ଆନ୍ନା ଡିଏମକେ ସଙ୍କଟ : ଅଯୋଗ୍ୟ ଘୋଷିତ ହେବେ ୧୯ ବିଧାୟକ

28

କନକ ବ୍ୟୁରୋ : ଆନ୍ନା ଡିଏମକେରୁ ଶଶିକଳାଙ୍କ ବହିଷ୍କାର ପ୍ରକ୍ରିୟାକୁ ୧୯ ବିଧାୟକଙ୍କ ବିରୋଧ ଓ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀଙ୍କୁ ପରିବର୍ତ୍ତନ ପାଇଁ ଦାବି ନୂଆ ସଙ୍କଟ ସୃଷ୍ଟି କରିଥିବାବେଳେ ଏହି ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦଳର ମୁଖ୍ୟ ସଚେତକ ବିଧାନସଭା ବାଚସ୍ପତିଙ୍କୁ ସୁପାରିସ କରିଛନ୍ତି।

ବାଚସ୍ପତିଙ୍କ ପାଖକୁ ଲେଖିଥିବା ଚିଠିରେ ମୁଖ୍ୟ ସଚେତକ ଏସ୍ ରାଜେନ୍ଦ୍ରନ ଦର୍ଶାଇଛନ୍ତି ଯେ ୨୦୧୭ ଫେବ୍ରୁଆରି ୧୪ରେ ସମସ୍ତ ବିଧାୟକ ପଲାନିସ୍ୱାମୀଙ୍କୁ ସର୍ବସମ୍ମତ ସମର୍ଥନ କରିଥିଲେ। ଏବେ ଦଳର ୧୯ଜଣ ବିଧାୟକ ବିପକ୍ଷ ଗୋଷ୍ଠୀ ନେତା ଟିଟିଭି ଦିନାକରନଙ୍କୁ ସମର୍ଥନ କରି ପଲାନିସ୍ୱାମୀଙ୍କୁ ବିରୋଧ କରୁଛନ୍ତି। ଗତ ଅଗଷ୍ଟ ୨୨ରେ ସେମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରି ପଲାନିସ୍ୱାମୀଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିବା ଦର୍ଶାଇଛନ୍ତି। ଏହି ବିଧାୟକମାନଙ୍କ କାର୍ୟ୍ୟ ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁଯାୟୀ ଦଳବଦଳ ଭାବେ ଗ୍ରହଣଯୋଗ୍ୟ। ତେଣୁ ୧୯୮୬ ତାମିଲନାଡ଼ୁ ବିଧାନସଭା ରୁଲ୍ସକୁ କାର୍ୟ୍ୟକାରୀ କରି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବାକୁ ମୁଖ୍ୟ ସଚେତକ ଦାବି କରିଛନ୍ତି।

ଆନ୍ନା ଡିଏମକେରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୨୧ ତାରିଖରେ ମିଶ୍ରଣ ପରେ ଶଶିକଳା ଓ ତାଙ୍କ ପରିବାରକୁ ଦଳରୁ ବହିଷ୍କାର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶଶିକଳାଙ୍କ ପୁତୁରା ତଥା ଉପମହାସଚିବ ଦିନାକରନଙ୍କ ନେତୃତ୍ୱରେ ୧୯ ବିଧାୟକ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରୁଥିବାନେଇ ସ୍ମାରକପତ୍ର ଦେଇଥିଲେ। ଏହାପରଠାରୁ ସେମାନେ ପୁଡୁଚେରିଠାରେ ଏକ ରିସୋର୍ଟରେ ରହିଛନ୍ତି।

ଜୟଲଳିତାଙ୍କ ମୃତ୍ୟୁପରେ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଆନ୍ନା ଡିଏମକେର ୧୩୫ ବିଧାୟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୯ଜଣ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିବାରୁ ବାଚସ୍ପତିଙ୍କ ବାଦ୍ ଦେଇ ପଲାନିସାମିଙ୍କୁ ୧୧୪ ବିଧାୟକ ସମର୍ଥନ କରୁଛନ୍ତି। ଡିଏମକେ ୮୯, କଂଗ୍ରେସର ୮, ଆଇୟୁଏମ୍ଏଲର ୧ ଏବଂ ଜଣେ ମନୋନୀତ ବିଧାୟକ ଅଛନ୍ତି। ସରକାର ସଂଖ୍ୟାଗରିଷ୍ଠତା ହରାଇଥିବାରୁ କଂଗ୍ରେସ ଓ ଡିଏମକେର ଆସ୍ଥା ଭୋଟ ଦାବି ସଙ୍କଟକୁ ତୀବ୍ର କରିଛି। ଯଦି ସମସ୍ତ ବିରୋଧୀ ଏବଂ ଅସନ୍ତୁଷ୍ଟ ଏକଜୁଟ ହେବେ ତା’ହେଲେ ସରକାରଙ୍କ ସଙ୍କଟ ବଢ଼ିଯିବ।