ନିଜ ଘରେ ଚୋରୀ ଓ ହତ୍ୟା ! ସମ୍ବଲପୁର କଂଟ୍ରାକ୍ଟର କଲୋନୀ ଲୁଟ୍ ଓ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାସ୍

18

କନକ ବ୍ୟୁରୋ : ନିଜ ଘରେ ଚୋରୀ ଓ ହତ୍ୟା । ଏହା ଶୁଣିଲା ବେଳକୁ ବି ଅବିଶ୍ୱାସ ଲାଗୁଛି । କିନ୍ତୁ କଥାଟି ସତ । ବାପାମାଆଙ୍କ ଅନୁପସ୍ଥିତିରେ ପୁଅ ଓ ବୋହୂ ଘରୁ ଟଙ୍କାସୁନା ଚୋରି କରିଛନ୍ତି । ଏହାକୁ ଘରର ଜଗୁଆଳି ବାରଣ କରିବାକୁ ତାଙ୍କୁ ତଂଟିଚିପି ହତ୍ୟା କରିଛନ୍ତି । ଏହି ଘଟଣା ଘଟିଛି ବୁର୍ଲା କଂଟ୍ରାକ୍ଟର କଲୋନୀରେ । କୌଣସି କାମରେ ଅଶୋକ ସିଂ ବାହାରକୁ ଯାଇଥିବା ବେଳେ ପୁଅ କରନ ସିଂ ଓ ତାଙ୍କ ପତ୍ନୀ ଶ୍ୱଶୁରଘର ରାଉରକେଲା ଯାଉଥିବା କହି ବାହାରିଯାଇଥିଲେ ।

ରାତି ୯ଟାରେ ଘରକୁ ଫେରି ଅଶୋକ ସିଂ ତାଙ୍କ ଜଗୁଆଳିର ମୃତ ଦେହ ଦେଖିବା ସହ ଘରୁ ଚୋରି ହୋଇଥିବା ଜାଣିପାରିଥିଲେ । ଘରୁ ୯୫ ହଜାର ଟଙ୍କା ଓ ସୁନା ଚୋରି ହୋଇଥିବା ସେ ଜାଣିପାରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଘଟଣାଟି ଘଟିଥିଲା ଗତ ଅଗ୍ଷଟ ୨୯ ତାରିଖରେ । ପୋଲିସ ତଦନ୍ତ କରି ଏହା ପଛରେ ଅଶୋକଙ୍କ ପୁଅ କରନ ଓ ତାଙ୍କ ପତ୍ନୀ ସଂପୃକ୍ତ ଥିବା ଜାଣିପାରିଥିଲା । ସେମାନଙ୍କ ଗିରଫ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ପାଖରୁ ୭୫ ହଜାର ଟଙ୍କା ସହ ୪ଟି ସୁନା ମୁଦି ଜବତ କରିଛି ।