କୋରୋନା ଭାଇରସ ଯୋଗୁଁ ଚୀନରେ ସ୍ୱାସ୍ଥ୍ୟକାଳୀନ ଜରୁରୀ ପରିସ୍ଥିତି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ : ୨୫ ଜଣଙ୍କ ମୃତ୍ୟୁ, ୮ଶହରୁ ଅଧିକ ଲୋକ ସଂକ୍ରମିତ
କନକ ବ୍ୟୁରୋ : କୋରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ଏହି ଭୂତାଣୁରେ ସଂକ୍ରମିତ ହୋଇ ଚୀନରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଚୀନରେ ସ୍ୱାସ୍ଥ୍ୟଜନିତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାସହ ଚୀନ୍ରେ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଗକୁ ଛୁଟି ଦିନ ଥିବାରୁ ଅଧିକରୁ ଅଧିକ ଲୋକ ବାହାରେ ବୁଲିଲେ, ଫଳରେ ଏହି ସଂକ୍ରମଣ ବ୍ୟାପିପାରେ ବୋଲି ସତର୍କ କରାଯାଇଛି । ତେଣୁ ଲୋକଙ୍କୁ ସହର ବାହାରକୁ ଯିବା ପାଇଁ ବାରଣ କରାଯାଇଛି । ଏଥିପାଇଁ ଭାରତରେ ମଧ୍ୟ ସତର୍କ ସୂଚନା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ବିମାନ ବନ୍ଦରରେ ଚୀନରୁ ଆସୁଥିବା ପର୍ଯ୍ୟଟକ ଏବଂ ଭାରତୀୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୁରୁ, ଚେନ୍ନାଇ ଓ କୋଚିନ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି ।
ଚୀନ୍ ଓ ହଂକଂରୁ ଫେରୁଥିବା ଯାତ୍ରୀଙ୍କ ଥର୍ମାଲ ଯାଂଚ କରାଯାଉଛି । ଏବଂ ଏକ ଫର୍ମ ଜରିଆରେ ଯାତ୍ରୀଙ୍କୁ ନିଜର ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ କରାଯାଇଛି । ସେପଟେ ସାଉଦୀ ଆରବରେ ଜଣେ ଭାରତୀୟ ନର୍ସ ଏହି କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଖବର ମିଳିଛି । ଆମେରିକାରେ ମଧ୍ୟ କୋରୋନା ଭାଇରସ ସାମ୍ନାକୁ ଆସିଛି ।