କରୋନା ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଆମେରିକା । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧ଲକ୍ଷ ୯୦ହଜାର । ୨୪ ଘଂଟାରେ ୭୮୪ଜଣଙ୍କ ମୃତ୍ୟୁ ରାଷ୍ଟ୍ରପତି ଟ୍ରମ୍ପ କହିଲେ, ଖୁବ ଯନ୍ତ୍ରଣା ଦାୟକ ହେବ ଆଗାମୀ ୨ ସପ୍ତାହ ।

1,228

କନକ ବ୍ୟୁରୋ: ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ଆମେରିକାରେ ଖୁବଜୋରରେ ବ୍ୟାପିବାରେ ଲାଗିଛି । କରୋନା ମୃତ୍ୟୁରେ ଚୀନ୍କୁ ବି ଟପିଯାଇଛି ଆମେରିକା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆମେରିକାରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ୪ହଜାର ୫୬ଜଣ ଜୀବନ ହରାଇଛନ୍ତି । ଯେତେବେଳେ କି ଚୀନ୍ରେ ଏହି ସଂଖ୍ୟା ରହିଛି ୩ ହଜାର ୩୧୨ । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୦ହଜାର ଟପିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସୂଚନା ଅନୁସାରେ ଆମେରିକାରେ ମୃତକଙ୍କ ମଧ୍ୟରୁ ପ୍ରାୟ ୪୦ପ୍ରତିଶତ ହେଉଛନ୍ତି ନ୍ୟୁୟର୍କ ସହରର ।

ଗୋଟିଏ ପଟେ ଆମେରିକାରେ ଭୂତାଣୁ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ଲକ୍ ଡାଉନକୁ ସ୍ୱେଚ୍ଛାକୃତ ଭାବେ ପାଳନ କରିବାକୁ କହିଛି ଟ୍ରମ୍ପ ପ୍ରଶାସନ । ଏପରିକି ଆସନ୍ତା ଦୁଇ ସପ୍ତାହ ଆମେରିକା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା ଆଗକୁ ଆହୁରୀ ଦୁର୍ଦ୍ଦିନ ଦେଇ ଗତି କରିପାରେ । ଏପରିକି ଆମେରିକା କଟକଣାକୁ କଠୋର କରାଗଲେ ମଧ୍ୟ ମୃତ୍ୟୁ ସଂଖ୍ୟାକୁ ରୋକା ଯାଇନପାରେ । କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ୧ ଲକ୍ଷରୁ ଅଢେଇ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଉଛି । ଏନେଇ ପୂର୍ବରୁ ବୟାନ ଦେଇଥିଲେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଆଲର୍ଜି ଆଣ୍ଡ ଇନଫେକସିୟସ ଡିଜିଜର ନିର୍ଦ୍ଦେଶକ ଡାକ୍ତର ଆନ୍ଥନୀ ଫାକି ।

ସାରା ବିଶ୍ୱରେ ୮ଲକ୍ଷ ୭୨ହଜାରରୁ ଅଧିକ ଲୋକ ଏହି କରୋନା ଭୂତାଣା ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨ହଜାର ଟପିିଛି । ଚୀନ୍ରେ ଭୟାବହ କରୋନା ଭୂତାଣୁରେ ୮୧ହଜାର ୫୫୪ଲୋକ ସଂକ୍ରମିତ ହୋଇଥିବା ବେଳେ ୩ହଜାର ୩୧୨ଜଣଙ୍କର ମୃତ୍ରୁ ହୋଇଛି । ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ୭୯୨ଥିବା ବେଳେ ମୃତ୍ୟ ସଂଖ୍ୟା ୧୨ହଜାର ୪୨୮ ରହିଛି । ସେହିପରି ସ୍ପେପରେ ୧ଲକ୍ଷ ୨ହଜାର ୧୩୬ ଓ ମୃତ୍ୟୁ ସଂଖ୍ୟା ୯ହଜାର ୫୩ରହିଛି ।