କେମିତି ଧରାପଡିଲା ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ! ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡିଲେ ଖଳନାୟକ ପୁଂଜିଲାଲ, ଜାଣନ୍ତୁ ପାର୍ସଲ ବୋମାର ପୂରା କାହାଣୀ

46

କନକ ବ୍ୟୁରୋ : ଦୀର୍ଘ ଦୁଇ ମାସ ଧରି ଅପରାଧୀକୁ ଧରିବାକୁ ନୟାନ୍ତ ହୋଇପଡିଥିବା ପୋଲିସ, କେମିତି ପୁଂଜିଲାଲ ପାଖରେ ପହଁଚିଲା । କଣ ଥିଲା ଏହାର ଖିଅ । କେମିତି ପୋଲିସ ଜାଣିଥିଲା ପୁଂଜିଲାଲ ହିଁ ଏହି ଘଟଣାର ମାଷ୍ଟରମାଇଣ୍ଡ । ତେବେ ପାସର୍ଲ ବମର ଅଭିଯୁକ୍ତଙ୍କୁ ଧରିବା ପାଇଁ ଖିଅ ଖୋଜୁ ଖୋଜୁ ଗୋଟିଏ ଚିଠି ହିଁ ପୂରା ରହସ୍ୟ ଉପରୁ ପରଦା ଉଠାଇଥିଲା । ଏକ ବେନାମୀ ଚିଠି ଏହି ଅପରାଧ ରହସ୍ୟରେ ସୁରାଗ ଯୋଗାଇଦେଇଥିଲା ।

ପାଟଣାଗଡ ପାର୍ସଲ ବୋମା ମାମଲାରେ ବଲାଙ୍ଗିର ଏସପିଙ୍କ ନିକଟକୁ ଆସିଥିଲା ଏକ ବେନାମୀ ଚିଠି । ଏପରିକି ଚିଠିଟି କିଏ ଓ କେଉଁଠୁ ପଠାଇଛି ସେ ବାବଦରେ ବି ଜାଣିନଥିଲେ ଏସପି । ହେଲେ ଏହି ବେନାମୀ ଚିଠି ଧରାଇ ଦେଇଥିଲା ରହସ୍ୟମୟ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀକୁ । ଚିଠିରେ ଲେଖା ଥିଲା..
‘ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୋଲିସ ଉପଯୁକ୍ତ ଲୋକଙ୍କୁ ନଧରି ଅଯଥାରେ ସାଧାରଣ ଲୋକଙ୍କୁ ହଇରାଣ କରୁଛି । ସାଧାରଣ ଲୋକଙ୍କ ପଛରେ ପଡିଲେ ପ୍ରକୃତ ଅପରାଧୀ ଖସିଯିବାକୁ ସୁଯୋଗ ପାଇବେ । ’

PARCEL BOMBମିଳିଥିବା ସୂଚନା ଅନୁସାରେ ଏହି ଚିଠି ହିଁ ମାମଲାର ଛାନଭିନ କରୁଥିବା କ୍ରାଇମବ୍ରାଂଚ ପୋଲିସ ପାଇଁ ପାଲଟିଗଲା ବଡ ସୁରାକ । ମାମଲା ସହ ସଂପୃକ୍ତି ସନ୍ଦେହରେ ବିଭିନ୍ନ ଲୋକଙ୍କୁ ଡାକି ଜେରା କରିବା ପରେ ବି କୌଣସି ଖିଅ ପାଉନଥିବା ପୋଲିସ ଏହି ଚିଠି ଉପରେ ହିଁ ଧ୍ୟାନ କେନ୍ଦ୍ରୀତ କଲା । ଚିଠିର ହ୍ୟାଣ୍ଡ ରାଇଟିଂ ସହ ସମସ୍ତ ସନ୍ଦିଗ୍ଧଙ୍କ ହସ୍ତାକ୍ଷର ମେଳ କରିଥିଲା ପୋଲିସ । ଆଉ ଚିଠିର ହସ୍ତାକ୍ଷର ପୁଞ୍ଜିଲାଲ ମେହେରଙ୍କ ହସ୍ତକ୍ଷର ମେଳ ଖାଇଥିଲା । ଏପରିକି, ଚିଠିଟି ପଠାଯାଇଥିବା ପୋଷ୍ଟ ଅଫିସ ନିକଟରେ ସେହି ତାରିଖର ଫୋନ ଟ୍ରାକିଂରୁ ଅଧିକ ସ୍ପଷ୍ଟ ହୋଇଥିଲା ।

ମୃତ ସୌମ୍ୟଶେଖର କିମ୍ବା ପତ୍ନୀ ରୀମାଙ୍କ ଅନ୍ୟ କାହାରି ସହ ପ୍ରେମ ସଂପର୍କରୁ ପାର୍ସଲ ବୋମା ବିସ୍ଫୋରଣ ଥିଓରୀକୁ ତଦନ୍ତ ଆରମ୍ଭରୁ କ୍ରାଇମବ୍ରାଂଚ ଭିତିହୀନ ବୋଲି ଧରିନେଇଥିଲା । ତେଣୁ ପାରବାରିବ ବିବାଦ ହତ୍ୟା ଷଡଯନ୍ତ୍ରର କାରଣ ବୋଲି ସନ୍ଦେହ କରି ତଦନ୍ତ ଆଗେଇଥିଲା । ବିସ୍ଫୋରଣ ହୋଇଥିବା ପର୍ସଲ ବୋମାରେ ଓଡିଆ ଖବରକାଗଜ ବ୍ୟବହାର ହୋଇଥିଲା । ପୋଲିସ ତଦନ୍ତବେଳେ ଏହି ଦିଗକୁ ଏଡାଇ ଯାଇଥିଲା । ହେଲେ କ୍ରାଇମବ୍ରାଂଚ ଏଦିଗରେ ଛାନଭିନ କରିଥିଲା । ରାୟପୁରରେ ସିସିଟିଭି ଯାଂଚରୁ କୌଣସି ଖିଅ ନମିଳିନଥିଲା । ତେଣୁ ମାମଲାରେ ସ୍ଥାନୀୟ ସଂପୃକ୍ତି ନେଇ ସନ୍ଦେହ ବଢିଥିଲା । ଆଉ ଶେଷରେ ବେନାମୀ ଚିଠି ହିଁ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେର ପାଖରେ ପହଂଚାଇ ଦେଇଥିଲା ।