ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ମୋଦି । ବିଜେପି ଶିବିରରେ ଉତ୍ସାହ, ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଲାଲବାହିନୀର ବିରୋଧ

29

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଭିନ୍ନ ମହଲରୁ ଉଠିଛି ବିରୋଧର ସ୍ୱର । ମୋଦିଙ୍କ ଗସ୍ତକୁ ବିରୋଧ କରି ମାଓ ପୋଷ୍ଟର । ମାଲକାନଗିରି ଜିଲ୍ଲା କାଲିମେଳା ନିକଟରେ ଦକ୍ଷିଣ ସବଜୋନାଲ ବ୍ୟୁରୋ ପକ୍ଷରୁ ଏହି ପୋଷ୍ଟର ମରାଯାଇଛି । ମୋଦି ସରକାର ଓଡ଼ିଶାର ଉନ୍ନତି ଚାହୁଁନଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହା ସହିତ ଗଙ୍ଗ଼ଚିରୋଲି ଏନ୍କାଉଂଟରକୁ ଏହି ପୋଷ୍ଟର ଜରିଆରେ ମାଓବାଦୀମାନେ ବିରୋଧ କରିଛନ୍ତି । ଓଡ଼ିଶା ସମେତ ୫ଟି ରାଜ୍ୟରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡକରା ମଧ୍ୟ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ସୀମାରେ ହାଇଆଲର୍ଟ ଜାରି ହୋଇଛି ।

ଅନ୍ୟପଟେ ଆସନ୍ତାକାଲି ବିଜେପି ନେତୃତ୍ୱାଧିନ ବିଜେପି ସରକାରକୁ ୪ ବର୍ଷ ପୁରୁଥିବ ବେଳେ ଏପଟେ ବିଜେପି ବିରୋଧରେ ଦେଶବ୍ୟାପୀ ବିଶ୍ୱାସଘାତ ଦିବସ ପାଳନ କରିବ କଂଗ୍ରେସ । ଏନଡିଏ ସରକାର ଦେଶବାସୀଙ୍କ ସହ ବିଶ୍ୱାସଘାତକତା କରିଛି ବୋଲି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏହାକୁ ପ୍ରତିବାଦ କରିବାକୁ ନିଷ୍ପତି ହୋଇଛି । କଂଗ୍ରେସ ପକ୍ଷରୁ ଏଥିପାଇଁ ଦେଶବ୍ୟାପୀ ଧାରଣା ପ୍ରଦର୍ଶନ କରାଯିବ । ସମସ୍ତ ରାଜ୍ୟ ପ୍ରଭାରୀଙ୍କ ନେତୃତ୍ୱରେ ଏହି ବିିକ୍ଷୋଭ ପ୍ରଦର୍ଶନ ହେବ । ୪୮ ମାସ ବନାମ ୪୮ ବର୍ଷକୁ ପ୍ରସଙ୍ଗ କରି ବିଜେପି ୪ବର୍ଷର ହିସାବ ଦେଉଥିବା ବେଳେ ଏହାକୁ କାଉଂଟର କରି କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରିବ ।

ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଆସିବା ନେଇ ଦଳ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଏହାକୁ ନେଇ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମାତ୍ର ଅଢ଼େଇ ଘଂଟାର ରହାଣୀ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ଭୁବନେଶ୍ୱର ଓ କଟକରେ ଶହେ ପ୍ଲାଟୁନ୍ରୁ ଅଧିକ ଫୋର୍ସ, ୩ଶହ ଅଫିସର ଓ ୨ ଜଣ ଡିସିପି ନିୟୋଜିତ ହେବେ । ଏପଟେ ମୋଦିଙ୍କ ଓଡ଼ିଶା ଗସ୍ତ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା, ଏହାର ଗୁରୁତ୍ୱ ଆହୁରି ବଢ଼ିଯାଇଛି, ଯେତେବେଳେ ବିଜେଡି ମୋଦିଙ୍କ ଗସ୍ତର ଠିକ୍ ପୂର୍ବରୁ ବିଜେଡି ଏକ ବଡ ଧରଣର କାର୍ଯ୍ୟକ୍ରମର ଆୟୋଜନ କରୁଛି । ତେବେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୪ବର୍ଷର ହିସାବ ଦେବା ପାଇଁ ଓଡ଼ିଶା ଆସୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।