ଜୀବନ ନେଉଛି ମୃତ୍ୟୁର ଖେଳ ମୋମୋ ଚ୍ୟାଲେଞ୍ଜ : ଅଭିଭାବକଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ

56

କନକ ବ୍ୟୁରୋ : ସାରା ବିଶ୍ୱରେ ଘାତକ ସାଜିଥିବା ଇଣ୍ଟରନେଟ୍‌ ଗେମ୍ ମୋମୋ ଚ୍ୟାଲେଞ୍ଜକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯିବା ପରେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଭାବକମାନଙ୍କୁ ସତର୍କ କରାଯାଇଛି । କେମିତି ପିଲାମାନଙ୍କୁ ଏହି ବିପଜ୍ଜନକ ଖେଳଠାରୁ ଦୂରେଇ ରଖିହେବ ସେ ନେଇ କ୍ରାଇମ୍‌ବ୍ରାଞ୍ଚ ଏକ ଆଡଭାଇଜାରି ଇସ୍ୟୁ କରିବ ବୋଲି ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଖୁବ୍‌ ଶୀଘ୍ର ସମସ୍ତ ଜିଲ୍ଲା ଏସ୍‌ପି, କମିସନରେଟ୍‌ ପୁଲିସର ଦୁଇ ଡିସିପିଙ୍କୁ ଗାଇଡ୍‌ ଲାଇନ୍‌ ପଠାଯିବ ।

ଏଡିଜି କହିଛନ୍ତି, ଘରେ ଥିବା କମ୍ପ୍ୟୁଟର, ଲାପଟପ୍‌ରେ ପାରେଣ୍ଟାଲ୍‌ କଣ୍ଟ୍ରୋଲ ସଫ୍ଟଓ୍ଵାର ଲୋଡ୍‌ କରନ୍ତୁ। ଏହି ସଫ୍ଟଓ୍ଵାର ମାଧ୍ୟମରେ କମ୍ପ୍ୟୁଟର ଓ ଲାପଟପ୍‌କୁ କୌଣସି କ୍ଷତିିକାରକ ଗେମ୍‌ ଆସିଲେ ତାହା ଅଭିଭାବକ ଜାଣି ପାରିବେ । ଅଭିଭାବକମାନେ ପିଲା ବ୍ୟବହାର କରୁଥିବା କମ୍ପ୍ୟୁଟର ଓ ଲାପଟପକୁ ପ୍ରତିଦିନ ଯାଞ୍ଚ କରନ୍ତୁ । କୌଣସି ସଫ୍ଟଓ୍ଵାର ଉପରେ ପାସଓ୍ଵାର୍ଡ ଦେଇଥିଲେ ତାକୁ ଆପଣଙ୍କ ସମ୍ମୁଖରେ ଖୋଲିବାକୁ କୁହନ୍ତି ।

ଯଦି ପିଲା ସ୍ମାର୍ଟଫୋନ୍‌ ବ୍ୟବହାର କରୁଛି, ଆପଣ ମୋବାଇଲ୍‌ ଫୋନ୍‌ର କଲ ଲଗ୍‌, ସର୍ଚ ହିଷ୍ଟ୍ରି, ଫେସବୁକ୍‌, ହ୍ଵାଟସଆପ୍‌ ଆଦି ଯାଞ୍ଚ କରନ୍ତୁ । ଅଯଥା ଓ ଅଦରକାରୀ ଆପ୍‌ ଓ ବିଭିନ୍ନ ଗେମ୍‌କୁ ଡାଉନ୍‌ଲୋଡ୍‌ ନକରିବାକୁ ସଚେତନ କରାନ୍ତୁ । ପିଲାମାନେ ଏହି ଗେମ୍‌ ଖେଳିବା ଆରମ୍ଭ କରି ଦେବା ମାତ୍ରେ ତାର ବ୍ୟବହାରରେ ଅନେକ ପରିବର୍ତନ ଆସିଯିବ । ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହିତ ମିଶିବା, କଥାବାର୍ତା ଆଦି ବନ୍ଦ କରି ଦେବ । ସବୁବେଳେ ଅନ୍ୟମନସ୍କ ରହିବା ସହିତ ଚିଡ଼ଚିଡ଼ା ସ୍ୱଭାବର ହୋଇ ଯିବ । ଖାଇବା ଓ ଶୋଇବାରେ ଅନିୟମିତତା ଦେଖା ଦେବ । ହଠାତ୍‌ ଛୋଟଛୋଟ କଥାରେ ରାଗି ଯାଇ ଚିହିଁକି ଉଠିବ । କିଛି କାରଣ ନ ଥାଇ କାନ୍ଦିବ ।

ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ଛଡ଼ା ପିଲାକୁ କିଛି ଦିନ କମ୍ପ୍ୟୁଟର, ଲାପଟପ୍‌ ଓ ସ୍ମାର୍ଟଫୋନ୍‌ଠାରୁ ଦୂରେଇ ଛୁଟି କାଟିବାକୁ ବାହାରକୁ ଚାଲିଗଲେ ଭଲ । ଶେଷରେ ଏହି ଗେମ୍‌ର ଭୟବହତା ନେଇ ନିଜ ପିଲାଙ୍କ ସହିତ ଆଲୋଚନା କଲେ ସବୁଠୁ ଉତ୍ତମ ହେବ । ବ୍ଲୁ ହେ୍ଵଲ ଗେମ୍‌ ପରେ ମୋମୋ ଚ୍ୟାଲେଞ୍ଜ ଗେମ୍‌ ଏବେ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।