ଖୋଲୁଛି ପୁଞ୍ଜିଲାଲର ପାଞ୍ଜି । ସାଇଣ୍ଟିଫିକ୍ ୱେରେ ଖୋଳତାଡ କରୁଛି କ୍ରାଇମବ୍ରାଂଚ । ବ୍ୟାକଅପ୍ ପାଇଁ ଇସ୍ରାଏଲ୍ ଯିବ ସିସିଟିଭି ଫୁଟେଜ୍

39

କନକ ବ୍ୟୁରୋ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର କେମିତି ପର୍ଦ୍ଦାଫାଶ କରିଥିଲା କ୍ରାଇମ୍ ବ୍ରାଂଚ ? ଏହି କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବଲାଙ୍ଗିର ଏସପିଙ୍କ ପାଖକୁ ଆସିଥିବା ବେନାମୀ ଚିଠିକୁ ଧରି କ୍ରାଇମବ୍ରାଂଚ ପୁଂଜିଲାଲକୁ କଣ ପ୍ରଶ୍ନ ପଚାରିଥିଲା ଏବଂ ଏହି ପଚରା ଉଚରା ସମୟରେ କେମିତି ପୁଂଜିଲାଲର ଚାଲାକି କାମ କଲାନାହିଁ, ସେହି ସମୟର ତଥ୍ୟ ସାମ୍ନାକୁ ଆସିଛି । କ୍ରାଇମବ୍ରାଂଚର ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖିବାକୁ ଅନୁରୋଧ କରି ପୂରା କାହାଣୀ କହିଛନ୍ତି । ପଢନ୍ତୁୁ ଏହି ରିପୋର୍ଟ ।

Punji

ଚାଲିଥାଏ, ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଖୋଳତାଡ । ଟେବୁଲର ଗୋଟିଏ ପାଶ୍ୱର୍ରେ ବସିଥାନ୍ତି-କ୍ରାଇମବ୍ରାଂଚ୍ ଆଇଜି ଅରୁଣ ବୋଥ୍ରା ଏବଂ ଅନ୍ୟପଟେ ବସିଥାଏ-ପୁଞ୍ଜିଲାଲ୍ ମେହେର । ଆଇଜିଙ୍କ ହାତରେ ଥାଏ-ସେହି ସନ୍ଦିଗ୍ଧ ଚିଠି, ଯାହା ବଲାଙ୍ଗୀର ଏସ୍ପିଙ୍କ ନିକଟକୁ ଆସିଥାଏ । ତେବେ ପୁଞ୍ଜିଲାଲଙ୍କୁ ଯେତେବେଳେ କ୍ରାଇମବ୍ରାଂଚ୍ ପଚରାଉଚୁରା ପାଇଁ ଡାକିଥିଲା, ପୁଞ୍ଜିଲାଲ୍ କୁଆଡେ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଥିଲା ପାର୍ସଲ ବୋମା ମାମଲାରେ ଉତ୍ତର ଦେବା ପାଇଁ । କିନ୍ତୁ କ୍ରାଇମବ୍ରାଂଚ ଆଇଜି ତାକୁ ପାର୍ସଲ ବୋମା ନୁହେଁ ବରଂ ଚିଠି ଉପରେ ପ୍ରଶ୍ନ କରିଥିଲେ ।

କ୍ରାଇମବ୍ରାଂଚ ଆଇଜିି ଅରୁଣ ବୋଥ୍ରା, ପୁଞ୍ଜିଲାଲକୁ ହଠାତ୍ ପ୍ରଶ୍ନ କରିଦେଲେ-ଏ ଚିଠି ତୁମେ କାହିଁକି ଲେଖିଥିଲ? ଜବାବରେ ପୁଞ୍ଜିଲାଲ୍ କହିଲା- ମୁଁ ଏହି ଚିଠି ଲେଖି ନାହିଁ । କାଳେ ପୁଞ୍ଜିଲାଲ୍ ନରଭସ୍ ହୋଇଯିବ,ତେଣୁ ଆଶ୍ୱସ୍ତ କରିବା ପାଇଁ କ୍ରାଇମବ୍ରାଂଚ ଆଇଜି, ପୁଞ୍ଜିଲାଲକୁ ପାଣି ପିଈବା ପାଇଁ କହିଥିଲେ । ଏବଂ ପୁଞ୍ଜିଲାଲ ପାଣି ପିଈଥିଲା । କିନ୍ତୁ ଗ୍ଲାସରେ ଏହି ପାଣି ପଈବା ଘଟଣାକୁ ପୂର୍ବରୁ ପ୍ଲାନ୍ କରି ରଖିଥିଲେ ଅରୁଣ ବୋଥ୍ରା । ସହଯୋଗୀକୁ ତୁରନ୍ତ କହିଲେ- ଫିଙ୍ଗରପ୍ରିଂଟ୍ ମ୍ୟାଚ୍ କରିବା ପାଇଁ । ମାତ୍ର କିଛି ସମୟ ପରେ ସହଯୋଗୀ ଜଣକ, ଚିଠିରେ ଥିବା ଫିଙ୍ଗରପ୍ରିଂଟ୍ ସହ କାଚ ଗ୍ଲାସରେ ଲାଗିଥିବା ଆଙ୍ଗୁଠିର ଚିହ୍ନକୁ ପରୀକ୍ଷା କରି ଅରୁଣ ବୋଥ୍ରାଙ୍କୁ ଇସାରାରେ କିଛି କଥା କହିଥିଲେ । ସହଯୋଗୀଙ୍କ ଠାରୁ ଇସାରା ପାଇବା ପରେ ଆକ୍ରମଣାତ୍ମକ ଢ଼ଙ୍ଗରେ ପୁଞ୍ଜିଲାଲକୁ ପ୍ରଶ୍ନ କରିଥିଲେ ଯେ, ଚିଠି ସହ ଗ୍ଲାସର ଆଙ୍ଗୁଠି ଟିପ ମ୍ୟାଚ୍ କରି ଯାଇଛି । ଆଉ ହଡବଡାଇ ଯାଇଥିଲା ପୁଞ୍ଜିଲାଲ୍ । ଏବଂ ସ୍ୱୀକାର କରିଗଲା- ଯେ ଚିଠି ସେ ହିଁ ଲେଖିଛି ।

ଚିଠି ଲେଖିବା କଥା ସ୍ୱୀକାର କରିବା ପରେ ପୁଞ୍ଜିଲାଲ୍ ଉପରେ ପୁଲିସର ସନ୍ଦେହ ଘନିଭୂତ ହୋଇଯାଇଥିଲା । ତା’ ପରେ ଆରମ୍ଭ ହେଲା-ପୁଞ୍ଜିଲାଲର ଚିଠି ଲେଖିବାର କାରଣକୁ ନେଇ ପଚରାଉଚୁରା । ପ୍ରଥମେ ପୁଞ୍ଜିଲାଲ ଏହାର ଉତ୍ତରରେ କହିଥିଲା-ବାଟରେ ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ, ତାକୁ ଚିଠିଟି ପୁଲିସକୁ ପଠାଇବା ପାଇଁ କହିଥିଲା । କିନ୍ତୁ ଚିଠିରେ ପୁଞ୍ଜିଲାଲର ଆଙ୍ଗୁଠି ଟିପର ଚିହ୍ନ କେମିତି ଆସିଲା ବୋଲି ପଚାରିବା କ୍ଷଣି ପୁରା ହଡବଡ଼ାଇ ଗଲା ପୁଞ୍ଜିଲାଲ୍ । ଆଉ ତା’ପରେ ଗୋଟିଏ ପରେ ଗୋଟିଏ ସତ ଓଗାଳିବାକୁ ଲାଗିଲା ।