କ୍ରିକେଟର ମହମ୍ମଦ ସାମିଙ୍କ ଉପରେ ଗିରଫଦାରୀ ଭୟ ! ପତ୍ନୀ ଆଣିଲେ ସଙ୍ଗୀନ ଅଭିଯୋଗ, ଧର୍ଷଣ ଓ ହତ୍ୟା ଉଦ୍ୟମ

68

କନକ ବ୍ୟୁରୋ : ଗିରଫ ହୋଇପାରନ୍ତି କ୍ରିକେଟର ମହମ୍ମଦ ସାମି । ପତ୍ନୀ ସାମିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପତ୍ନୀ ହସିନ ଜହାଁ ସାମିଙ୍କ ବିରୋଧରେ ବନ୍ଦ କୋଠାରୀରେ ଧର୍ଷଣ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି । ଏ ନେଇ ସେ ଏକ ଅଡିଓ ଟେପ୍ ଜାରି କରିଛନ୍ତି । ସାମିଙ୍କ ଅନୈତିକ ସମ୍ପର୍କ ନେଇ ହସିନ ଜହାଁ ପୋଲିସରେ ଅଭିଯୋଗ କରିଛନ୍ତି । ଏହା ପରେ କୋଲକାତାରେ ସାମି ଓ ତାଙ୍କ ପରିବାରର ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ସାମିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ଆଇପିସିର ଧାରା ୪୯୮ କ ରେ ମାମଲା ରୁଜୁ କରିଛ ପୋଲିସ । ଏହାଛଡା ପୋଲିସ ରୁଜୁ କରିଥିବା ମାମଲାରେ ସାମିଙ୍କ ବିରୋଧରେ ପତ୍ନୀଙ୍କୁ ହତ୍ୟା କରିବା ଉଦ୍ୟମ ଅଭିଯୋଗରେ ଆଇପିସିର ଧାରା ୩୦୭ ବି ଲଗାଯାଇଛି । ଆଇପିସିର ଧାରା ୩୭୬ ଅନ୍ତର୍ଗତ ଧର୍ଷଣର ଅଭିଯୋଗ ବି ରହିଛି । ଏହି ଧାରାରେ ଦୋଷ ପ୍ରମାଣିତ ହେଲେ ଦୋଷୀଙ୍କୁ ୭ରୁ ୧୦ ବର୍ଷ ଯାଏଁ ଜେଲ ଦଣ୍ଡାଦେଶ ହୋଇପାରେ । ପତ୍ନୀଙ୍କ ନୂଆ ନୂଆ ଅଭିଯୋଗ ପରେ ମହମ୍ମଦ ସାମିଙ୍କ ଅଡୁଆ ବଢୁଛି । ସେ ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବୁଧବାର ହସିନା ସାମିଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ପରେ ବିସିସିଆଇ ସାମିଙ୍କୁ ତା’ର ବାର୍ଷିକ ଚୁକ୍ତିରୁ ବାଦ୍‌ ଦେଇଥିଲା । ତଦନ୍ତ ଶେଷ ପର୍ଯ୍ୟନ୍ତ ସେ ଚୁକ୍ତିରୁ ବାଦ୍‌ ପଡ଼ିବା କଥା କୁହାଯାଇଥିବାରୁ ଏବେ ସାମିଙ୍କ ଖେଳ ଜୀବନ ଭବିଷ୍ୟତ ନେଇ ଆଶଙ୍କା ଜାତ ହୋଇଛି । ସାମି ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଥିଲେ । କିନ୍ତୁ ପତ୍ନୀଙ୍କୁ ଯୋଗାଯୋଗ କରିବାରେ ବିଫଳ ହେଉଥିବା ସାମି କହିଥିଲେ । ସାମିଙ୍କ ପରିବାର ଲୋକ ହସିନଙ୍କୁ ବିଗତ ୨ ବର୍ଷ ହେବ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା । ପରିବାରର ସମସ୍ତେ ମୋତେ ନିର୍ଯାତନା ଦେଉଥିଲେ ବୋଲି ହସିନ୍‌ କହିଥିଲେ । ସାମିଙ୍କ ଏକ ମୋବାଇଲ ତାଙ୍କ କାର ଭିତରୁ ମିଳିବା ପରେ ଏଥିରେ ସେ ଏକାଧିକ ମହିଳାଙ୍କ ସହ ସମ୍ପର୍କରେ ରହିଥିବା ପ୍ରମାଣ ପାଇଥିଲେ ହସିନ୍‌ । ଏହା ପରଠାରୁ ଉଭୟଙ୍କ ମଧ୍ୟରେ ବିଭେଦ ଦେଖା ଦେଇଥିଲା ବିଶ୍ୱାସ କରାଯାଉଛି ।

ଏହି ମୋବାଇଲ୍‌କୁ ସାମି ୨୦୧୪ ମସିହାରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସଠାରୁ ଉପହାର ସୂତ୍ରରେ ପାଇଥିଲେ । ଯେଉଁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରୁ ପ୍ରଥମେ ସାମିଙ୍କ ନାମରେ ଅଭିଯୋଗ ଆସିଥିଲା ଏବେ ତାହା ନିଷ୍କ୍ରିୟ ହୋଇପଡ଼ିଛି । ଅନ୍ୟପକ୍ଷରେ ସାମି ସଦ୍ୟ ସମାପ୍ତ ଦେଓଧର ଟ୍ରଫିରେ ଖେଳିଥିବାବେଳେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ଲାଗି ଦିଲ୍ଲୀ ଡେୟାର ଡେଭିଲ୍‌ସ ଦଳରେ ସାମିଲ ଅଛନ୍ତି ।