ବିଶ୍ୱର ୧୯୯ ଦେଶର ୬ ଲକ୍ଷ ୭୯ ହଜାର ଲୋକ କରୋନାରେ ଆକ୍ରାନ୍ତ: ୩୧ ହଜାର ୧୭୧ ଜଣଙ୍କର ମୃତ୍ୟୁ; ସୁସ୍ଥ ହୋଇ ଘରକୁ ଫେରିଲେ ୧ ଲକ୍ଷ ୪୬ ହଜାର

ଆମେରିକାରେ ସର୍ବାଧିକ ୧ଲକ୍ଷ ୨୩ ହଜାର ଲୋକ ଆକ୍ରାନ୍ତ; ସ୍ପେନ ରାଜକୁମାରୀଙ୍କ ପରଲୋକ, ଜର୍ମାନୀରେ ଅର୍ଥମନ୍ତ୍ରୀ ଥୋମାସ ସେଫରଙ୍କ ଆତ୍ମହତ୍ୟା

845

କନକ ବ୍ୟୁରୋ: କରୋନାରେ ଏବେ ସୁଦ୍ଧା ବିଶ୍ୱର ୧୯୯ଟି ଦେଶର ୬ ଲକ୍ଷ ୭୯ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ହଜାର ୧୭୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧ ଲକ୍ଷ ୪୬ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅର୍ଥାତ ଏବେ ୫ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି । ଆମେରିକାରେ ସର୍ବାଧିକ ୧ଲକ୍ଷ ୨୩ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀରେ ସ୍ଥିତି ଏପରି ହୋଇଛି କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ଶବସକ୍ରାର କାମ ସେନାକୁ ଦିଆଯାଇଛି । କାରଣ ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି । ସେପଟେ କରୋନା ଭାଇରସ ପାଇଁ ଅର୍ଥନୀତି ବିପ ର୍ଯ୍ୟସ୍ତ ହୋଇଯାଇଥିବାରୁ ଜର୍ମାନୀର ଏକ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ସେଫର ଅବସାଦରେ ଆତ୍ମହତ୍ୟା କରିଛନ୍ତି । ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର ୮୬ବର୍ଷରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ପ୍ରଥମ ରାଜପରିବାର ସଦସ୍ୟ ଭାବେ ସେ ପ୍ରାଣ ହରାଇଛନ୍ତି ।

ଦେଶରେ ଧୀରେ ଧୀରେ ବଢ଼ୁଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ହଜାରେ ଟପି ଯାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୦୨୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ତେବେ ବର୍ତମାନ ସୁଦ୍ଧା ୯୬ ଜଣ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୮୬ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କେରଳରେ ୧୮୨ଜଣ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶାରେ ଏଯାଏଁ ମୋଟ ୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପକ୍ଷରେ ଗତ ୧୪ ଦିନ ମଧ୍ୟରେ ଓଡିଶା ବାହାରେ ରହୁଥିବା ୨୮୫୬ ଜଣ ଓଡିଶା ଫେରିଛନ୍ତି । କିନ୍ତୁ ସେମାନଙ୍କର କୌଣସି ଖୋଜଖବର ନଥିବା ସୂଚନା ମିଳିଛି । ନା ସେମାନେ ସରକାରଙ୍କୁ ଜଣାଇଛନ୍ତି ନା ୧୦୪କୁ କୌଣସି ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରରୁ ୪୦୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୫୦, ଗଞ୍ଜାମ ରୁ ୬୫୦ ଏବଂ କଟକରୁ ୬୫୦ଜଣ । ଏମାନଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିବା ଜଣାପଡିଛି । ଏସବୁ ବ୍ୟକ୍ତିଙ୍କୁ କୌଣସି ମତେ ଖୋଜି ସଂଗରୋଧ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ।