ରାଜ୍ୟରେ ଆଉ ୬୭ ନୂଆ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି; ଓଡିଶାର ୨୭ ଜିଲ୍ଲାକୁ ବ୍ୟାପିଲା କରୋନା ମହାମାରୀ

କରୋନା ତାଲିକାରେ ସାମିଲ ହେଲା ନୂଆପଡା

1,583

କନକ ବ୍ୟୁରୋ: ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଶହ ଟପିଲା । ଆଜି ରାଜ୍ୟରେ ପୁଣି ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ କରୋନା ମହାମାରୀ ବର୍ତ୍ତମାନ ରାଜ୍ୟର ୨୭ଟି ଜିଲ୍ଲାରେ କାୟା ମେଲାଇ ସାରିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ପୁରୀ ଜିଲ୍ଲାରେ କରୋନା ସଂକ୍ରମିତ ଠାବ ହୋଇଥିବା ବେଳେ ଆଜି ନୂଆପଡା ଜିଲ୍ଲାରେ ପ୍ରଥମ ଥର କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ପୁରୀ ଜିଲ୍ଲାରୁ ୧୬, ନୟାଗଡରୁ ୧୩ କରୋନା ସଂକ୍ରମିତ ଠାବ ହୋଇଥିବା ବେଳେ ଗଂଜାମ ଓ ବଲାଙ୍ଗୀର ଜିଲ୍ଲାରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୬, ସୁନ୍ଦରଗଡ ଓ କଳାହାଣ୍ଡିରୁ ୪ ଜଣ ଲେଖାଏ ପଜିଟିଭ ଚିହ୍ନଟ । ଖୋର୍ଧାରୁ ୩, କଟକ ଓ ମାଲକାନଗିରିରୁ ୨ ଜଣ ଲେଖାଏ କୋଭିଡ୍ ୧୯ ଭୁତାଣୁ ଚିହ୍ନଟ କରାଯାଇଛି । ଅପରପକ୍ଷରେ ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡ଼ା ଆଜି ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଂଟିନ କେନ୍ଦ୍ରରେ ରହିଥିବା ବେଳେ ୪ ଜଣ ଆକ୍ରାନ୍ତ ହୋମ୍ କ୍ୱାରେଂଟିନରେ ଥିଲେ ଏବଂ ୩ଟି ଲୋକାଲ ମାମଲା ରହିଛି ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

 

ଅନ୍ୟପଟେ ଜିଲ୍ଲା ଡେଉଁଛି କରୋନା । କରୋନା ତାଲିକାରେ ଆଜି ରାଜ୍ୟରେ ଆଉ ଏକ ଜିଲ୍ଲା ସାମିଲ ହୋଇଛି । ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଆଜି ନୂଆପଡା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।