ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଢେଙ୍କାନାଳ ଗଲେ ଡିଏସପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ । ଯାଂଚ ପରେ ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ

34

କନକ ବ୍ୟୁରୋ: ହାତୀ ମୃତ୍ୟୁ ଘଟଣାର ଛାନଭିନ କରିବ କ୍ରାଇମବ୍ରାଂଚ । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମବ୍ରାଂଚର ୫ ଟିମ ଘଟଣାସ୍ଥଳକୁ ବାହାରିଛନ୍ତି । କ୍ରାଇମବ୍ରାଂଚ ଡିଏସପିଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ ଢେଙ୍କାନାଳ କମଳାଙ୍ଗ ଗାଁକୁ ଗସ୍ତ କରିଛନ୍ତି । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସାତ ହାତୀଙ୍କ ଜୀବନ ଯିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କ୍ରାଇମବ୍ରାଂଚ ଟିମ ଘଟଣାସ୍ଥଳକୁ ଯାଂଚ କରିବା ପାଇଁ ଯାଇଛି ।

ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ଏହି ଟିମ । ଢେଙ୍କାନାଳ କମଳାଙ୍ଗଠାରେ ଗତକାଲି ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟିଥିଲା । ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଶକ୍ତି ଏବଂ ଜଙ୍ଗଲ ବିଭାଗ ୬ ଜଣ ଅଧିକାରୀଙ୍କୁ ସସପେଣ୍ଡ ଓ ଜଣେ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି । ଚାକିରିରୁ ବହିଷ୍କୃତ ହୋଇଥିବା ଅଧିକାରୀ ହେଲେ ମେରାମଣ୍ଡଳୀ ଜେଇ ସଂଜୟ ସ୍ୱାଇଁ ।

ସେହିପରି ସେସୁର ସୁପରିଟେଣ୍ଡେଂଟ୍ ଇଂଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତତ୍ରାଣ ନାୟକ, ମେରାମଣ୍ଡଳୀ ଲାଇନମ୍ୟାନ୍ ଫିରୋଜ ପଣ୍ଡା, ସଦର ରେଂଜର ପ୍ରସନ୍ନ କୁମାର ବିଶ୍ୱାଳ, ମେରାମଣ୍ଡଳୀ ସେସନ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟଗାର୍ଡ ଗିରିଶ ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି । ଘଟଣା ପାଇଁ ଜଙ୍ଗଲ ମନ୍ତ୍ରୀ ସେସୁକୁ ଦାୟୀ କରିଛନ୍ତି ।