କାଉନସିଲର ହତ୍ୟାକୁ ନେଇ ରାଜନୀତି ତେଜ ! ବିଜେପି ଆଡ଼କୁ ଅଙ୍ଗୁଳି ଉଠାଇଲା ବିଜେଡ଼ି, ପୋଲିସ କହିଲା ଖୁବଶୀଘ୍ର ଧରାପଡ଼ିବ ମାଷ୍ଟରମାଇଣ୍ଡ

31

କନକ ବ୍ୟୁରୋ : ଛତ୍ରପୁରର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାରେ ମାଷ୍ଟର ମାଇଣ୍ଡଙ୍କୁ ଚିହ୍ନଟ କରାଯାଇଛି ଓ ତାଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆଜି ପୋଲିସ ଡିଜି ଆରପି ଶର୍ମା କହିଛନ୍ତି । ସମ୍ପୂର୍ଣ୍ଣ ଘଟଣା ସିସିଟଭିି କ୍ୟମେରାରେ କଏଦ ହୋଇଥିବାରୁ ଏହା କେସ୍ ପାଇଁ ବହୁ ସାହାଯ୍ୟ ହୋଇଥିଲା ବୋଲି ସେ କହିଛନ୍ତି । ପ୍ରାୟ ୧୨ ଜଣଙ୍କୁ ଏଯାଏଁ ଗିରିଫ କରାଯାଇଛି, ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ । କେସର ଖୋଳତାଳ ଏବେ ବି ଜାରି ରହିଛି ।

ତେବେ ଏହି ଘଟଣାରେ ବିଜେପି ବିରୋଧରେ ଆଜି ବିଜେଡି ଆଣିଛି ସାଂଘାତିକ ଅଭିଯୋଗ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରକୁ ଆଙ୍ଗୁଳି ଉଠାଇଲେ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ । କହିଲେ ଛତ୍ରପୁର କାଉଁସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣ ନାୟକଙ୍କ ସହ ରହିଛି ଧର୍ମେନ୍ଦ୍ରଙ୍କ ସମ୍ପର୍କ ରହିଛି । ବିଜେପିର ବ୍ରହ୍ମପୁର ସଭାରେ ଧର୍ମେନ୍ଦ୍ର ଓ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ କୃଷ୍ଣ ଫଟୋ ଉଠାଇଥିଲେ । ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଗତ ୧୬ତାରିଖ ଦିନ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଅତି ନୃଶଂସ ଭାବେ ଖଣ୍ଡା ତରୁୱାଲରେ ହାଣି ହତ୍ୟା କରିଥିଲେ ଦୁବୃର୍ତ । ଏହି ମାମଲାରେ ଜଡିତ ୧୩ ଜଣଙ୍କୁ ପର୍ଯ୍ୟାୟ କ୍ରମେ ଗିରଫ କରିଛି ପୁଲିସ୍ । ଅନ୍ୟ ୨ଜଣଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଏସପି । ତେବେ ହତ୍ୟାକାରୀଙ୍କ ସହ ବିଜେପି ନେତା କୃଷ୍ଣ ନାୟକଙ୍କ ସମ୍ପର୍କ ରହିଥିବା ସୂଚନା ଦେଇଥିଲେ ଏସପି ।

ସେପଟେ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ ଓ ମୃତ କାଉନସେଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ଆସିଥିଲା । ତେବେ ଲକ୍ଷ୍ମୀଦତ୍ତଙ୍କ ହତ୍ୟାପରେ ନିଜର ଦୋଷକୁ ଲୁଚାଇବାକୁ ଯାଇ ବିଜେଡ଼ି, ବିଜେପିରେ ମିଶିଥିବା ନୂତନ କାଯ୍ୟକର୍ତ୍ତାଙ୍କ ନାଁ ନେଉଛନ୍ତି । ସିସିଟିଭି ଆଧାରରେ ଯାଇ ପୋଲିସ ତର୍ଜମା କଲେ ସତ୍ୟ ନିଶ୍ଚୟ ପଦାକୁ ଆସିବ ବୋଲି କହିଛନ୍ତି ଗୋଲକ ମହାପାତ୍ର । ବିଜୁ ଜନତା ଦଳର ଅନ୍ତ କନ୍ଦଳ ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଛି ଏବଂ ଲକ୍ଷ୍ମୀଦତ୍ତଙ୍କ ମା’ ମଧ୍ୟ ଏକଥା ସ୍ୱୀକାର କରିଛନ୍ତି । ଏହାସହ ଗୋଲକ ମହାପାତ୍ର କହିଛନ୍ତି ନିଜ ଦଳକୁ ବଞ୍ଚାଇବାକୁ ଯାଇ ଏସପିଙ୍କୁ ହାତି ବାରିସୀ କହିଛି ଦଳ । ତେବେ ଯେଉଁ ବିଜେପି କାଯ୍ୟକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ଆସିଛି ତାଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନାହିଁ ବୋଲି ଗୋଲକ ମହାପାତ୍ର କହିଛନ୍ତି । ଏସପି, ବିଧାୟକଙ୍କୁୁ ଖସାଇବା ପାଇଁ ବିଜେପି ବିରୁଦ୍ଧରେ ଏପରି ଅଭିଯୋଗ ଆଣିଛି ବିଜେଡ଼ି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ସ୍ପଷ୍ଟ ଦିବାଲୋକରେ ଛତ୍ରପୁରର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଗତ ୧୬ ତାରିଖରେ ହତ୍ୟାକରାଯାଇଥିଲା । ଲକ୍ଷ୍ମୀଦତ୍ତ ପ୍ରଧାନ କିଛି ଛାତ୍ର ନେତାଙ୍କ ସହ କଲେଜ ନିର୍ବାଚନ ସଂପର୍କରେ ଆଲୋଚନା କରୁଥିବା ବେଳେ ତାଙ୍କୁ ପାଖାପାଖି ୩୦ ଜଣ ଦୁର୍ବୃତ୍ତ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଭର୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ପଛରେ ରାଜନୈତିକ ଲିଙ୍କ୍ ଥିବାର ଅଭିଯୋଗ ଆସିଥିଲା । ମଙ୍ଗଳବାର ଦିନ ଏକଥା ସ୍ପଷ୍ଟ କରିଥିଲେ ଗଞ୍ଜାମ ଏସପି ଆଶିଷ୍ ସିଂହ । ବିଜେପି ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ ଏନ. ଦୁର୍ଯ୍ୟୋଧନ ରେଡ୍ଡି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଏସପି କହିଥିଲେ ।

ତେବେ ଗତ ଶୁକ୍ରବାର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ହତ୍ୟା ସମୟର ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆହୁରି ୧୫ରୁ ୨୦ ଜଣ ଫେରାର ରହିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏନ୍ଏସି କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା ବୋଲି ଏସପି ସ୍ପଷ୍ଟ କରିଥିଲେ ।