ମାନ୍ଦାବସ୍ଥା ଭିତରେ ଆଜି ହସିଲା ବଜାର । ରକେଟ୍ ଭଳି ଉପରକୁ ଉଠିଲା ସେନସେକ୍ସ, ଗୋଟିଏ ଦିନରେ ନିବେଶକାରୀ ପାଇଲେ ୭ ଲକ୍ଷ କୋଟି ଟଙ୍କା

957

କନକ ବ୍ୟୁରୋ : କର୍ପୋରେଟ୍ ଟ୍ୟାକ୍ସ ଖସିବା ପରେ ହସି ଉଠିଛି ସେୟାର ବଜାର । ମାନ୍ଦାବସ୍ଥାର ଚାପରେ ତଳକୁ ଖସୁଥିବା ସେନସେକ୍ସ ଆଜି ରକେଟ ଭଳି ଉପରକୁ ଉଠିଛି । ଆଉ ଗୋଟିଏ ଦିନରେ ନିବେଶକଙ୍କ ସଂପତି ବୃଦ୍ଧି ପାଇଛି ପାଖାପାଖି ୭ ଲକ୍ଷ କୋଟି ଟଙ୍କା । ବଜାରରେ ଏପରି ଉତ୍ସାହ ଗତ ଦଶ ବର୍ଷରେ ଦେଖିବାକୁ ମିଳିନଥିଲା । ବହୁ ଦିନର ଦାବି ପୂରଣ କରି କର୍ପୋରେଟ୍ ଟିକସକୁ ଆଜି ହ୍ରାସ କରିଛନ୍ତି ଅର୍ଥମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷରେ ସେସ୍ ଓ ସରଚାର୍ଜକୁ ମିଶାଇ ୨୫ ଦଶମିକ ୧୭ ହାରରେ ଘରୋଇ କଂପାନୀଗୁଡିକ ଟିକସ ପଇଠ କରିବେ । ଏପରକିି ମେକ୍ ଇନ୍ ଇଣ୍ଡିଆ ତଥା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ଟିକସ ନୀତିରେ ଆହୁରି କୋହଳ କରିଛନ୍ତି ଅର୍ଥମନ୍ତ୍ରୀ । ଅକ୍ଟୋବର ୧ ତାରିଖ ପରେ ନୂଆ କଂପାନୀ ଗଢ଼ିଲେ, ଟିକସ, ସେସ୍ ଓ ସରଚାର୍ଜ ବାବଦରେ କଂପାନୀକୁ ମାତ୍ର ୧୭ ପ୍ରତିଶତ ହାରରେ ପଇଠ କରିବାକୁ ହେବ । ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ମହୋଷଧି ଭଳି କାର୍ଯ୍ୟ କରିଛି ।

୨୦୧୯-୨୦ ଆର୍ôଥକ ବର୍ଷ ପାଇଁ ଘରୋଇ କଂପାନୀଗୁଡିକ ୨୨ ପ୍ରତିଶତ ହାରରେ ଆୟକର ଦେବେ । ତେବେ ଏଥିପାଇଁ ସର୍ତ୍ତ ହେଉଛି, ସେହି କଂପାନୀଗୁଡିକ କୌଣସି ପ୍ରକାର ରିହାତି କିମ୍ବା ସରକାରୀ ପ୍ରୋତ୍ସାହନ ଗ୍ରହଣ କରୁନଥିବେ । ସମସ୍ତ ସେସ୍ ଓ ସରଚାର୍ଜକୁ ମିଶାଇଲେ କଂପାନୀଗୁଡିକୁ ୨୫.୧୭ ହାରରେ ଟିକସ ଦେବାକୁ ପଡ଼ିବ ।

ଯେଉଁ ଦାବି କଂପାନୀମାନେ କରି ଆସୁଥିଲେ, ଶେଷରେ ମାନିଲେ ଅର୍ଥମନ୍ତ୍ରୀ । ଆର୍ଥିକ ଅଭିବୃଦ୍ଧି ଓ ପୁଂଜିନିବେଶକୁ ପ୍ରୋତ୍ସାହନ ପାଇଁ କର୍ପୋରେଟ୍ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରିଛନ୍ତି । ସେସ୍ ଓ ସରଚାର୍ଜକୁ ମିଶାଇଲେ ୨୫.୧୭ ହାରରେ ଘରୋଇ କଂପାନୀଗୁଡିକ ଟିକସ ଦେବେ । କେବଳ ସେତିକି ନୁହେଁ ଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ନୂଆ କଂପାନୀ ପାଇଁ ଟିକସ ନୀତିରେ ଆହୁରି କୋହଳ କରିଛନ୍ତି ଅର୍ଥମନ୍ତ୍ରୀ । ଅକ୍ଟୋବର ୧ ତାରିଖ କିମ୍ବା ଏହା ପରେ ଯେଉଁ ନୂଆ କଂପାନୀ ଆରମ୍ଭ ହେବ, ସେହି କଂପାନୀ ମାତ୍ର ୧୫ ପ୍ରତିଶତ ହାରରେ ଟିକସ ଦେବେ । ତେବେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଉତ୍ପାଦନ ଆରମ୍ଭ କରିବାକୁ ହେବ ।

୨୦୧୯ ଅକ୍ଟୋବର ୧ ତାରିଖ କିମ୍ବା ପରେ ଯେଉଁ ନୂଆ କଂପାନୀ ଆରମ୍ଭ ହେବ ଏବଂ ୨୦୨୩ ମାର୍ଚ୍ଚ ୩୧ କିମ୍ବା ପୂର୍ବରୁ ଉତ୍ପାଦନ ଆରମ୍ଭ କରିବେ, ସେହି କଂପାନୀ ୧୫ ପ୍ରତିଶତ ହାରରେ ଟିକସ ଦେବେ । ସମସ୍ତ ସେସ୍ ଓ ଟିକସକୁ ମିଶାଇଲେ ନୂଆ କଂପାନୀକୁ ୧୭.୦୧ ହାରରେ ଟିକସ ଦେବାକୁ ପଡ଼ିବ । ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ପରେ ସେୟାର ବଜାରରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଥିଲା, ସେପରି ସ୍ଥିତି ୧୦ ବର୍ଷ ମଧ୍ୟରେ ଦେଖିବାକୁ ମିଳିନଥିଲା । ଗୋଟିଏ ଦିନରେ ନିବେଶକଙ୍କ ସଂପତ୍ତି ୬ଲକ୍ଷ ୮୨ ହଜାର କୋଟି ଟଙ୍କା ବୃଦ୍ଧି ପାଇଥିଲା । ଏପରକିି ଗୋଟିଏ ସମୟରେ ବମ୍ବେ ଷ୍ଟକ ଏକ୍ସଚେଂଜ ରକେଟ ଭଳି ଉପରକୁ ଉଠି ୨୨୮୫ ପଏଂଟ ବୃଦ୍ଧି ପାଇଥିଲା ।

କାରବାର ଶେଷ ବେଳକୁ ୧୯୨୧.୧୫ ପଏଂଟ ବୃଦ୍ଧି ପାଇ ୩୮,୦୧୪.୬୨ରେ ବନ୍ଦ ହୋଇଥିଲା ସେନସେକ୍ସ । ସେହିପରି ୫୬୯.୪୦ ପଏଂଟ ବୃଦ୍ଧି ପାଇ ୧୧,୨୭୪.୨୦ରେ ପହଁଚିଥିଲା ନିଫ୍ଟି । ଯାହା ଗତ ଦୁଇ ମାସ ମଧ୍ୟରେ ସର୍ବାଧିକ । ସବୁଠୁ ଅଧିକ ଲାଭବାନ ହୋଇଛନ୍ତି ଆଇଚର୍ ମୋଟର, ହିରୋ ମୋଟୋକପ୍, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ, ବଜାଜ୍ ଫାଇନାନ୍ସ, ମାରୁତି ସୁଜୁକି, ଷ୍ଟେଟ୍ ବ୍ୟାଙ୍କ୍ ଇଣ୍ଡିଆ । ୧୦ ପ୍ରତିଶତରୁ ୧୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି ଏହି କଂପାନୀର ସେୟାର ମୂଲ୍ୟ । ସେପଟେ କର୍ପୋରେଟ୍ ଟିକସ ହ୍ରାସ ଯୋଗୁଁ ବର୍ଷକୁ ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ସରକାର ।