କାମ ହୋଇନି ଟଙ୍କା ଉଠିଛି ! ସୁନ୍ଦରଗଡରୁ ପିସିର ନୂଆ ଫର୍ମୂଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

34

କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ । ସୁନ୍ଦରଗଡ ଦେଓଗାଁ ବ୍ଲକରେ ଡ୍ୟାମ ତିଆରି ନାଁରେ କିଭଳି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଛି ତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୁନ୍ଦରଗଡ ଜିଲ୍ଲା ଦେଓଗାଁ ପଂଚାୟତର ଲହୁରାପଡା ମୁଣ୍ଡ ଡ୍ୟାମ ନିର୍ବାଣ ପାଇଁ ୫ଲକ୍ଷ ବ୍ୟୟ ଅଟକଳ ହୋଇଥିଲା । ଏଥିରୁ ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ଡ୍ୟାମ କାମ ଆରମ୍ଭ ବି ହୋଇ ନାହିଁ । ଅଭିଯୋଗ ହୋଇଛି ଦେଓଗାଁ ବିଡିଓ ସ୍ଥାନୀୟ ଭିଏଲଏଲ ବା ଭିଲେଜ ଲେବର ଲିଡରଙ୍କ ସହ ମିଶି ସରକାରୀ ଟଙ୍କାଗୁ ହରିଲୁଟ କରିଛନ୍ତି । କନନ ନ୍ୟୁଜରେ ଦୂର୍ନୀତିର ଏହି ଖବର ସାମ୍ନାକୁ ଆଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

damମୁକୁଳା ହୋଇ ପଡିଛି ସୁନ୍ଦରଗଡର ଲହୁରିପଡା ମୁଣ୍ଡା ଡ୍ୟାମ । ଭାଙ୍ଗି ଯାଇଛି ଜଳଭଣ୍ଡାରର ପାଚେରୀ । ଆଉ ସୁଖିଲାଟାରେ ବହୁ ପରିମାଣର ଜଳ ବହି ଯାଇ ନଷ୍ଟ ହେଉଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସରକାରୀ ଖାତାରେ ଥିବା ତଥ୍ୟ କହୁଛି ଏଠାରେ ଡ୍ୟାମର ସରପ୍ଲସ ଓ କେନାଲ ନିର୍ମାଣ ସରିଯାଇଛି । ଯାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

କିନ୍ତୁ ଏତେବଡ ଘୋଟାଲାର ପ୍ରଚ୍ଛଦପଟରେ ରହିଛନ୍ତି ସରକାରୀ ବାବୁ । କେମିତି ସରକାରୀ ବାବୁଙ୍କ ମଧୁ ଚନ୍ଦ୍ରିକାରେ ବଡ ଦୂର୍ନିତୀ ହୋଇଛି ତାହା ଉପରୁ ପରଦା ଉଠାଇଥିଲା କନକ ନ୍ୟୁଜ । ୨୦୧୬-୧୭ ଆର୍ଥିକ ବର୍ଷରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ସରପ୍ଲସ ଡ୍ୟାମ ଓ କେନାଲ ପାଇଁ ୫ଳକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଗ୍ରାମସଭା କରି ସରପ୍ଲସ ନିର୍ମାଣ ପାଇଁ ପ୍ରଥମେ ୧ଲକ୍ଷ ୯୦ହଜାର ଟଙ୍କା ଉଠାଯାଇଥିଲା । ସେହିଭଳି ୪ଅଗଷ୍ଟ ୨୦୧୭ରେ ୨ଲକ୍ଷ୬୮ହଜାର ୭୯୮ ଟଙ୍କା ଉଠାଯାଇ ମୋଟ ୪ଲକ୍ଷ୬୦ହଜାର ଟଙ୍କା ଖର୍ଚ୍ଚରେ କାମ ଶେଷ ହୋଇଥିବା ଦର୍ଶାଯାଇଛି ।

ଏତେବଡ ଦୂୁର୍ନୀତି ହୋଇଥିଲେ ମଧ୍ୟ ଏହାର ସାମାନ୍ୟତମ ଟେର ପାଇନଥିଲେ ଗ୍ରାମବାସୀ । ପଂଚାୟତରେ ଏହି ବଡ ଦୂର୍ନିୀତିର ପର୍ଦ୍ଦାଫାଶ ହେବା ପରେ ଏବେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କିନ୍ତୁ ସ୍ଥାନୀୟ ବିଡିଓ ଭୂଲକୁ ମାନିବା ତ ଦୂରର କଥା ଟେକ୍ନିକାଲ ଇସ୍ୟୁର ଦ୍ୱାହି ଦେଇ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିକୁ ଘଂଟ ଘୋଡାଇବା ପାଇଁ ଚେଷ୍ଟା କରିଛନ୍ତି ।
ଦିନ ଦିପହରରେ ଆଖିରେ ଧୁଳି ଦେଇ ଭୁଆଁ ବୁଲାଉଛନ୍ତି ସରକାରୀ ବାବୁ । ଫାଇଲ ଗୋଟିଏ କଥା କହୁଛି, ଏପଟେ ବାସ୍ତବତା ଭିନ୍ନ କଥା କହୁଛି । ଆଉ ଏ ହେଉଛି ଆମ ବ୍ୟବସ୍ଥା ।