ଚିନ୍ତାରେ ଧଳା ସୁନା ଚାଷୀ : ଗୁଣୁପୁରରେ କପା ମଣ୍ଡି ଖୋଲି ନଥିବାରୁ ଚିନ୍ତାରେ ଚାଷୀ

127

କନକ ବ୍ୟୁରୋ : ଏବେବି ଅନେଗ ଜାଗାରେ ଖୋଲିନି ଧାନ ମଣ୍ଡି । ଯେଉଁଠି ଖୋଲିଛି ମିଲର୍ ଧାନ ଉଠାଉନଥିବାରୁ ଚାଷୀ ମଣ୍ଡିର ଧାନ ଜଗି ରହୁଛନ୍ତି । ହେଲେ ରାୟଗଡା ଗୁଣୁପୁରରେ କପା ମଣ୍ଡି ଖୋଲି ନାହିଁ । ଫଳରେ ଅମଳ କପା ଘରେ ସାଇତି ରଖିଥିବା ଚାଷୀ ବାଧ୍ୟ ହୋଇ ଦଲାଲ ହାତରେ ଟେକି ଦେଉଛି ।

ଓଡିଶାର ଧଳା ସୁନା ଅଂଚଳ ଭାବେ ପରିଚିତ ରାୟଗଡା ଜିଲ୍ଲାର ଚାଷୀଙ୍କୁ ଘାରିଛି ଅଭାବୀ ବିକ୍ରି ଚିନ୍ତା । କପା ଅମଳ ସମୟ ହୋଇଥିବା ବେଳେ ଏଯାଏଁ ମଣ୍ଡି ଖୋଲି ନାହିଁ । ଫଳରେ କ୍ଷେତରୁ କ୍ୱିଂଟାଲ କ୍ୱିଂଟାଲ ଧଳା ସୁନା ଅମଳ କରି ଘରେ ସାଇତି ରଖୁଛନ୍ତି ଗୁଣୁପୁର କୃଷି ଜିଲ୍ଲାର ଚାଷୀ । ଅମଳ କପାକୁ ଘରେ ବେଶିଦିନ ସାଇତି ରଖିବା ସମ୍ଭବ ହେଉନଥିବାରୁ କମ୍ ଦରରେ ଦଲାଲ ହାତରେ ନିଜ ପରିଶ୍ରମକୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି ରାୟଗଡାର ଚାଷୀ ।

କପା ଅମଳ କରି ଘରେ ରଖିଲେ କେମିତି ଋଣ ପରିଶୋଧ କରିବୁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ସରକାରୀ ମଣ୍ଡି ଖୋଲି ନଥିବାରୁ ଲକ୍ଷ ଲକ୍ଷ ଟଙ୍କା ଋଣ ଆଣି ଚାଷ କରିଥିବା ଚାଷୀ ଅଭାବି ବିକ୍ରିର ଶିକାର ହେଉଛନ୍ତି । ସେପଟେ ଆସନ୍ତା ୫ ତାରିଖ ଦିନ ମଣ୍ଡି ଖୋଲିବ ବୋଲି କହିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ । ରାୟଗଡାର ଗୁଣୁପୁର କୃଷି ଜିଲ୍ଲାରେ ୧୯ ହଜାର ୫ଶହ ହେକ୍ଟର ଜମିରେ ଚଳିତ ବର୍ଷ କପା ଚାଷ କରିଥିଲେ ଚାଷୀ । ସେଥିରୁ କିଛି ଅଂଚଳରେ ସାମୁଦ୍ରକ ଝଡ ତିତଲି ଯୋଗୁଁ ଚାଷ ପ୍ରଭାବିତ ହୋଇଥିଲା ।