ସାକ୍ଷୀ ରହିବେ ସାମ୍ବାଦିକ ! ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ ପୋଲିସ

43

କନକ ବ୍ୟୁରୋ : କୌଣସି ଅପରାଧିକ ଘଟଣାର ରିପୋର୍ଟିଂ କରୁଥିବା ସାମ୍ବାଦିକ କୋର୍ଟରେ ସାକ୍ଷୀ ଦେବେ । ଏଭଳି ସର୍କୁଲାର ଜାରି କରିଛି କ୍ରାଇମବ୍ରାଂଚ ପୋଲିସ । କୋର୍ଟରେ ଭିଡିଓ ଫୁଟେଜକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଗ୍ରହଣ କରାଯାଉଥିବାରୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଯାହାକୁ ନେଇ ଉପୁଜିଛି ବିବାଦ । ଘଟଣାସ୍ଥଳରେ କାମ କରୁଥିବାବେଳେ ଇଲେକଟ୍ରୋନିକ୍ସ ମିଡିଆର କୌଣସି ସାମ୍ବାଦିକ ବା ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ କ୍ୟାମେରାରେ ଅପରାଧ ଘଟଣା ରେକର୍ଡ ହୋଇଥିଲେ କୋର୍ଟରେ ପ୍ରମାଣ ହିସାବରେ ଦାଖଲ କରାଯିବ ।

ଅପରାଧର ସିସିଟିଭି ଫୁଟେଜକୁ ପ୍ରମାଣ ଭାବେ କୋର୍ଟରେ ଦାଖଲ କରାଯିବ । ବୈଦୁତିକ ଗଣମାଧ୍ୟମ ଅପରାଧ ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ ପ୍ରମାଣ ଭାବେ ଦାଖଲ କରିବେ । ସିସିଟିଭି ଫୁଟେଜ ବା ଭିଡିଓ ଯାହା ପାଖରେ ଥିବ ତାଙ୍କୁ ଘଟଣାରେ ସାକ୍ଷ୍ୟ ଦେବାକୁ ପଡିବ । କୋର୍ଟରେ ତାଙ୍କୁ ସାକ୍ଷୀ ଭାବେ ଘଟଣା ବାବଦରେ ଜେରାର ସାମ୍ନା କରିବାକୁ ପଡିବ । ଏପରିକି ସିଆରପିସିର ଧାରା ୧୬୧ରେ ତାଙ୍କ ବୟାନ ରେକର୍ଡ ହେବ । ହେଲେ କ୍ରାଇମବ୍ରାଂଚ ପୋଲିସର ଏଭଳି ସର୍କୁଲାରକୁ ନେଇ ପ୍ରତିବାଦ ଆରମ୍ଭ ହୋଇଛି । ନିଜ ସାମ୍ବାଦିକ ଦାୟିତ୍ୱର ନିର୍ବାହ କରି ଅନେକ ସମୟରେ ସାମ୍ବାଦିକମାନେ ସତ୍ୟକୁ ଲୋକଙ୍କ ସାମ୍ନାକୁ ଆଣିଥାନ୍ତି । ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକ ଘଟଣାର ଅନାଲୋଚିତ ଦିଗ ସାମ୍ନାକୁ ଆଣିବାରେ ଏମାନଙ୍କ ପ୍ରମୁଖ ଭୂମିକା ରହିଥାଏ । କେଉଁଠି ନିଆଁ ଜଳୁଥାଏ ତ ପୁଣି କେଉଁଠି ଗୁଳି ଫୁଟୁଥାଏ, ତଥାପି ସାମ୍ବାଦିକ ଦାୟିତ୍ୱରୁ ପଛକୁ ହଟିନଥାନ୍ତି ସାମ୍ବାଦିକ ।

ଇଲେକଟ୍ରୋନିକ ମିଡିଆରେ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ଦାୟିତ୍ୱ ଢେର ଅଧିକ । କାରଣ ଆପଣ କହୁଥିବା କଥାଟିକୁ ଟିଭି ପରଦାରେ ଦେଖାଇବାକୁ ହୋଇଥାଏ । ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବାବେଳେ ଜଣେ ସାମ୍ବାଦିକର କିଛି ସ୍ୱତନ୍ତ୍ର ଅଧିକାର ମଧ୍ୟ ରହିଛି । ଏପରିସ୍ଥିତିରେ ସାମ୍ବାଦିକମାନଙ୍କୁ ଅଯଥାରେ ହଇରାଣ କରାନଯାଉ ବୋଲି ଦାବି ଉଠିଛି । କାରଣ ଏହା ସେମାନଙ୍କୁ ଦାୟିତ୍ୱ ନିର୍ବାହ କରିବାରେ ବାଧକ ସାଜିବ । କୋର୍ଟ କଚେରୀ ଦୌଡିଦୌଡି ସମୟ ବରବାଦ ହେବ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ରଖିଛନ୍ତି ।