କଳିଙ୍ଗ ଷ୍ଟାଡିୟମରେ କ୍ଲାଇମ୍ବିଂ ୱାଲ୍ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି ! ୟୁରୋପୀୟାନ୍ ଷ୍ଟାଣ୍ଡାର୍ଡ ବଦଳରେ ଲାଗିଲା ଚାଇନା ପଲିମର

34

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ କ୍ଲାଇମ୍ବିଂ ୱାଲ୍ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି । ଷ୍ଟାଡିୟମରେ ପାହାଡ଼ ଚଢ଼ା ଅର୍ଥାତ ମାଉଂଟେନିୟରିଂ ଶିକ୍ଷା କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ୩ ବର୍ଷ ତଳେ ଆରମ୍ଭ ହୋଇଥିଲା କ୍ଲାଇମ୍ବିଂ ୱାଲ୍ ନିର୍ମାଣ କାମ । ୟୁରୋପିୟାନ୍ ଷ୍ଟାଣ୍ଡାର୍ଡରେ ତିଆରି ହେବାକୁ ଥିବା ଏହି ୱାଲ୍ ପାଇଁ ୩ କୋଟି ୭୬ ଲକ୍ଷ ଟଙ୍କା ବରାଦ ହୋଇଥିଲା । ମାତ୍ର ପରେ ଟେକନିକାଲ୍ ସ୍ପେଶିଫିକେସନକୁ ଖୁଲମଖୁଲ୍ଲା ଉଲ୍ଲଂଘନ କରାଯାଇ ଚାଇନା ପଲିମରରେ ଏହା ତିଆରି କରାଯାଇଛି । ୟୁରୋପୀୟାନ୍ ଷ୍ଟାଣ୍ଡାର୍ଡ ତୁଳନାରେ ଚାଇନା ପଲିମରର ଦାମ ଅଧା ହୋଇଥିବାରୁ ଏଥିରେ କୋଟିଏରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି ।

କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତ ହେଉଛି କ୍ଳାଇମ୍ବିଂ ୱାଲ୍ । ପାହାଡ଼ ଚଢ଼ା ବା ମାଉଣ୍ଟେନିୟରିଂ ଶିକ୍ଷା ଦେବାକୁ ତିଆରି କରାଯାଇଥିବା ଏହି କାନ୍ଥ ନିର୍ମାଣକୁ ନେଇ ଏବେ ଉଠିଛି ପ୍ରଶ୍ନ । ୟୁରୋପୀୟାନ୍ ଷ୍ଟାଣ୍ଡାର୍ଡରେ ତିଆରି ହେବାକୁ ଥିବା ଏହି କାନ୍ଥ ପାଇଁ ୩ କୋଟି ୭୬ ଲକ୍ଷ ଟଙ୍କା ବରାଦ ହୋଇଥିଲା । ଆଉ ସର୍ତ ରହିଥିଲା- ୟୁରୋପୀୟ ଷ୍ଟାଣ୍ଡାର୍ଡର ପଲିମରରେ ତିଆରି କରାଯିବ । କିନ୍ତୁ କ’ଣ ହେଲା କେଜାଣି ୟୁରୋପୀୟ ଷ୍ଟାଣ୍ଡାର୍ଡର ପଲିମରକୁ ଛାଡ଼ି ଶସ୍ତା ଚାଇନା ପଲିମରରେ ଏହାକୁ ତିଆରି କରାଗଲା ।ଆଉଟଡୋର ସ୍କୁଲ୍ ନାମକ ଏକ ସଂସ୍ଥା ଏହି କାମ କରିବା ପାଇଁ ଟେଂଡର ପାଇଥିଲା । ଓଡ଼ିଶା ସରକାର ୟୁରୋପୀୟାନ୍ ଷ୍ଟାଣ୍ଡାର୍ଡ ପଲିମରରେ କାମ କରିବା ପାଇଁ ସର୍ତ ରଖିଥିଲେ ମଧ୍ୟ ଚାଇନା ପଲିମରରେ କାମ କରି ଖସିଯାଇଛି ସଂସ୍ଥା । ଆଉ ଆଶ୍ଚର୍ଯ୍ୟର କଥା ହେଉଛି- ଓଡ଼ିଶା ସରକାର ବି ଚୁପ୍ ବସିଛନ୍ତି ।

କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଓଡ଼ିଶା ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଆନ୍ତର୍ଜାତିକ ଖେଳ ଆୟୋଜନ କରି ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ରୂପେ ନିଜକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିବା ଦାବି କରୁଛି । ମାତ୍ର ଷ୍ଟାଡିୟମରେ ପାହାଡ଼ ଚଢ଼ା ବା ମାଉଣ୍ଟେନିୟରିଂ ଶିକ୍ଷା ପାଇଁ ତିଆରି ହୋଇଥିବା କ୍ଲାଇମ୍ବିଂ ୱାଲ୍ ନିର୍ମାଣରେ କୋଟିଏରୁ ଅଧିକ ଟଙ୍କାର ଦୁର୍ନୀତିର ସନ୍ଦେହ ସୃଷ୍ଟି ହୋଇଛି ।ଚୀନ୍ ମାଲର ଦାମ ୟୁରୋପୀୟ ପଲିମରର ଦାମ ତୁଳନାରେ ଅଧା ହୋଇଥିବାରୁ ଏଥିରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସ୍କାମ୍ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି ।