କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ ! ସିରିଞ୍ଜ ନଆଣିଲେ ହେବନି ଅସ୍ତ୍ରୋପଚାର

97

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ଅସ୍ତ୍ରୋପଚାର କରିବାକୁ ହେଲେ ରୋଗୀଙ୍କୁ ବାହାରୁ ସିରିଞ୍ଜ କିଣିବାକୁ ପଡ଼ୁଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ । ପୂର୍ବରୁ ରୋଗୀଙ୍କୁ ଘରୋଇ ‌ଔଷଧ ଦୋକାନରୁ ଔଷଧ କିଣିବାକୁ କୁହାଯାଉଥିବା ଅଭିଯୋଗ ହେଉଥିଲା । କିନ୍ତୁ ସିରିଞ୍ଜ କିଣିବାକୁ କୁହାଯିବା ସରକାରଙ୍କ ମାଗଣା ସ୍ବାସ୍ଥ୍ୟ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ‘ନିରାମୟ’ ଯୋଜନାରେ ପ୍ରତିବର୍ଷ ଔଷଧ ଓ ଔଷଧୀୟ ସାମଗ୍ରୀର ତାଲିକା ବଢ଼ି ଚାଲିଥିବା ବେଳେ ରାଜଧାନୀର ପ୍ରମୁଖ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସିରିଞ୍ଜ ନ ମିଳିବା ଏହି ଯୋଜନା ବାସ୍ତବତାକୁ ପଦାରେ ପକାଇ ଦେଇଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ଏସ୍‌.ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ହସ୍ପିଟାଲର ହୃଦ୍‌ରୋଗ ବିଭାଗରେ ଆଞ୍ଜିଓଗ୍ରାମ ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାର ପୂର୍ବରୁ ତାଙ୍କୁ ୫ଟି ଜିନିଷ କିଣିବା ପାଇଁ କୁହାଯାଇଥିଲା । ଏଥିରେ ୧୦ ମିଲିର ୪ଟି ସିରିଞ୍ଜ, ୧୦୦ ମିଲି ଇଞ୍ଜେକସନ୍, ଡିସ୍‌ପୋଜାଲ କପଡ଼ା ଓ ଡାଏପ୍ଲାଷ୍ଟ ରହିଥିଲା । ହସ୍ପିଟାଲ୍‌ରେ ଏହା ଉପଲବ୍ଧ ହେଉ ନଥିବାରୁ ତାଙ୍କୁ ବାହାରୁ ଏହାକୁ ଆଣିବା ପାଇଁ ହୃଦ୍‌ରୋଗ ବିଭାଗ ପକ୍ଷରୁ କୁହାଯାଇଥିଲା । ବାଧ୍ୟ‌ ହୋଇ ତାଙ୍କ ପରିବାର ବାହାର ଔଷଧ ଦୋକାନରୁ ୩ହଜାର ୨ଶହ ଟଙ୍କା ଦେଇ ଏହାକୁ କିଣିଥିଲେ । ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।

ଏହିଭଳି ଅନେକ ଘଟଣା ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳୁଛି । ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଗରିବ ରୋଗୀ ଏହିଭଳି ଭାବେ ଶୋଷଣର ଶିକାର ହେଉଛନ୍ତି । କିଛିଦିନ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ବେଳେ ତାଙ୍କ ପାଇଁ ବାହାରୁ ଇଞ୍ଜେକସନ୍ ଓ ଔଷଧ ଆଣିବା ପାଇଁ କୁହାଯାଇଥିଲା । ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌କୁ ନେଇଥିବା ବ୍ୟକ୍ତି ଏହାର ବିରୋଧ କରିବାରୁ ସଂପୃକ୍ତ ଡାକ୍ତର ତାଙ୍କୁ ଧମକାଇଥିଲେ । ଏହାର ପ୍ରତିବାଦରେ ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍‌ପ ୟୁନିଟ୍ ପକ୍ଷରୁ ହସ୍ପିଟାଲର ନିର୍ଦେଶକଙ୍କୁ ୬ଦଫା ଦାବି ଉପରେ ସ୍ମାରକପତ୍ର ଦିଆଯାଇଥିଲା ।

ନିର୍ଦେଶକ ଘଟଣାର ଯାଞ୍ଚ କରିବା ସହିତ ଆଗାମୀ ଦିନରେ କିଭଳି ଏହି ଘଟଣା ନ ଘଟିବ ସେଥିପାଇଁ ସଂପୃକ୍ତ ସଂସ୍ଥାର ପ୍ରତିନିଧିଙ୍କୁ ଆଶ୍ବାସନା ଦେଇଥିଲେ। ଏହାସତ୍ବେ ମଧ୍ୟ ପ୍ରତିଦିନ ଏଭଳି ଘଟଣା ବଢ଼ିବାରେ ଲାଗିଛି । ‘ନିରାମୟ’ ଯୋଜନାରେ ରାଜ୍ୟର ଗରିବ ରୋଗୀମାନଙ୍କୁ ମାଗଣାରେ ଔଷଧ ଓ ଔଷଧୀୟ ସାମଗ୍ରୀ ଯୋଗାଇ ଦିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି । ଗତବର୍ଷ ୫୯୩ ପ୍ରକାରର ଔଷଧକୁ ରାଜ୍ୟ ଔଷଧ ନିଗମ ଚିହ୍ନଟ କରିଥିବା ବେଳେ ୨୦୧୮/୧୯ରେ ୬୪୦ ପ୍ରକାରର ଔଷଧ ଓ ସାମଗ୍ରୀକୁ ଚିହ୍ନଟ କରାଯାଇଛି ।

ତେବେ ଅଧିକାଂଶ ସମୟରେ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗରେ ରୋଗୀଙ୍କୁ ଡାକ୍ତର ଲେଖୁଥିବା ଔଷଧ ମିଳୁନାହିଁ । ବାଧ୍ୟହୋଇ ରୋଗୀମାନେ ବାହାର ଔଷଧ ଦୋକାନରୁ ଔଷଧ କିଣୁଛନ୍ତି । କ୍ୟାପିଟାଲ ହସ୍ପିଟାଲ୍‌ର ନିର୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ହସ୍ପିଟାଲରେ ସିରିଞ୍ଜ ଉପଲବ୍ଧ ହେଉଛି । ତେବେ କେଉଁ ପରିସ୍ଥିତିରେ ଡାକ୍ତର ରୋଗୀଙ୍କୁ ସିରିଞ୍ଜ କିଣିବା ପାଇଁ କହିଛନ୍ତି ତାହା ବୁଝାପଡ଼ୁ ନାହିଁ । ଅନେକ ସମୟରେ ରାଜ୍ୟ ଔଷଧ ନିଗମ ପକ୍ଷରୁ ଯେଉଁ ଔଷଧ ଉପଲବ୍ଧ ହେଉନାହିଁ, ତାହାକୁ ହସ୍ପିଟାଲ କର୍ତୃପକ୍ଷ କିଣୁଛନ୍ତି ବୋଲି ଡା.ଦାସ କହିଛନ୍ତି ।