ବଜାରରୁ ଆଣିଥିଲେ ୧୪୬ ଟଙ୍କାର ଜିନିଷ ! ପ୍ୟାକେଟ ଖୋଲିବାରୁ ମିଳିଲା ୧୩ ଲକ୍ଷ ଟଙ୍କାର ହୀରା ।

52

ଏମିତି ଏକ ଘଟଣା, ଯାହା ଶୁଣିଲେ ହୁଏତ ସହଜେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ମାତ୍ର ୧୪୬ ଟଙ୍କାର ଜିନିଷ କିଣି, କେହି ଯେ ୧୩ ଲକ୍ଷ ଟଙ୍କାର ଲାଭ ପାଇବ, ତାହା ଶୁଣିଲେ ସମସ୍ତେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଠିକ ଏହିପରି ହିଁ କିଛି ଘଟଣା ଘଟିଛି ଅଷ୍ଟ୍ରେଲିଆର ଜଣେ ଦମ୍ପତ୍ତିଙ୍କ ସହ । ଅଷ୍ଟ୍ରେଲିଆର ଏହି ଦମ୍ପତ୍ତି ଏକ ସେକେଣ୍ଡ ହ୍ୟାଣ୍ଡ ବୋର୍ଡ ଗେମ୍ କିଣିଥିଲେ । କିନ୍ତୁ ଯେତେବେଳେ ସେ ଏହି ପ୍ୟାକେଟକୁ ଖୋଲିଥିଲେ, ସେତେବେଳେ ପ୍ୟାକେଟ ଭିତରେ ଥିବା ଜିନିଷକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ୟାକେଟ ଭିତରେ ପାଖାପାଖି ୧୩ ଲକ୍ଷ ଟଙ୍କାର ହୀରାର ମୁଦି ମିଳିଥିଲା ।

୨୭ ବର୍ଷୀୟ କ୍ରିସ ଲାଇଟଫୁଟ ଏବଂ ତାଙ୍କ ବାନ୍ଧବୀ ମେଣ୍ଡି ଫ୍ଲେକଙ୍କ ସହ ଏହି ଘଟଣା ଘଟିଛି । ଏହି ଦମ୍ପତ୍ତି ନିକଟରେ ସିଡନୀ ଠାରୁ ଟୋରଣ୍ଟୋ ଆସିଛନ୍ତି । ତେବେ ଏହି ଘଟଣା ଭାଇରାଲ ହେବା ପରେ ହୀରାର ଅସଲି ମାଲିକ ସେମାନଙ୍କ ସହ ସମ୍ପର୍କ କରିଛନ୍ତି । ଏବଂ ହୀରାକୁ ଫେରାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଦମ୍ପତ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦମ୍ପତ୍ତି ପ୍ରିନ୍ସ ଏଡବର୍ଡ ଆଇଲ୍ୟାଣ୍ଡରେ ବୁଲୁଥିବା ସମୟରେ ଏହି ବୋର୍ଡ ଗେମଟିକୁ କିଣିଥିଲେ । ଏହି ପ୍ୟାକେଟ ଭିତରୁ ସେମାନଙ୍କୁ ୬ଟି ହୀରାର ମୁଦି ମିଳିଥିଲା ।