ସାମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ! ଦେହରାଦୁନରୁ ଦିଲ୍ଲୀ ଯାଉଥିବା ବେଳେ କ୍ରିକେଟର ମହମ୍ମଦ ସାମୀ ହେଲେ ଦୁର୍ଘଟଣାର ଶିକାର, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତରଖାନାରେ ଭର୍ତ୍ତି

33

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଖେଳାଳି ମହମ୍ମଦ ସାମୀ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସାମୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ଦେହରାଦୁନରୁ ଦିଲ୍ଲୀ ଯାଉଥିବା ବେଳେ ସାମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ମିଳିଥିବା ସୂଚନା ମୁତାବକ, ସାମୀ ଆଜି ସକାଳୁ ପ୍ରାକ୍ଟିସ ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣାରେ ସାମୀଙ୍କର ଡାହାଣପଟ ଆଖିର ଉପରି ଭାଗରେ ଆଘାତ ଲାଗିଛି । ଯେଉଁଥିରେ ୩ରୁ ୪ଟି ଷ୍ଟିଚ୍ ପଡିଛି । ଦୁର୍ଘଟଣା ପରେ ତାଙ୍କୁ ସିଏମଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସାମୀ ଏବେ ସୁସ୍ଥ ଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଏଠାରେ ଆମେ କହି ରୁଖୁଛି କି , ଗତ କିଛି ଦିନ ହେଲା ସାମୀଙ୍କ ଉପରେ ଯେପରି ଦୁଃଖର ପାହାଡ ଭାଙ୍ଗି ପଡିଛି । ଏହାପୂର୍ବରୁ ତାଙ୍କ ପତ୍ନୀ ହସିନ ଜହାଁ ତାଙ୍କ ବିରୋଧରେ ଅନୈତିକ ସମ୍ପର୍କ ନେଇ ପୋଲିସରେ ଅଭିଯୋଗ ଆଣିବା ସହିତ ତାଙ୍କୁ ବନ୍ଦ କୋଠାରୀରେ ଧର୍ଷଣ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ । ଏହା ପରେ କୋଲକାତାରେ ସାମି ଓ ତାଙ୍କ ପରିବାରର ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

ସାମିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ଆଇପିସିର ଧାରା ୪୯୮ କ ରେ ମାମଲା ରୁଜୁ କରିଥିଲା ପୋଲିସ । ଏହାଛଡା ପୋଲିସ ରୁଜୁ କରିଥିବା ମାମଲାରେ ସାମିଙ୍କ ବିରୋଧରେ ପତ୍ନୀଙ୍କୁ ହତ୍ୟା କରିବା ଉଦ୍ୟମ ଅଭିଯୋଗରେ ଆଇପିସିର ଧାରା ୩୦୭ ବି ଲଗାଯାଇଛି । ଆଇପିସିର ଧାରା ୩୭୬ ଅନ୍ତର୍ଗତ ଧର୍ଷଣର ଅଭିଯୋଗ ବି ରହିଛି । ପତ୍ନୀଙ୍କ ନୂଆ ନୂଆ ଅଭିଯୋଗ ପରେ ମହମ୍ମଦ ସାମିଙ୍କ ଅଡୁଆ ବଢୁଛି । ଏହାସହ ସାମୀ ମ୍ୟାଚ୍ ଫିକ୍ସରେ ସମୃକ୍ତ ଥିବା ମଧ୍ୟ ଜାହାଁ ଅଭିଯୋଗ କରିଥିଲେ । ତେବେ ତଦନ୍ତ ପରେ ବିସିସିଆଇ ସାମୀଙ୍କୁ ମ୍ୟାଚ୍ ଫିକ୍ସ ଅଭିଯୋଗରୁ ମୁକ୍ତ କରିବା ସହ ସେଂଟ୍ରାଲ କଂଟ୍ରାକ୍ଟ ମଧ୍ୟ ପ୍ରଦାନ କରିଛି ।