ରତ୍ନ ଭଣ୍ଡାର ଖୋଲିବାକୁ କାଉଂଟଡାଉନ ଆରମ୍ଭ : ଜାରି ହେଲା ବ୍ୟବସ୍ଥାବଳୀ, ଜାଣନ୍ତୁ କିଭଳି ପଶିବେ ଅଧିକୃତ ବ୍ୟକ୍ତି

39

କନକ ବ୍ୟୁରୋ : ମାତ୍ର କିଛି ଘଣ୍ଟା ପରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର। ଆଜି (ଏପ୍ରିଲ ୪) ଅପରାହ୍ନ ପ୍ରାୟ ୨ଟା ବେଳେ ୧୭ଜଣିଆ ପ୍ରତିନିଧି ଦଳ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୀରା, ନୀଳା, ମୋତି, ମାଣିକ୍ୟ ତଥା ସୁନାରୁପା ଅଳଙ୍କାରରେ ପରିପୂର୍ଣ୍ଣ ଶ୍ରୀଜିଉଙ୍କ ଏହି ରତ୍ନଭଣ୍ଡାରରେ ପ୍ରବେଶ କରି ଭଣ୍ଡାରଘରର ସ୍ଥିତି ଯାଂଚ କରିବେ। ଯାଂଚ ପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବେ। ଏହି ରିପୋର୍ଟ ବଳରେ ଭଣ୍ଡାରଘର ମରାମତି କରାଯିବ କି ନାହିଁ ତାହା ସ୍ପଷ୍ଟ ହେବ। ତେବେ ରହସ୍ୟମୟ ରତ୍ନଭଣ୍ଡାର ଖୋଲିବାକୁ ନେଇ ବିଭିନ୍ନ ମହଲରେ ଲାଗି ରହିଛି ଆଶା ଓ ଆଶଙ୍କା। ମହାପ୍ରଭୁଙ୍କ ଭଣ୍ଡାରଘର ଦେଖିବାର ଅପୂର୍ବ ସୁଯୋଗ ପାଇ ଯାଂଚକାରୀ ଦଳ ଉତଫୁଲ୍ଲିତ। ପୁଣି ଅଘଟଣ ଆଶଙ୍କାରେ ବି ମନ ହେଉଛି ଆନ୍ଦୋଳିତ।

୧ ରତ୍ନଭଣ୍ଡାର ଖୋଲିବା ପାଇଁ ଜଗମୋହନ ମରାମତି କାମ ବନ୍ଦ ରହିବ, ମଧ୍ୟାହ୍ନ ଧୂପ ପରେ ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବ। ଏହା ପରେ ଅନ୍ୟାନ୍ୟ ନୀତି ସ୍ଥଗିତ ରଖାଯିବ।

୨ ଶ୍ରୀମନ୍ଦିର ବାହାର ୪ଦ୍ଵାର ଓ ଭିତର ଗୁମୁଟ ଓ ପ୍ରତିହାରୀ ନିଯୋଗ ନିକଟ ଆନନ୍ଦ ବଜାର ଗେଟ ନିକଟରେ ପୁଲିସ ମୁତୟନ କରାଯିବ।

୩ ରତ୍ନଭଣ୍ଡାର ଖୋଲିବା ପାଇଁ ଅଧିକାରୀ, ବିଶେଷଜ୍ଞ ଓ ଅନ୍ୟ ସହଯୋଗୀମାନେ ଶ୍ରୀମନ୍ଦିର ଉପବନରେ ଥିବା ବିଶ୍ରାମ ଗୃହରେ ଉପସ୍ଥିତ ହେବେ, ସେଠାରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସେମାନଙ୍କୁ ଭଣ୍ଡାର ଖୋଲିବା ପ୍ରକ୍ରିୟା ଉପରେ ଅବଗତ କରାଇବେ।

୪ ରତ୍ନଭଣ୍ଡାର ଖୋଲାଯିବାର ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତି ବନ୍ଦ ରହିବ।

୫ ଜଗମୋହନ ଗର୍ଭଗୃହ ଭିତର ସଂପୃକ୍ତ ପାଳିଆଙ୍କ ଦ୍ଵାରା ଶୋଧ କରାଯିବ।

୬ ଜୟବିଜୟ ଦ୍ଵାର ଓ କଳାହାଟ ଦ୍ଵାରରେ ଜେଟିପି ଓ ଜଣେ ଲେଖାଏଁ ଦ୍ଵାରଘର ପ୍ରତିହାରୀ ଉପସ୍ଥିତ ରହି ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛାଡିବେ ନାହିଁ।

୭ ଛତିଶା ନିଯୋଗ ସଭାପତି, ସଂପାଦକ ମୁକ୍ତି ମଣ୍ଡପ ତଳେ ରହି ଭଣ୍ଡାର ଖୋଲିବା ଦେଖିପାରିବେ।

୮ ଓସଡମା, ଅଗ୍ନିଶମ ଅଧିକାରୀ ସଂରଜାମ ସହ ଉପସ୍ଥିତ ରହିବେ।

୯ ସ୍ନେକ୍ ହେଲପ୍ ଲାଇନର ଦୁଇଜଣ ସଦସ୍ୟ ଉପସ୍ଥିତ ରହିବେ।

୧୦ ପୁଲିସ ଓ ମାଜିଷ୍ଟ୍ରେଟ ଶ୍ରୀମନ୍ଦିର ଭିତରେ ଓ ବାହାରେ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବେ।

୧୧ ଜଗମୋହନ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ସ୍ୱତ୍ଵଲିପି ମୁତାବକ ଯାଞ୍ଚ କରାଯିବ।

୧୨ କେବଳ ଚଷମା ବ୍ୟତୀତ କୌଣସି ଜିନିଷ ଭିତରକୁ ଯାଇପାରିବ ନାହିଁ। ପିନ୍ଧିଥିବା ଚେନ୍ ଓ ମୁଦି ଇତ୍ୟାଦି ସଂଗରେ ନେଇ ଭିତରକୁ ଯାଇପାରିବେ ନାହିଁ।

୧୩ ଅଳିଆ ଆବର୍ଜନା ସଫା ହେବା ପରେ ନିଯୁକ୍ତ ଅଧିକାରୀ ପ୍ରବେଶ କରିବେ। ଏମାନଙ୍କୁ ମୁକ୍ତିମଣ୍ଡପ ଠାରେ ତଥା ବେହରଣ ଦ୍ଵାର ଠାରେ ପୁଲିସ ଯାଞ୍ଚ କରି ଭିତରକୁ ଛାଡିବେ। ଫେରିବା ବେଳେ ମଧ୍ୟ ଏହି ପଦ୍ଧତିରେ ସେମାନଙ୍କୁ ଯାଞ୍ଚ କରାଯିବ।

୧୪ ଜିଲ୍ଲାପାଳ ଟ୍ରେଜେରିରୁ ଚାବି ଆଣି ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରିବେ।

୧୫ ଏହି ପଦାଧିକାରୀମାନେ ଭଣ୍ଡାର ଭିତରକୁ ପ୍ରବେଶ କରିବା ପରେ ବିଶେଷଜ୍ଞମାନେ ସର୍ଚ୍ଚ ଲାଇଟ୍ ଆଲୋକରେ ଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବେ, ପରେ ଜଗମୋହନ ଦେଇ ବେହରଣ ଦ୍ଵାରରେ ବାହାରକୁ ବାହାରିବେ। ବାହାରିବା ପରେ ସେମାନଙ୍କୁ ପୁଲିସ ଦ୍ଵାରା ପୁନଃ ଯାଞ୍ଚ୍ କରାଯିବ।

୧୬ ଯାଞ୍ଚ ପ୍ରକ୍ରିୟାର ସଂପୂର୍ଣ୍ଣ ଭିଡିଓଗ୍ରାଫି କରାଯିବ, ସମସ୍ତଙ୍କ ସ୍ୱାକ୍ଷର ସମ୍ବଳିତ ଏହି ବିବରଣୀ ସହିତ ଭିଡିଓ ଗ୍ରାଫ୍ କ୍ୟାସେଟକୁ ସିଲ୍ କରାଯିବ।

୧୭ ତନଖି ଶେଷ ହେବା ପରେ ସମସ୍ତେ ବାହାରକୁ ଆସିବେ ଓ ଭିତର ଭଣ୍ଡାର ଚାବି ପକାଇ ପୁରୀ ଟ୍ରେଜେରିରେ ଜମା କରାଯିବ।

୧୮ ଜଗମୋହନ ଅଣସର ପିଣ୍ଡି ପାଣି ପକାଇ ସଫା କରାଯିବ। ପରେ ଶ୍ରୀ ଜିଉଙ୍କ ପରବର୍ତ୍ତୀ ନୀତି ଆରମ୍ଭ କରାଯିବ।

୧୯ ଭିତର ଭଣ୍ଡାରର ତନଖି ପରେ ସମସ୍ତ ପ୍ରାଧିକୃତ ସଦସ୍ୟମାନେ ବାହାରକୁ ଆସିବେ। ସମସ୍ତଙ୍କ ସମ୍ମୁଖରେ ଭିତର ଭଣ୍ଡାରର ତାଲା ପକାଇ ସିଲ୍ କରାଯିବ। ଚାବିକୁ ପ୍ରଶାସକ(ନୀତି) ଜିଲ୍ଲା ଟ୍ରେଜରିରେ ରଖିବାକୁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯିବ।