ପୋଲିସ୍ କଣ ମଣିଷ ନୁହେଁ ? ସୁଙ୍କି ହମଲା ପରେ ପୋଲିସର ପ୍ରଶ୍ନକୁ ସାମ୍ନା କଲେ ମାନବାଧିକାର କର୍ମୀ

73

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ନିରସ୍ତ୍ର ପୋଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାକୁ ନେଇ ଏବେ ମୁହାଁମୁହିଁ ପୋଲିସ ଓ ମାନବିକ ଅଧିକାର କର୍ମୀ । ପୋଲିସ ଗୁଳିରେ ଅଜାଣତରେ ଯଦି ସାଧାରଣ ମଣିଷର ମୃତ୍ୟୁ ହୁଏ ତେବେ ବିରୋଧ କରିବାକୁ ଆଗେଇ ଆସନ୍ତି ମାନବିକ ଅଧିକାର କର୍ମୀ । ହେଲେ ନିରସ୍ତ୍ର ପୋଲିସ ଜଣ ମଣିଷ ନୁହଁନ୍ତି କି । ପୋଲିସ ପଚାରିଥିବା ଏହି ପ୍ରଶ୍ନର ଉତର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରଖିଛନ୍ତି ମାନବିକ ଅଧିକାର କର୍ମୀ । ସେପଟେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପଛର ସତ ଜାଣିବାକୁ ପଟାଙ୍ଗିରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଂଚର ତଦନ୍ତକାରୀ ଟିମ୍ ।

ପୋଲିସ ବିଭାଗର ଡ୍ରାଇଭର । କେବେ ହାତରେ ଧରି ନଥିଲେ ବନ୍ଧୁକ । କେବେ ସାମିଲ ହୋଇ ନଥିଲେ ମାଓ ନିପାତ ଅଭିଯାନରେ । ପୋଲିସ ବିଭାଗର ଏହି ନିରସ୍ତ୍ର ତଳିଆ କର୍ମଚାରୀଙ୍କୁ କାହିଁକି କରାଗଲା ହତ୍ୟା । କୁଆଡେ ଗଲା ମାଓବାଦୀଙ୍କ ଆଦର୍ଶ ଓ ମଣିଷ ପଣିଆ । କୁଆଡେ ଗଲେ ନୀରିହ ମଣିଷର ଅଧିକାର ପାଇଁ ଲଢେଇ କରୁଥିବା ମାନବିକ ଅଧିକାର କର୍ମୀ ।

ସୁଙ୍କି ଘଟଣା ପରଦିନଠାରୁ ବାରମ୍ବାର ଏହି ପ୍ରଶ୍ନ ପଚାରିଥିଲେ ପଶ୍ଚିମାଂଚଳ ଡିଆଇଜି । ଦୀର୍ଘ ୭୨ ଘଂଟା ପରେ ଏ ପ୍ରଶ୍ନର ଉତ୍ତର ରଖିବାକୁ ଆଗେଇ ଆସିଥିଲେ କିଛି ମାନବିକ ଅଧିକାର କର୍ମୀ । ହେଲେ ମାଓବାଦୀଙ୍କୁ ସିଧାସଳଖ ନିନ୍ଦା କରିବାକୁ ସଂକୋଚ କରିଥିଲେ ।

ସେପଟେ ଏପର୍ଯ୍ୟନ୍ତ କୌଣସି ମାଓବାଦୀ ସଂଗଠନ ଏ ଘଟଣା ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ତେବେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପଛର ସତ କାଢିବାକୁ କୋରାପୁଟରେ ପହଂଚିଛି କ୍ରାଇମବ୍ରାଂଚ ଟିମ୍ । ତଦନ୍ତକାରୀ ଦଳ ଆଜି ପଟ୍ଟାଙ୍ଗି ଥାନାରେ ପହଂଚି ତଥ୍ୟ ସଂଗ୍ରହ କରୁଛି । ଟମରେ ଅଛନ୍ତି ଷ୍ଟେଟ୍ ଫୋରେନସିକ୍ ଲ୍ୟାବ୍ ଓ ପୋଷ୍ଟ ବ୍ଲାଷ୍ଟ ଇନଭେଷ୍ଟିଗେସନ୍ ଟିମର ସଦସ୍ୟ ।

ସୁଙ୍କିଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରାଲେଗଡ ଓ ପଟାଙ୍ଗିଠାରେ ଅଛି ଦୁଇ ଦୁଇଟି ବିଏସଏଫ କ୍ୟାମ୍ପ । କଡା କମ୍ବିଂ ସତ୍ୱେ ମୃତ୍ୟୁର ଫାଶ ବିଛାଇବାରେ ଲାଲବାହିନୀ କେମିତି ହେଲେ ସଫଳ । ଲ୍ୟାଣ୍ଡମାଇନର ଟାର୍ଗେଟକୁ କେମିତି ଆସିଲେ ନିରସ୍ତ୍ର ପୋଲିସ କର୍ମଚାରୀ । ଷଡଯନ୍ତ୍ରର ସୁରାଗ କେମିତି ପାଇପାରିଲେନି ଗୁଇନ୍ଦା । ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଏବେ କ୍ରାଇମବ୍ରାଂଚ ଟିମ୍ ।