କପା ପାଇଁ ଖପ୍ପା ! ଧାନ ପରେ କପା ବିକ୍ରି ନେଇ ଅସନ୍ତୋଷ । ମୂଲ୍ୟବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ, ବିଧାନସଭାରେ ତାତି ।

156

କନକ ବ୍ୟୁରୋ: ଧାନ ପରେ ଚିନ୍ତା ବଢ଼ାଇଲା କପା । ମୂଲ୍ୟବୃଦ୍ଧି ପାଇଁ ରାସ୍ତାରେ ଚାଷୀ, ଗୃହରେ ତାତି । କପାର ମୂଲ୍ୟବୃଦ୍ଧି ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ୧୦ ଦଫା ଦାବି ନେଇ ଭାରତ କୃଷକ ମହାସଭା ପକ୍ଷରୁ ହୋଇଛି ବଡ଼ ପ୍ରତିବାଦ । କପା କ୍ୱିଂଟାଲ ପିଛା ୮ ହଜାର ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରିବା ସହ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଚାଷୀ । ଏକ ବିଶାଳ ଶୋଭାଯାତ୍ରାରେ ଶହ ଶହ ଚାଷୀ ବାହାରି ସହର ପରିକ୍ରମା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି

ଗୋଟିଏ ପଟେ କପା ପାଇଁ ଚାଷୀ ରାସ୍ତାକୁ ଓହ୍ଲାଇଥିବା ବେଳେ ବିଧାନସଭାରେ କପା ଚାଷୀଙ୍କ କଥା ଉଠାଇଛନ୍ତି ଖଣ୍ଡପଡ଼ା ବିଧାୟକ । କପା ଚାଷୀଙ୍କ ସମସ୍ୟା ଉତଥାପନ କରି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଲାଭଜନକ ଫସଲକୁ ପ୍ରୋତ୍ସାହିତ କରାଯିବା ଉଚିତ । ସୁବର୍ଣ୍ଣପୁର ଜିଲ୍ଲାର ଉଦାହରଣ ରଖି ସୌମ୍ୟରଞ୍ଜନ କହିଛନ୍ତି କି ଜିଲ୍ଲାରେ ୬୦ ଭାଗ ଧାନ ଚାଷ ହେଉଥିବା ବେଳେ ୪୦ ଭାଗ କପା ଚାଷ ହେଉଛି । କପାର ସର୍ବନିମ୍ନ ସହାୟକ ମୂଲ୍ୟ ୫ ହଜାର ୫ ଶହ ଟଙ୍କା ରହିଛି । କିନ୍ତୁ ଚାଷୀ କେମିତି କପା ବିକ୍ରି କରିବେ ସେନେଇ କେହି ଆଗ୍ରହ କିମ୍ବା ଉଦବେଗ ପ୍ରକାଶ କରୁନାହାନ୍ତି । ଗତ ୨୦ ତାରିଖରୁ କପା ମଣ୍ଡି ଖୋଲିବାକୁ ଘୋଷଣା ହୋଇଥିଲେ ମଧ୍ୟ ତାହା ବର୍ତ୍ତମାନ ଯାଏଁ ଖୋଲିନି । ଫଳରେ କପା ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ଆଗକୁ ଥଣ୍ଡା ବଢ଼ିଲେ ଆଦ୍ରତା ବୃଦ୍ଧି ପାଇବା ସହ କପାର ମାନ କମିବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ଏ ଦିଗରେ ସରକାର ଧ୍ୟାନ ଦେବାକୁ ଦାବି କରିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।