ଘରବାହୁଡ଼ା ବେଳେ ଫାଶ ବସାଇ ଛକି ବସିଥିଲା ମୃତ୍ୟୁ । ରାତିର ଘନ ଅନ୍ଧକାରରେ ମାଡ଼ିଗଲା ଅଜଣା ଗାଡ଼ି । ରକ୍ତ ଜର୍ଜରିତ ହେଲା ଶୂନଶାନ୍ ରାଜରାସ୍ତା । ଦୁଇ ଛୁଆଙ୍କ ଆଖି ସାମ୍ନାରେ ଛଟପଟ୍ ହୋଇ ଜୀବନ ହାରିଲେ ବାପାମା’।

5,973

କନକ ବ୍ୟୁରୋ : ଅଧାରେ ରହିଗଲା ଘରବାହୁଡ଼ା । ସାଇକେଲ୍ ଯାତ୍ରା ହେଲା ଶେଷ ଯାତ୍ରା । ସଂକ୍ରମଣ ଆଶଙ୍କା ଭିତରେ ଅଜଣା ବାଟରେ ଫାଶ ବସାଇ ଛକି ବସିଥିଲା ମୃତ୍ୟୁ । ଅଦୃଶ୍ୟ ଭାଇରସର ପଞ୍ଝାରୁ ମୁକୁଳିବାକୁ ବାଟ ଖୋଜୁଥିବା ବେଳେ ଗାଡ଼ି ଧକ୍କାରେ ଚାଲିଗଲା ଜୀବନ । ଛୁଆପିଲାଙ୍କୁ ଧରି ଘରକୁ ଫେରୁଥିବା ବେଳେ ଦିନ ମଜୁରିଆ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ମାଡ଼ିଗଲା ଗାଡ଼ି । ଛେଉଣ୍ଡ ହୋଇଗଲେ କୁନି କୁନି ପିଲା । ପୁଅର ଫେରିବା ବାଟକୁ ଚାହିଁରହିଥିବା ଦୁଃଖିନୀ ମା’ର ପୁଅ ମୁହଁ ଦେଖି ପାରିଲାନି । ଭୋକିଲା ମଣିଷ କି ଜାଣିଥିଲା ପେଟର ତାଡ଼ନାରେ ଜୀବନ ଚାଲିଯିବ ।

ଜୀବନ ଆଉ ମୃତ୍ୟୁର ଦୋଛକିରେ ମଣିଷ । ଗୋଟିଏ ପଟେ ଘରକୁ ଫେରିବାର ଆଶା, ଆଉ ଅନ୍ୟପଟେ ଅଦୃଶ୍ୟ ଭାଇରସର କୋକୁଆ ଭୟ । ଆଉ ଏହାରି ଭିତରେ ଅଦୃଶ୍ୟ ଦାନବ ପରି ଅସ୍ତବ୍ୟସ୍ତ କରୁଥିଲା ଭୋକ । ଖାଇବା ବିହୁନେ ଭୋକରେ ଆଉଟୁପାଉଟୁ ହେଉଥିବା ପିଲାଙ୍କ ମୁହଁକୁ ଦେଖିନପାରି ମହାରାଷ୍ଟ୍ରରୁ ସାଇକେଲର ପେଡ଼ାଲ ମାରିଥିଲେ ଜଣେ ଦିନ ମଜୁରିଆ । ଲକଡାଉନର ନିଷ୍ଠୁର ନୀରବତା, ଆଉ ତାହାରି ଭିତରେ ଅନେକ ଆଶା ଓ ଆଶଙ୍କାରେ ଗଡ଼ାଇ ଚାଲିଥିଲେ ସାଇକେଲ । ସାଙ୍ଗରେ ସ୍ତ୍ରୀ ଆଉ ଦୁଇ କୁନି ଛୁଆ । ଜନଶୂୂନ୍ୟ ରାସ୍ତାରେ ସାଇଁ ସାଇଁ ଗଡ଼ୁଥିଲା ସାଇକେଲ୍ । ରାତ୍ରିର ଅନ୍ଧାର ଆଉ ଦିନର ସୂର୍ଯ୍ୟତାପରେ ପାଦ ଥକିନଥିଲା । ତେବେ ଅସମ୍ଭାଳ ଭୋକରେ ଭିଟାମାଟିକୁ ଫେରୁଥିବା ବେଳେ କାଳ ସାଜି ଆସିଲା ମୃତ୍ୟୁ । ଅଧା ରାସ୍ତାରେ ଧକ୍କା ଦେଲା ଅଜଣା ଗାଡ଼ି । ରକ୍ତ ଜର୍ଜରିତ ହୋଇଗଲା କଳା ମଚମଚ୍ ପିଚୁରାସ୍ତା । ଘରେ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ଜୀବନ ହାରିଲେ ସ୍ୱାମୀସ୍ତ୍ରୀ ।

ଘନ ଅନ୍ଧାର ଭିତରେ ବାପାମା’ଙ୍କୁ ଛଡ଼ାଇନେଲା ଅଜଣା ଗାଡ଼ି । ଗାଡ଼ି ଧକ୍କାରେ ବାପାମା’ ଚାଲିଗଲେ , ଆଉ ଦୁଇ କୁନି ଛୁଆକୁ ଛେଉଣ୍ଡ କରିଦେଇଗଲେ । ଏପଟେ ବାପାମା’ଙ୍କୁ ନଦେଖି ରାହା ଧରି କାନ୍ଦୁଛନ୍ତି ଦେଢ଼ ବର୍ଷର କୁନି ଝିଅ ଆଉ ତିନି ବର୍ଷ ପୁଅ । କାନ୍ଦି କାନ୍ଦି ତଣ୍ଟି ଶୁଖିଯାଉଛି ସିନା ତୁନି କରିବାକୁ ଦୌଡ଼ି ଆସୁନି ମା’ କି ବୁଝାଇବାକୁ ପାଖରେ ନାହାନ୍ତି ବାପା । ଦୁନିଆ କ’ଣ ଜାଣିବା ପୂର୍ବରୁ ବାପାମା’ଙ୍କୁ ଲୁଚାଇଦେଲା ରାତିର ଘନ ଅନ୍ଧକାର । ସଂକ୍ରମଣ ଭୟ ଭିତରେ ଜୀବନ ନେଇଗଲା ଭିଟାମାଟିର ମୋହ ।