କୋରାପୁଟ ଓ ନବରଙ୍ଗପୁର ଲ୍ୟାମ୍ପ୍ସରେ ହେଉଛି କୋଟି କୋଟି ଟଙ୍କାର ଦୁର୍ନୀତି ! ଅଭିଯୋଗ ଆଣିଲେ ଶାସକ ଦଳର ବିଧାୟକ

55

କନକ ବ୍ୟୁରୋ : ଚାଷୀଙ୍କଠାରୁ ଧାନ ସଂଗ୍ରହ କରୁଥିବା ଲ୍ୟାମ୍ପ୍ସରେ ବଡ ଧରଣର ଦୁର୍ନୀତି । ଆଉ ଏହି ଅଭିଯୋଗ ଆଣିଛନ୍ତି ଖୋଦ ଶାସକ ଦଳର ବିଧାୟକ । ମାଲକାନଗିରି ସମେତ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଲ୍ୟାମ୍ପ୍ସଗୁଡିକରେ କୋଟି କୋଟି ଟଙ୍କାର ଦୁର୍ନୀତି ନେଇ ଅଭିଯୋଗ କରିଛନ୍ତି ମାଲକାନଗିରି ବିଧାୟକ ମାନସ ମାଡକାମୀ । ଧାନମଣ୍ଡି ଲେବର ଚାର୍ଜ ନାଁରେ ଜାଲ ଭାଉଚର ଓ ବିଲ କରି ଆଦିବାସୀ ଚାଷୀଙ୍କ ଅର୍ଥରୁୁ ଟଙ୍କା ହଡପ କରିଛନ୍ତି ଲ୍ୟାମ୍ପ୍ସ ଏମଡି । ଏନେଇ ସେ ସମବାୟ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଚିଠି ଲେଖି ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।

ଲ୍ୟାମ୍ପ୍ସ କର୍ମଚାରୀମାନେ ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ଚିଠିରେ ଲେଖିଛନ୍ତି ମାନସ ମାଡକାମୀ । ସମବାୟ ବିଭାଗର ଲୋକ ଦେଖାଣିଆ ତଦନ୍ତ ସୁପାରିଶ ଓ ଭିଜିଲାନ୍ସ ବିଭାଗର ନୀରବତା ଭିତରେ ଅସାଧୁ ଅଧିକାରୀ ଛାଡ ପାଇଯାଉଥିବା କହିଛନ୍ତି । ତେବେ ମନ୍ତ୍ରୀ କହିଛନ୍ତି ଭିଜିଲାନ୍ସ ପରେ କୋଟିକୋଟି ଟଙ୍କାର ଏହି ହେରଫେର ଅଭିଯୋଗର ବର୍ତମାନ କ୍ରାଇମ୍ବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।