କେଉଁ ଦେଶ ପାଖରେ ରହିଛି କେତେ ସଂଖ୍ୟାରେ ପରମାଣୁ ବୋମା ! ଋଷ ପ୍ରସ୍ତୁତ କରୁଛି ପାୱାରଫୁଲ ନ୍ୟୁକ୍ଲିୟର ବମ,ଶତ୍ରୁପକ୍ଷକୁ ଦେବ ଚକମା

119

ବିଶ୍ୱର ଅଧିକାଂଶ ଦେଶ ମଧ୍ୟରେ ଏବେ ତିକ୍ତତା ବଢ଼ିବାରେ ଲାଗିଛି । ଏପରିକି ଅନେକ ସମୟରେ ଦେଶ ଗୁଡ଼ିକ ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟ ଦେଖାଦେଉଛି । ଏପରିକି କିଛି ଦେଶ ଗୁଡ଼ିକ ପରମାଣୁ ଆକ୍ରମଣ କରିବାକୁ ମଧ୍ୟ ଧମକ ଦେବାକୁ ପଛାଉ ନାହାନ୍ତି । ପରମାଣୁ ଆକ୍ରମଣର ବିଭୀଷିକା ପୂରା ବିଶ୍ୱ ଦେଖିଥିଲେ ମଧ୍ୟ ଏଭଳି ଧମକ ଦେବାକୁ ଆଦୌ ପଛଘୁଞ୍ଚା ଦେଉନାହାନ୍ତି କିଛି ଦେଶ । ପରମାଣୁ ଆକ୍ରମଣ ହେଲେ ତାର ଭୟାବହ କଣ ରହିବ ତାହା ପୂରା ବିଶ୍ୱ ଜାଣିଛି । କିନ୍ତୁ କିଛି ଦେଶ ଏବେ ବିଶ୍ୱରେ ଯେଉଁଭଳି ଭାବେ ପରମାଣୁ ବମ ଧରି ଅସ୍ଥିରତା ସୃଷ୍ଟି କରୁଛନ୍ତି ତାହା ଏବେ ପୂରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଉ ଏସବୁ ଭିତରେ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା ରହିଛି ତାହାର ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ଷ୍ଟକହୋମର ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମୁତାବିକ, କେଉଁ ଦେଶ ପାଖରେ କେତେ ପରମାଣୁ ବୋମା ରହିଛି ତାହାର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ପରମାଣୁ ଅସ୍ତ୍ର ସଂପନ୍ନ ଦେଶ ତାଲିକା ସୂଚୀରେ ଋଷ ଶୀର୍ଷ ସ୍ଥାନରେ ରହିଛି । ଋଷ ପାଖରେ ମୋଟ ୬୮୫୦ଟି ନ୍ୟୁକ୍ଲିୟର ବମ ରହିଛି । ଆମେରିକା ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଋଷ ଠାରୁ ୪୫୦ଟି କମ ନ୍ୟୁକ୍ଲିୟର ବମ ଆମେରିକା ପାଖରେ ରହିଛି । ଆମେରିକା ପାଖରେ ମୋଟ ୬୪୫୦ଟି ନ୍ୟୁକ୍ଲିୟର ବମ ରହିଛି । ଏହା ପଛକୁ ଫ୍ରାନ୍ସ ଓ ଚୀନ୍ ରହିଛନ୍ତି । ଫ୍ରାନ୍ସ ପାଖରେ ୩୦୦ଟି ପରମାଣୁ ବୋମା ରହିଥିବା ବେଳେ ଚୀନ ପାଖରେ ୨୮୦ଟି ପରମାଣୁ ବୋମା ରହିଛି । ତେବେ ଚୀନ ପାଖରେ ବାସ୍ତବରେ କେତୋଟି ପରମାଣୁ ବମ ରହିଛି ତାହା ଅସ୍ପଷ୍ଟ ରହିଛି ।

ସେହିଭଳି ଭାରତ ପାଖରେ ୧୪୦ଟି ଓ ପାକିସ୍ତାନ ପାଖରେ ୧୫୦-୧୬୦ଟି ପରମାଣୁ ବମ ଥିବା ଆଶଙ୍କା କରାଯାଉଛି । ଇଂଲଣ୍ଡ ପାଖରେ ୨୧୫ଟି ନ୍ୟୁକ୍ଲିୟର ବମ ରହିଥିବା ବେଳେ ଇସ୍ରାଏଲ ପାଖରେ ୮୦ଟି ଓ ପରମାଣୁ ପରୀକ୍ଷଣ ପାଇଁ ବିବାଦ ଘେରକୁ ଆସିଥିବା ଉତ୍ତର କୋରିଆ ପାଖରେ ୧୦ରୁ ୨୦ଟି ନ୍ୟୁକ୍ଲିୟର ବମ ଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ଏସବୁ ଭିତରେ ଋଷ ଦୁନିଆର ସବୁଠାରୁ ଶକ୍ତିଶାଳୀ ପରମାଣୁ ବମ ପ୍ରସ୍ତୁତ କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ କହିଛନ୍ତି ଯେ, ଋଷ ଏଭଳି ଏକ ପରମାଣୁ ବମ ପରୀକ୍ଷଣ କରିଛି ଯାହା ବିଷୟରେ ଶତ୍ରୁପକ୍ଷର ମିସାଇଲ ଡିଫେନ୍ସ ସିଷ୍ଟମ ମଧ୍ୟ ଟିକିଏ ସୂଚନା ପାଇପାରିବ ନାହିଁ । ଅଥାର୍ତ ଋଷ ଯଦି କେଉଁ ଦେଶ ଉପରେ ପରମାଣୁ ଆକ୍ରମଣ କରେ ତେବେ ଏହା ବାବଦରେ ଟିକଏ ସୂଚନା ପାଇପାରିବେ ନାହିଁ ଶ୍ରତୁପକ୍ଷ ।

ପରମାଣୁ ବୋମାର ଲକ୍ଷ୍ୟଭେଦ ଉପରେ ନଜର ପକାଇବା ତେବେ, ଭାରତ ପାଖରେ ୫୦୦୦ କିଲୋମିଟର ଟାର୍ଗେଟକୁ ଲକ୍ଷ୍ୟଭେଦ କରି ପାରୁଥିବା ଅଗ୍ନି-୫ ମିସାଇଲ ରହିଛି । ଅଗ୍ନି-୫ ମିସାଇଲ ପରମାଣୁ ଅସ୍ତ୍ର ବହନ କରି ୫୦୦୦ କିମି ଟାର୍ଗେଟକୁ ବେଶ ସହଜରେ ଲକ୍ଷ୍ୟଭେଦ କରିପାରିବ । ଅଗ୍ନି-୫ ରାଡ଼ାରରେ ପୂରା ପାକିସ୍ତାନ ଆସୁଥିବା ବେଳେ ଚୀନର ପ୍ରମୁଖ ସହର ମଧ୍ୟ ରହୁଛି । ସେହି ତୁଳନାରେ ପାକିସ୍ତାନ ନିକଟରେ ୨୭୫୦ କିଲୋମିଟର ଲକ୍ଷ୍ୟଭେଦ କରି ପାରୁଥିବା ଶାହିନ-୩ ମିସାଇଲ ରହିଛି । କିନ୍ତୁ ଭାରତ ଓ ପାକିସ୍ତାନ ତୁଳନାରେ ଅଧିକ ଶକ୍ତିଶାଳୀ ରହିଛି ଚୀନ । ଚୀନ ନିକଟରେ ୧୪,୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ଡ଼ୋଙ୍ଗଫେଙ୍ଗ-୪୧ ମିସାଇଲ ରହିଛି ।