ବିଜେପିକୁ ମହାଭାରତର ପାଠ ପଢ଼ାଇଲେ ସିପିଏମ୍ ନେତା ସୀତାରାମ ୟେଚୁରୀ । ମୋଦିଙ୍କୁ ଦୁର୍ଯ୍ୟୋଧନ ଓ ଅମିତଙ୍କୁ ଦୁଃଶାସନ ସହ କଲେ ତୁଳନା, ଆରଏସଏସକୁ କହିଲେ ଶକୁନି

75

କନକ ବ୍ୟୁରୋ: ଓଡିଶା ମାଟିରୁ ବିଜେପିକୁ ଆକ୍ରମଣ । ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ସିପିଏମ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ବିଜେପିର ଦୁଇ ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ମହାଭାରତର ଦୁଇ ଖଳନାୟକ ଦୁର୍ଯ୍ୟୋଧନ ଓ ଦୁଃଶାସନ ସହ ତୁଳନା କରିଛନ୍ତି । ଏପରିକି ବିଜେପିର ମାର୍ଗଦର୍ଶକ ଆରଏସଏସକୁ ଶକୁନି ମାମୁଁ ସହ ତୁଳନା କରି କଡା ଭାଷାରେ ସମାଲୋଚନା କରିଛନ୍ତି । ଅପରପକ୍ଷରେ ବିଜେଡିକୁ ଧର୍ମନିରପେକ୍ଷ ଦଳ କହି ବିଜେପି ବିରୋଧୀଙ୍କୁ ଏକାଠି କରିବାରେ ନବୀନଙ୍କୁ ନେତୃତ୍ୱ ନେବାକୁ ପରାମର୍ଶ ଦେଇଛନ୍ତି ।

କେତେବେଳ ମେଂଟ ସହଯୋଗୀ ଭାବେ ତ ଆଉ କେତେବେଳେ ବାହ୍ୟ ସମର୍ଥନରେ କ୍ଷମତା ଉପଭୋଗ କରୁଥିବା ବାମଦଳର ରାଜନୈତିକ ଉତଥାନରେ ଏବେ ମୁଖ୍ୟ କଂଟା ହୋଇଛି ବିଜେପି । ତ୍ରିପୁରା ବିଧାନସଭା ହାତରୁ ଚାଲିଗଲା ପରେ ବିଜେପିର ବିଜୟଧାରାରେ ରୋକ ଲଗାଇବା ସିପିଏମ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟି ଯାଇଛି ।

 

୨୦୧୪ରେ ସାରାଦେଶରେ ମୋଦି ହାୱା ସତ୍ୱେ ଓଡିଶାରେ ମୋଦି ଓ ଭାରତୀୟ ଜନତା ପାର୍ଟିକୁ ବିଜେଡି ଯେଭଳି ଚେକମେଟ୍ ଦେଲା ତାହା ଜାତୀୟ ସ୍ତରର ରାଜନୈତିକ ଦଳଙ୍କୁ ଚକିତ କରିଥିଲା । ତେଣୁ ଏକ ଧର୍ମନିରପେକ୍ଷ ଶକ୍ତି ହିସାବରେ ଅନ୍ୟ ସମଭାବାପନ୍ନ ଶକ୍ତିଙ୍କୁ ସାଙ୍ଗରେ ଧରି ବିଜେପିକୁ ରୋକିବା ପାଇଁ ବିଜେଡି ହିଁ ଏକମାତ୍ର ସମର୍ଥ ବୋଲି ସୀତାରାମ ୟେଚୁରୀ କହିଛନ୍ତି ।

ଉଲ୍ଲେଖ ଥାଉ କି, ଜାତୀୟ ରାଜନୀତିରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସଠାରୁ ଦୂରତା ବଜାୟ ବିଜେଡି ରଖିଆସିଛି । ଅନ୍ୟପଟେ ଏକ ଧର୍ମନିରପେକ୍ଷ ଦଳର ପରିଚୟ ସହ ବିଜେଡି ଓଡିଶାରେ ବିଜେପିର ରଣନୀତିକୁ ଭଣ୍ଡୁର କରିଆସୁଛି । ଏପରି ସ୍ଥଳେ ବିଜେପିକୁ ଟାର୍ଗେଟ ଓ ବିଜେଡିକୁ ଜାତୀୟ ରାଜନୀତିରେ ନେତୃତ୍ୱର ଆହ୍ୱାନ ଦେଇ ସିପିଏମ ଭିନ୍ନ ରାଜନୈତିକ ସମୀକରଣର ସଂକେତ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।