ମିଲର୍ସ ଓ ପ୍ରଶାସନର ମଧୁଚନ୍ଦ୍ରିକା ପଦାରେ ପଡ଼ିବା ପରେ ଚିହିଁକି ଉଠିଲେ ସରକାରୀ ବାବୁ । କହିଲେ, ସବୁ କିଛି ଠିକ୍ ଚାଲିଛି, ଯାହା କରିବା କଥା କର

251

କନକ ବ୍ୟୁରୋ : ବଲାଙ୍ଗୀର କେଡ଼ିଆ ମିଲ୍ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାରେ କେମିତି ଚାଲିଛି ଧାନ କିଣା ତାହା ପଦାରେ ପଡ଼ିଛି । ବଡ଼ କଥା ହେଉଛି-ଏହି ପୁରା ପ୍ରକ୍ରିୟା ପ୍ରଶାସନ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା ଥିବା ସ୍ପଷ୍ଟ ବାରି ହେଉଛି । ଆଉ ଯେତେବେଳେ ମିଲ୍ ଗୁଡ଼ିକରେ ଧାନ ଗଚ୍ଛିତ ଥିବା ଘଟଣା ସଂପର୍କରେ ପ୍ରତିକ୍ରିୟା ନେବାକୁ ଆମ ପ୍ରତିଧିନି ବଲାଙ୍ଗୀର ସିଏସଓଙ୍କ ପାଖରେ ପହଂଚିଥିଲେ, ସାମ୍ନାକୁ ଆସିଥିଲା ତାଙ୍କ ଅସଲ ଚେହେରା । କହିଥିଲେ, ସବୁ ଠିକ୍ ଚାଲିଛି, ଯାହା କରିବା କଥା କରନ୍ତୁ ।

ବଲାଙ୍ଗୀର ଜିଲ୍ଲାରେ ଧାନ କିଣାକୁ ନେଇ କ’ଣ ଚାଲିଛି ତାହା କାହାକୁ ଅଛପା ନାହିଁ । ତା’ର ଏକ ବଡ଼ ଉଦହାରଣ ହେଉଛି ତୁଷୁରାର କେଡ଼ିଆ ରାଇସ୍ ମିଲ୍ । ବଡ଼ କଥା ହେଉଛି କେଡ଼ିଆ ଭଳି ବେଲପଡ଼ା ଗାୟତ୍ରୀ ରାଇସ୍ ମିଲ୍ ଏବଂ ଏଜିଆର୍ ଏଗ୍ରୋ ରାଇସ୍ ମିଲରେ ଚାଲିଛି ସେଇ ସମାନ କଥା । ଆଉ ଯେତେବେଳେ ପୁରା ଘଟଣା ନେଇ ଆମେ ବଲାଙ୍ଗୀର ସିଏସଓଙ୍କ ପାଖରେ ପହଂଚିଥିଲୁ ଦେଖାଇଥିଲେ ବାବୁ ଠାଣୀ ।

ବଲାଙ୍ଗୀର ସିଏସଓ କହୁଛନ୍ତି- ସେ ସବୁ ଖବର ରଖୁଛନ୍ତି । ଏମିତି କି ରାଗି ଯାଇ କହୁଛନ୍ତି- ଯାହା କରିବା କଥା କରନ୍ତୁ । ବଲାଙ୍ଗୀର ଜିଲ୍ଲାରେ ସବୁ କିଛି ଠିକ୍ ଚାଲିଛି । ଏହି ପୁରା ଘଟଣା ପଛରେ ଥିଲା ବେଲପଡ଼ା ଗାୟତ୍ରୀ ମିଲ୍ ପଛର କାହାଣୀ । ଯେଉଁ ମିଲରେ ମଣ୍ଡି ବସିବା ପୂର୍ବରୁ ଗଚ୍ଛିତ ହୋଇଛି କ୍ୱିଂଟାଲ୍ କ୍ୱିଂଟାଲ ଧାନ । ଗତ ୧୫ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ହେଲେ ଏହାର ବହୁ ପୂର୍ବରୁ ଏହି ମିଲରେ ଗଚ୍ଛିତ ହୋଇଛି କ୍ୱିଂଟାଲ କ୍ୱିଂଟାଲ ଧାନ । ପ୍ରଶ୍ନ ହେଉଛି ମଣ୍ଡି ଜରିଆରେ ଧାନ କିଣା ହେବା ପୂର୍ବରୁ ମିଲକୁ ଧାନ ଆସିଲା କୁଆଡୁ?

ମିଲର୍ସମାନେ ସିଧାସଳଖ ଚାଷୀଙ୍କଠାରୁ ଧାନ କିଣି ପାରିବେ ନାହିଁ ବୋଲି ବ୍ୟବସ୍ଥା ରହିଛି । ଏମିତି କି ବଲାଙ୍ଗୀର ଜିଲ୍ଲାରେ ଏନେଇ ହାଇକୋର୍ଟଙ୍କ ସିଧାସଳଖ ନିର୍ଦ୍ଦେଶ ବି ରହିଛି । ହେଲେ, ପ୍ରଶାସନ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଧାନ କିଣା । ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣି ମିଲ୍ ଗୁଡ଼ିକରେ ଭର୍ତି କରାଯାଇଥିବା ଅଭିଯୋଗ ହୋଇଛି । ହେଲେ ସିଏସଓ କହୁଛନ୍ତି ସବୁ ଠିକ୍ ଚାଲିଛି ।
ଏଠି ପ୍ରଶ୍ନ ଉଠୁଛି-
-ଯଦି ମିଲ୍ରେ ସବୁ କିଛି ନିୟମ ଅନୁସାରେ ଚାଲିଛି ତାହେଲେ କ’ଣ ଘଂଟ ଘୋଡ଼ାଉଛନ୍ତି ମିଲର୍ସ?
-ମିଲରେ ଗଚ୍ଛିତ ଥିବା ଧାନ ସଂପର୍କରେ କାହିଁକି ସୂଚନା ଦେବାକୁ ଅମଙ୍ଗ ହେଉଛନ୍ତି ମିଲର୍ସ ଏବଂ ପ୍ରଶାସନ?