ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଶହ ଟପିବା ସହ ମୃତ୍ୟୁ ସଂଖ୍ୟା ୧୭ ଛୁଇଁଲା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

6,063

କନକ ବ୍ୟୁରୋ: ଭାରତରେ ୨୫ଟି ରାଜ୍ୟରେ କରୋନା କାୟା ବିସ୍ତାର କରିଛି । ସାରାଦେଶରେ ୭୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଆଜି ଆଉ ଜଣଙ୍କ ମୃତ୍ୟୁକୁ ମିଶାଇ ଏହି ସଂଖ୍ୟା ୧୭ରେ ପହଂଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି । କରୋନା ଭୂତାଣୁ ଏବେ ବିଶ୍ୱର ୧୯୮ ରାଷ୍ଟ୍ରରେ କାୟା ବିସ୍ତାର କରିସାରିଛି । ଏହି ମହାମାରୀରେ ୫ ଲକ୍ଷ ୩୧ ହଜାର ୮୦୪ ଲୋକ ଅକ୍ରାନ୍ତ ହୋଇଥିବାବେଳେ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

କରୋନା ଆକ୍ରାନ୍ତ ସଂଖ୍ୟାରେ ଚୀନକୁ ଟପି ଯାଇଛି ଆମେରିକା । ଆମେରିକାରେ ୮୧ ହଜାର ୭୮୨ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ଇଟାଲିରେ ୮୦ ହଜାର ୫୮୯ ଜଣଙ୍କ ସଂକ୍ରମିତ ହୋଇଛନ୍ତି । ଶେଷ ସୂଚନା ସୁଦ୍ଧା ଇଟାଲିରେ ୮ ହଜାର ୧୬୫ ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନରେ ମୃତ୍ୟୁ ସଂଖ୍ୟା ୩ ହଜାର ୮ ଶହ ଛୁଇଁଛି । ଇରାନର ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ମୃତ୍ୟୁସଂଖ୍ୟା ୨ ହଜାର ଶହେ ହୋଇଛି ।

ଏପଟେ ଓଡିଶା ମଧ୍ୟ କରୋନା ସଂକ୍ରିମତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡିଶାରେ ଚିହ୍ନଟ ହୋଇଛନ୍ତି ତୃତୀୟ କରୋନା ଆକ୍ରାନ୍ତ । ଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଁଚିଛି । ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତୃତୀୟ କରୋନା ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ଏବେ ତୃତୀୟ କରୋନା ପଜିଟିଭ ବ୍ୟକ୍ତି କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ, ତାର ଖୋଳତାଡ କରାଯିବ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶାରେ ବର୍ତମାନ ସୁଦ୍ଧା ମୋଟ ୧୬୪ ନମୂନାରୁ ତିନି ଜଣ ପଜିଟିଭ ରହିଛନ୍ତି । ବାକି ସମସ୍ତ ନମୂନା ନେଗେଟିଭ ଆସିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।