ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଂଚ ଟିମ୍ । କାହିଁକି ଓ କାହାର ଅବହେଳାରେ ହେଲା ୭ହାତୀଙ୍କ ମୃତ୍ୟୁ? ସତ ଖୋଜୁଛି ପୁଲିସ

39

କନକ ବ୍ୟୁରୋ: ହାତୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ ଟିମ୍ । କାହିଁକି ଓ କାହାର ଅବହେଳା ଯୋଗୁଁ ୭ଟି ହାତୀଙ୍କ ମୃତ୍ୟୁ ହେଲା ସେ ନେଇ ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଂଚ । ଘଟଣାସ୍ଥଳରେ କ୍ରାଇମବ୍ରାଂଚର ଟିମ ପହଂଚି ତଦନ୍ତ କରୁଛି । ଢୋଙ୍କାନାଳ ଜିଲ୍ଲା କମଳାଙ୍ଗରେ ଶନିବାର ଦିନ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ସାତଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଶକ୍ତି ଏବଂ ଜଙ୍ଗଲ ବିଭାଗ ୬ ଜଣଙ୍କୁ ସସପେଣ୍ଡ କରିଥିବା ବେଳେ ଜଣଙ୍କୁ ବହିଷ୍କାର କରିଥିଲେ । ଚାକିରିରୁ ବହିଷ୍କୃତ ହୋଇଥିବା ଅଧିକାରୀ ହେଲେ ମେରାମଣ୍ଡଳୀ ଜେଇ ସଂଜୟ ସ୍ୱାଇଁ ।

ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗାଁ ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାର ଯାଇଛି। ରେଲେଵ ବ୍ରିଜ କାମ ପାଇଁ ସେସୁ ପକ୍ଷରୁ ତାର ଟଣାଯାଇଥିଲା। ଭୂଇଁଠାରୁ ମାତ୍ର ୪ ମିଟର ଉଚ୍ଚରେ ଏହି ତାର ଯାଇଥିବାରୁ ଶନିବାର ଭୋର୍ ପ୍ରାୟ ୫ଟା ବେଳେ ୨୦ଟି ହାତୀ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ସାତଟି ହାତୀଙ୍କ ଏଭଳି ଅଭାବନୀୟ ମୃତ୍ୟୁ ଘଟିବା ପରେ ଜ˚ଗଲ ଓ ଶକ୍ତି ବିଭାଗ ମଧ୍ୟରେ ଦୋଷ ଠେଲାଠେଲି ଚାଲିଛି। ଢେଙ୍କାନାଳ ଜଙ୍ଗଲ ବିଭାଗର ଆସିଷ୍ଟାଣ୍ଟ କନ୍ଜର୍ଭେଟର ଅଫ୍ ଫରେଷ୍ଟ(ଏସିଏଫ୍) ଜିତେନ୍ଦ୍ର ନାଥ ଦାସ ଏ ନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ଆଧାରରେ ମାମଲା (କେସ୍ ନ˚ ୧୧୬) କରିଥିବା ବେଳେ କ୍ରାଇମବ୍ରାଂଚ  ଏହାକୁ ଗ୍ରହଣ କରିଛି। ସେହିପରି କ୍ରାଇମବ୍ରାଂଚର ଵାଇଲ୍ଡ ଲାଇଫ୍ ସେଲ୍ ପକ୍ଷରୁ ସ୍ବତନ୍ତ୍ର ଭାବେ ଏକ ମାମଲା(କେସ୍ ନ˚ ୨୩) ଆଇପିସି ଦଫା ୧୬୬, ୪୨୯, ୩୪ ଏବ˚ ୧୪୬ ଇଲେକ୍ଟ୍ରିସିଟି ଆକ୍ଟ, ୫୧ ଵାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟରେ ମାମଲା ରୁଜୁ ହୋଇଛି। ଢେଙ୍କାନାଳ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ନରେଶ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ, ମେରାମୁଣ୍ତଳି ଲାଇନ୍ ମ୍ୟାନ-ବି ଫିରୋଜ ପଣ୍ତା, ମେରାମୁଣ୍ତଳି କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି ଓ ତାଳଚେର ଚାଇଁପାଳ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ନିହାର ପାଣିଗ୍ରାହୀଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ ଏସ୍ପି-୧ ସମ୍ପଦ ସନ୍ଦିପ ମାଡ଼କରଙ୍କ ନେତୃତ୍ବରେ ଗଠନ ହୋଇଥିବା ୩ ଜଣିଆ ଟିମ୍ରେ ଡିଏସପି ଡି. ଡି. ମିଶ୍ର ଏବ˚ ଏଏସ୍ଆଇ ଦିଲ୍ଲୀପ ମିଶ୍ର ସାମିଲ ହୋଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ମଧ୍ୟ ଗତକାଲି ସନ୍ଧ୍ୟାରେ ଥାନାରେ ପହଞ୍ଚି ପଚରା ଉଚରା କରିଛନ୍ତି।

ସେହିପରି ପିସିସିଏଫ୍(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ ମଧ୍ୟ ବିଭାଗୀୟ ତଦନ୍ତ କରି ଫେରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ମର୍ମନ୍ତୁଦ ଘଟଣା ଘଟିଲା ଓ କେଉଁମାନେ ଏଥି ପାଇଁ ଦାୟୀ, ସେ ସ˚ପର୍କରେ ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟ ମିଳିବା ପରେ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବ˚ ପୁନର୍ବାର ଏଭଳି ଘଟଣା ନଘଟିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନୁଗୁଳ ଏସିଏଫ୍ ଜିତେନ୍ଦ୍ରନାଥ ଦାଶ ବିଦ୍ୟୁତ୍ ବିଭାଗର ୫ ଜଣଙ୍କ ନାଁରେ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି। ଏତଲା କ୍ରମେ କଣ୍ଟାବଣିଆ ଥାନା ପୁଲିସ କେସ୍ ନମ୍ବର ୧୧୬/୧୮ରେ ଆଇପିସି ଦଫା ୧୬୬, ୪୨୯, ୩୪, ୱାଇଲ୍ଡ଼ ଲାଇଫ୍ ଆକ୍ଟ-୫୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଢେଙ୍କାନାଳ ଏସ୍ପି ସନ୍ତୋଷ ନାୟକ, ଏସ୍ଡିପିଓ ଶେଖ୍ ଅବଦୁଲ୍ କରିମ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି।