ଗୋସୁରକ୍ଷା ନାଁରେ ଗେରୁଆ କର୍ମୀଙ୍କ ଗୁଣ୍ଡାରାଜ !

33

କନକ ବ୍ୟୁରୋ : ଓଡିଶାରେ ତଥାକଥିତ ଗୋରକ୍ଷକଙ୍କ ଗୁଣ୍ଡାଗିରି । ଆଇନସମ୍ମତ ଭାବେ ଗାଇ ପରିବହନ କରୁଥିବା ବେଳେ ଗୋରକ୍ଷା ନାଁରେ ସେମାନଙ୍କୁ ପ୍ରବଳ ମାଡ ମାରିଛନ୍ତି ଗୋ ସୁରକ୍ଷା ମଂଚ ଓ ବଜରଂଗ ଦଳର କର୍ମୀମାନେ । ଭୁବନେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଘଟଣା । ଉତର ପ୍ରଦେଶ ପରି ଏବେ ଓଡିଶାରେ ତଥାକଥିତ ଗୋରକ୍ଷକଙ୍କ ଉତ୍ପାତ ଚିନ୍ତାର କାରଣ ପାଲଟିଛି ।

ପ୍ରଥମ ଥର ପାଇଁ ଏକ ଯାତ୍ରୀବାହୀ ଟ୍ରେନରେ ଗୋରୁ ଚାଲାଣ ହେଉଥିଲା । ଅଭିଯାନ ଆରମ୍ଭ କରିଥିଲା ଦକ୍ଷିଣ ରେଳବାଇ । ଆଇନସମ୍ମତ ଭାବେ ଗୌହାଟୀ ସୁବିଧା ଏକ୍ସପ୍ରେସରେ ତାମିଲନାଡୁର ସଲେମ୍ ଅଂଚଳରୁ ୨୦ ଟି ଗାଇକୁ ସିଲଂ ପଠାଯାଉଥିଲା । ଟ୍ରେନରେ ଗାଇ ମାନଙ୍କ ପାଇଁ ରହିଥିଲା ସମସ୍ତ ସୁବିଧା । ଖାଇବା, ପିଇବା ଠାରୁ ସେବା ଯାଏଁ , କର୍ମୀ ନିୟୋଜିତ ଥିଲେ ।

ଜରୁରୀ କାଳୀନ ଚିକିତ୍ସା ପାଇଁ ଡାକ୍ତର ଥିଲେ ଆଉ ମେଡିସିନ୍ ବି । ଟ୍ରେନ୍ ବଗିରେ ଗୁହାଳ ଭଳି ପରିବେଶ ବି କରାଯାଇଥିଲା । ହେଲେ ଗୋ-ସୁରକ୍ଷାର ଦାୟିତ୍ୱ ମୁଣ୍ଡାଇଥିବା ବଜରଂଗ ଦଳର ମୁଣ୍ଡିଆଳ ମାନେ ଘେରିଯାଇଥିଲେ ଟ୍ରେନକୁ । ଆଉ ଟ୍ରେନରୁ ଦୁଇ ଜଣ ବ୍ୟକ୍ତିଙ୍କୁ ଟାଣି ଆଣି ନିସ୍ତୁକ ମାଡ ମାରିଥିଲେ । ହରାଇବସିଥିଲେ ନିଜ ହିତାହିତ ଜ୍ଞାନ ।

ସେପଟେ ପୁରା ଘଟଣା ସାମ୍ନାକୁ ଆସିବା ପରେ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଜିଆରପି । ସିସିଟିଭି ଫୁଟେଜ୍ ଯାଂଚ୍ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି ।