ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେବ ।

ଦେଶର ମୁମ୍ବାଇ, ଦିଲ୍ଲୀ, ବିଶାଖପାଟଣାରେ ଏଭଳି ଜାତୀୟ ରାଜପଥରେ ପୁଲିସ ପେଟ୍ରୋଲିଂ ପାଇଁ ଏକ ସ୍ୱତନ୍ତ୍ର ଫୋର୍ସ ରହିଛି । ଏହି ଢାଞ୍ଚାରେ ଏଭଳି ଏକ ଫୋର୍ସ ଗଠନ କରିବାକୁ ସ୍ଥିର ହୋଇଛି । ବିଭିନ୍ନ ବାଟାଲିଅନ୍‌ରୁ ଯବାନମାନଙ୍କୁ ଅଣାଯାଇ ଏହି ଫୋର୍ସ ଗଠନ କରାଯିବ ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । କ୍ରାଇମ୍‌ବ୍ରାଞ୍ଚକୁ କୁହାଯାଇଛି ଗତ ୩ ବର୍ଷ ମଧ୍ୟରେ ଜାତୀୟ ରାଜପଥରେ ଘଟିଥିବା ଅପରାଧର ତାଲିକା ଦେବାକୁ। କ୍ରାଇମ୍‌ବ୍ରାଞ୍ଚ ଏହି ତାଲିକା ଦେବା ପରେ କେଉଁ କେଉଁ ଅଞ୍ଚଳର ଓ କେଉଁଠି ଆଉଟପୋଷ୍ଟ ନିର୍ମାଣ କରାଯିବ ତାହା ସ୍ଥିର କରାଯିବ । ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଅନୁମତି ଦେବା ପରେ ଏଭଳି ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ ବୋଲି ଡିଜି ଶର୍ମା କହିଛନ୍ତି ।