ଆଗୁଆ ସରିପାରେ ସଂସଦର ବଜେଟ୍ ଅଧିବେଶନ । ୧୭ ତାରିଖ ପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନଥିବାରୁ କାଂଟଛାଂଟ କରିପାରନ୍ତି କେନ୍ଦ୍ର ସରକାର

ଜିଲୋଟିନ୍ ଜରିଆରେ ଗୃହିତ କରାଇପାରନ୍ତି ବ୍ୟୟ ମଂଜୁରୀ ଦାବି । ଶୁକ୍ରବାର ରାତି ୧୨ଟା ଯାଏଁ ଚାଲିଲା ସଂସଦ

147

କନକ ବ୍ୟୁରୋ: ଆଗୁଆ ସରିପାରେ ସଂସଦର ବଜେଟ୍ ଅଧିବେଶନ । କରୋନା ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂସଦର ବଜେଟ ଅଧିବେଶନ ସାରିବାକୁ ମୋଦି ସରକାର ଚିନ୍ତା କରୁଥିବା ଚର୍ଚ୍ଚା ଜାତୀୟ ଗଣମାଧ୍ୟମରେ ହେଉଛି । ବଜେଟ ଅଧିବେଶନର ଶେଷ ତାରିଖ ରହିଛି ଏପ୍ରିଲ ୩ ତାରିଖ । କିନ୍ତୁ ହେଉଥିବା ଚର୍ଚ୍ଚା ଆନୁସାରେ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ସମସ୍ତ ବ୍ୟୟମଞ୍ଜୁରୀ ଦାବିକୁ ଗିଲୋଟିନ ଜରିଆରେ ଗୃହିତ କରାଇପାରନ୍ତି କେନ୍ଦ୍ର ସରକାର । ସେହିପରି ଆଗାମୀ ୧୭ ତାରିଖରେ ଅର୍ଥ ବିଲକୁ ପାରିତ କରାଇବାକୁ ଚେଷ୍ଟା କରିବେ ।

ଏହାପରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ମୁଲତବୀ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସଂସଦର ଅଧିବେଶନ ସମୟରେ ସଦସ୍ୟଙ୍କ ସହ କର୍ମଚାରୀ, ସୁରକ୍ଷାକର୍ମୀ ଗଣମାଧ୍ୟମ ପ୍ରତିନିଧି ଏବଂ ଦର୍ଶକ ସଂସଦ ପରିସରରେ ବହୁ ସଂଖ୍ୟାରେ ଏକାଠି ହେଉଥିବାରୁ ଏଦିଗରେ ସତର୍କ ହୋଇଛନ୍ତି ସରକାର । ଏବେ କରୋନା ପାଇଁ ଲୋକସଭା ସଚିବାଳୟ ପକ୍ଷରୁ କଟକଣା ଜାରି କରାଯାଇଛି । ଦର୍ଶକ ଗ୍ୟାଲେରିର ପାସ ସଂଖ୍ୟାକୁ ସୀମିତ ରଖାଯାଇଛି । ସେପଟେ ୧୭ ତାରିଖ ପରେ ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନଥିବାରୁ ଅଧିବେଶନକୁ କେନ୍ଦ୍ର ସରକାର କାଂଟଛାଂଟ କରିପାରନ୍ତି ବୋଲି ଚର୍ଚ୍ଚା କରାଯାଉଛି ।

ଏନେଇ କେନ୍ଦ୍ରମନ୍ତ୍ରୀ ହରସମିତ କୌର ମଧ୍ୟ ଦାବି କରିଥିଲେ । ଏପଟେ ଗତକାଲି କୋରନା ସତର୍କତା ଦୃଷ୍ଟିରୁ ବିଧାନସଭା ଅଧିବେଶନକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ହେଲେ ବିଧାନସଭା ବନ୍ଦ ନିଷ୍ପତିକୁ ସହଜରେ ଗ୍ରହଣ କରିପାରିନଥିଲା ବିଜେପି । ବିରୋଧୀ ଦଳ ନେତା ପ୍ରଶ୍ନ କରିଥିଲେ , ସଂସଦ ଓ ଅନ୍ୟ ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବାବେଳେ ଓଡିଶାରେ କାହିଁକି ବନ୍ଦ୍ କରାଯିବ । ୟେସ୍ ବ୍ୟାଙ୍କ ଓ ଜଗା ଟଙ୍କା ପ୍ରସଙ୍ଗରେ ନଜର ହଟାଇବା ପାଇଁ ସରକାର ଏଭଳି ବାଟ ବାହାର କରିଛନ୍ତି ବୋଲିି ଅଭିଯୋଗ କରିଥିଲେ ।