ରହସ୍ୟମୟ ବାଣ ବିସ୍ପୋରଣ ! ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର, ହେଲେ କୁଆଡେ ଗଲେ ମହିଳାଙ୍କ ସ୍ୱାମୀ ?

ବାଣ ବିସ୍ପୋରଣ ପରେ ପୁଲିସ ତାଜୁବ । ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତ ଶରୀର ମିଳିଲା, ପୁରୁଷଙ୍କ ଶରୀରର କୌଣସି ଅଂଶ ପାଉନାହିଁ

200

କନକ ବ୍ୟୁରୋ: ବନମାଳୀପୁର ବାଣ ବିସ୍ଫୋରଣ ଘଟଣା ପରେ ମହିଳାଙ୍କ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶ ମିଳିଥିବା ବେଳେ କୌଣସି ପୁରୁଷଙ୍କ ଶରୀରର ଅଂଶ ମିଳିନାହିଁ । ଯାହାକୁ ନେଇ ରହସ୍ୟ ବଢି ବଢି ଚାଲିଛି । ପୋଲିସ ମଧ୍ୟ କହିଛି, ମୃତ ମହିଳାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ରଙ୍କ କୌଣସି ପତା ମିଳୁନାହିଁ । ତେବେ ପୋଲିସ ରେଡ କରି ବସ୍ତା ବସ୍ତା ବାଣ ଜବତ କରିଛି । ଗାଁ ଲୋକଙ୍କ ଅଭିଯୋଗ, କେବଳ ଦୀପାବଳୀ ନୁହେଁ, ସବୁ ସମୟରେ ଚାଲିଥିଲା ବେଆଇନ ବାଣ କାରବାର ।

ବନମାଳୀପୁର ବାଣ ବିସ୍ଫୋରଣ ଘଟଣାରେ ଜଣେ ମହିଳାଙ୍କ ଶରୀରର ଖଣ୍ଡ ଖଣ୍ଡ ଅଂଶ ମିଳିଲା । ହେଲେ କୌଣସି ପୁରୁଷଙ୍କ ଶରୀରର ଅଂଶ ମିଳିଲା ନାହିଁ । ଯାହାକି ବିସ୍ପୋରଣ ଘଟଣାକୁ ରହସ୍ୟ ଘେରକୁ ଠେଲିଦେଇଛି । ମୃତ ମହିଳାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ମୃତ କି ଜୀବିତ ସେନେଇ ପ୍ରଶ୍ନ ଉଠିଛି । ପୋଲିସର ତଦନ୍ତ ସମୟରେ ସେପରି କୌଣସି ଅଂଶ ମିଳିନାହିଁ , ଯାହାକି ଜ୍ଞାନେନ୍ଦ୍ର ମୃତ ବୋଲି ପ୍ରମାଣିତ କରିବ । ହୁଏତ ସେ ବଂଚିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ ବଢୁଛି । ଏନେଇ ପୋଲିସକୁ ମଧ୍ୟ କୌଣସି ଖୋଜଖବର ମିଳୁନିା

ବିସ୍ପୋରଣ ପରେ ଆଜି ବନମାଳୀପୁରରେ ଜ୍ଞାନେନ୍ଦ୍ରଙ୍କ ଦୁଇଭାଇ ଫେରାର ରହିଛନ୍ତି । ବେଆଇନ ବାଣ କାରବାର ଅଭିଯୋଗରେ ପୋଲିସ ସେମାନଙ୍କ ଘର ଭାଙ୍ଗି ଖାନତଲାସି କରିଥିଲା । ଆଉ ଖାନତଲାସି ବେଳେ ପୋଲିସକୁ ମିଳିଥିଲା ୧୦ରୁ୨୦ବସ୍ତା ବାଣ । ଘର ଭିତରୁ ଏବଂ ଘର ପଛପଟ ଚାଷଜମି ନିକଟରେ ଲୁଚାଯାଇଥିଲା ଏହି ସବୁ ବାଣ । ପୋଲିସ ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହିତ ଅଧିକ ଖୋଲତାଡ ଜାରି ରଖିଛି ।

ପ୍ରାୟ ୫୦ବର୍ଷ ଧରି ଏହି ଅଂଚଳରେ ଚାଲିଥିଲା ବେଆଇନ ବାଣ କାରବାର । କେବଳ ଦୀପାବଳୀ ନୁହେଁ, ବର୍ଷର ସବୁ ସମୟରେ ବାଣ ତିଆରି ହେଉଥିଲା, ବିକ୍ରି ହେଉଥିଲା । କିଛି ବର୍ଷ ତଳେ ଏପରି ଏକ ବାଣ ବିସ୍ଫୋରଣରେ ଜ୍ଞାନେନ୍ଦ୍ରଙ୍କ ବଡଭାଇଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ତା ସତ୍ୱେ ମଧ୍ୟ ଚାଲିଥିଲା ବାଣ କାରବାର । ଆଉ ଯାହାର ପରିଣାମ ଥିଲା ଗତକାଲିର ଏହି ବିସ୍ଫୋରଣ ।