ରାଉରକେଲା ବ୍ରାହ୍ମଣୀ ସେତୁରେ ଫାଟ ! ଯାତାୟତ ବାଧାପ୍ରାପ୍ତ

36

କନକ ବ୍ୟୁରୋ : କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାରା ଲାଇଫ ଲାଇନ କୁହାଯାଉଇଥିବା ବ୍ରାହ୍ମଣୀ ସେତୁରେ ପୁଣି ଫାଟ ଦେଖା ଦେଇଛି । ପ୍ରବଳ ବର୍ଷା ଯୋଗୁଁ ସେତୁର ୨ଟି ସ୍ଥାନରେ ବଡ ଧରଣର ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ୧୪୩ନଂ ଜାତୀୟ ରାଜପଥରେ ଥିବା ୬୦ବର୍ଷ ତଳର ଏହି ସେତୁ ରାଂଚିରୁ ପାଣି କୋଇଲିକୁ ସଂଯୋଗ କରୁଛି । ତେଣୁ ବ୍ରାହ୍ମଣୀ ସେତୁକୁ ରାଉରକେଲାର ଲାଇଫ ଲାଇନ କୁହାଯାଇଥାଏ । ତେବେ ଏହି ପୁରୁଣା ପୋଲର ମରାମତି ଓ ରକ୍ଷଣା ବେକ୍ଷଣା ଅଭାବରୁ ବାରମ୍ବାର ଫାଟ ସୃଷ୍ଟି ହେଉଛି । ଏବେ ସେତୁଟି ବିପଦ ସଙ୍କୁଳ ଅବସ୍ଥାରେ ଅଛି ।

ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବି ଦୀର୍ଘ ଦିନରୁ ହେଉଛି । ବିଧାୟକ ଦିଲ୍ଲୀପ ରାୟ ବାରମ୍ବାର ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି । ପୁରୁଣା ସେତୁରେ ଫାଟ, ଦ୍ୱୀତିୟ ସେତୁ ନିର୍ମାଣରେ ଡେରି ଆଉ ଏହାକୁ ନେଇ ବିଜେପିରେ ବି ଫାଟ ମେଳୁଛି । ସେତୁକୁ ନେଇ ରାଜନୀତି ସରଗରମ ଥିବା ବେଳେ ରାଉରକେଲା ଓକିଲ ସଂଘ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦ୍ୱିତୀୟ ସେତୁ ନିର୍ମାଣରେ ଡେରିର କାରଣ ଯାହାବି ହେଉନା କାହିଁକି, ସୁନ୍ଦରଗଡ ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ମଣୀ ସେତୁର ମରାମତି ଶୀଘ୍ର କରିବା ଜରୁରୀ ହୋଇପଡିଛି ।