ଏୟାର ଇଣ୍ଡିଆ ବୋଇଙ୍ଗି ୭୭୭ ବିମାନରୁ ଖସି ପଡି ଏୟାର ହୋସଟେସ ହର୍ଷା ଲୋବୋ ଆହତ

40

କନକ ବ୍ୟୁରୋ : ଦିନକୁ ଦିନ ବିମାନରେ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । କେବଳ ଏତିକି ନୁହେଁ ବରଂ ବିମାନରେ ଥିବା କର୍ମଚାରୀ ଓ ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଛତ୍ରପତି ଶିବାଜୀ ଇଣ୍ଟରନେସନାଲ ଏୟାରପୋର୍ଟରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଥିବା ଏୟାର୍ ଇଣ୍ଡିଆର ଏକ ବିମାନର କବାଟ ବନ୍ଦ କରୁଥିବାବେଳେ ଜଣେ ୫୩ ବର୍ଷୀୟ ଏୟାର୍ ହୋସଟେସ ତଳକୁ ଖସିପଡ଼ି ଆହତ ହୋଇଛନ୍ତି। ବିମାନ ବନ୍ଦର ସୂତ୍ରରୁ ଏ ଖବର ମିଳିଛି। ବୋଇଙ୍ଗ୍ ୭୭୭ ବିମାନର କବାଟ ଭୂମିଠାରୁ ପ୍ରାୟ ୩୦ ଫୁଟ୍ ଉଚ୍ଚରେ। ହର୍ଷା ଲୋବୋ ନାମ୍ନା ସେ ଏୟାର୍ ହୋସଟେସଙ୍କୁ ଆମ୍ବୁଲାନସ୍ ଯୋଗେ ନାନାବତୀ ହସ୍ପିଟାଲକୁ ନିଆଯାଇଥିଲା। ତେବେ ତାଙ୍କର ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ତାଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା ଅଧିକ କିଛି ସୂଚନା ମିଳି ପାରି ନାହିଁ।

 

ଏୟାର୍ ଇଣ୍ଡିଆ ଫ୍ଲାଇଟ୍ ୮୬୪, ବୋଇଙ୍ଗ୍ ୭୭୭-୩୩୭ ସକାଳ ୭ଟାରେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏ ଭଳି ଅଘଟଣ ଘଟିଥିଲା। ସେତେବେଳେ ବିମାନଟି ମୁମ୍ବାଇ ବିମାନ ବନ୍ଦରର ଏକ ଫାଙ୍କାଳିଆ ସ୍ଥାନରେ ପାର୍କ କରିଥିଲା। ଶେଷରେ ୯୦ ମିନିଟ୍ ବିଳମ୍ବ କରି ସକାଳ ୮ଟା ୩୦ ମିନିଟରେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା।