ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା କରୋନା ପରୀକ୍ଷା : ଆପୋଲୋ ହସ୍ପିଟାଲକୁ ମିଳିଲା ଅନୁମତି, ଖୁବଶୀଘ୍ର ଓୟୁଏଟି ଓ ଏସସିବିରେ ବି ହୋଇପାରେ ପରୀକ୍ଷା

1,384

କନକ ବ୍ୟୁରୋ : ରାଜ୍ୟରେ ଓୟୁଏଟି ଓ ଏସ୍‌ସିବି ମେଡିକାଲ କଲେଜରେ କରୋନା ପରୀକ୍ଷା କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୩/୪ଦିନ ଭିତରେ ଏହି ଦୁଇ ସ୍ଥାନରେ କରୋନା ପରୀକ୍ଷା ନେଇ ପରୀକ୍ଷଣ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଅପରପକ୍ଷରେ ଗତକାଲି ଠାରୁ ଏମ୍‌ସ ଭୁବନେଶ୍ବରରେ କରୋନା ପରୀକ୍ଷା ଆରମ୍ଭ ହୋଇଛି। ଏହାସହ ଆପୋଲୋ ଭୁବନେଶ୍ବରକୁ ମଧ୍ୟ ଏଥିପାଇଁ ଅନୁମତି ମିଳିସାରିଛି। ମାତ୍ର ସେଠାରେ ଏ ପର୍ଯ୍ୟନ୍ତ ପରୀକ୍ଷା ଆରମ୍ଭ ହୋଇନାହିଁ। ତେଣୁ ଆରଏମ୍‌ଆରସି, ଏମ୍‌ସ, ଓୟୁଏଟି ଓ ଏସ୍‌ସିବିରେ ଯଦି କରୋନା ପରୀକ୍ଷା ଆରମ୍ଭ ହୁଏ ତେବେ ରାଜ୍ୟରେ ଦିନକୁ ୨୦୦ ନମୁନା ପରୀକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି। ସୂଚନା ଅନୁସାରେ, ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଅଧିକ ସଂଖ୍ୟାରେ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଓୟୁଏଟିର ଭେଟେରେନାରି ମେଡିକାଲ କଲେଜ‌ରେ ରହିଥିବା ଅତ୍ୟାଧୁନିକ ଯନ୍ତ୍ରାଂଶ ସହାୟତାରେ ରାଜ୍ୟ ସରକାର କରୋନା ପରୀକ୍ଷା ପାଇଁ ଯୋଜନା କରିଛନ୍ତି। ତେବେ ଏସ୍‌ସିବି ମେଡିକାଲ କଲେଜରେ କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଆସନ୍ତା ୩/୪ ଦିନ ଭିତରେ ଏହି ଦୁଇ ସ୍ଥାନରେ କରୋନା ପରୀକ୍ଷା ପାଇଁ ପରୀକ୍ଷଣ ଆରମ୍ଭ ହେବ।

ଗତକାଲି ଏମ୍‌ସରେ ୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ରହିଥିବା ଜଣାପଡ଼ିଛି। ଏଠାରେ କରୋନା ପରୀକ୍ଷା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏମ୍‌ସକୁ ଆସିଥିବା କରୋନା ସନ୍ଦିଗ୍ଧ କିମ୍ବା ରାଜ୍ୟର ସରକାରୀ ଡାକ୍ତରଖାନାରୁ ଯଦି କୌଣସି ନମୁନା ପରୀକ୍ଷା ପାଇଁ ପଠାଯାଏ ତା’ହାଲେ ଏମ୍‌ସରେ ଏହାର ପରୀକ୍ଷା କରାଯିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ଘରୋଇ ହସ୍ପିଟାଲ/ଡାଏଗ୍ନୋଷ୍ଟିକ୍ ସେଣ୍ଟରକୁ କରୋନା ପରୀକ୍ଷା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରି ସାରିଛନ୍ତି। ରାଜ୍ୟରେ ଆପୋଲୋ ହସ୍ପିଟାଲ କ‌େରାନା ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ମାତ୍ର କରୋନା ପରୀକ୍ଷା ପାଇଁ ଆବଶ୍ୟକ ରିଏଜେଣ୍ଟ ଏ ପର୍ଯ୍ୟନ୍ତ ଆପୋଲୋ ହସ୍ପିଟାଲରେ ପହଞ୍ଚି ନାହିଁ। ରିଏଜେ‌ଣ୍ଟ ଆସିବା ପରେ ଆରଏମ୍‌ଆରସିର ଏକ ଟିମ୍ ହସ୍ପିଟାଲର ଏହି ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନ କରିବେ। ଯଦି ଆରଏମ୍‌ଆରସି ପକ୍ଷରୁ କରୋନା ପରୀକ୍ଷା ପାଇଁ ଆପୋଲୋ ହସ୍ପିଟାଲକୁ ଅନୁମତି ମିଳେ ତାହାଲେ ଏଠାରେ କରୋନା ପରୀକ୍ଷା ହୋଇପାରିବ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

 

ଅପରପକ୍ଷରେ ରାଜଧାନୀର ଆଉ ଏକ ଘରୋଇ ହସ୍ପିଟାଲ କରୋନା ପରୀକ୍ଷା ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଯଦିଓ ସେଠାରେ କରୋନା ପରୀକ୍ଷା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ, ତେବେ ଅନୁମତି ମିଳିଲେ ଏହା ଦ୍ବିତୀୟ ଘରୋଇ ହସ୍ପିଟାଲ ଭାବେ କରୋନା ପରୀକ୍ଷା କରିପାରିବ ବୋଲି ଆଶା କରାଯାଉଛି। ମାତ୍ର ଘରୋଇ ସଂସ୍ଥାମାନେ କରୋନା ପରୀକ୍ଷା ପାଇଁ ସର୍ବାଧିକ ସାଢ଼େ ୪ହଜାର ଟଙ୍କା ରୋଗୀଙ୍କଠାରୁ ନେଇପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।