ପୁଣି ଚୀନରେ ଖୋଲିଲା ମାଂସ ମାର୍କେଟ୍ । ବିକ୍ରି ହେଲା ବାଦୁଡି, ବଜ୍ରକାପ୍ତା ଓ କୁକୁର ମାଂସ । ଏହି ମାର୍କେଟରୁ ଭୂତାଣୁ ଜନ୍ମନେଇଥିବା ନେଇ ହୋଇଥିଲା ସନ୍ଦେହ ।

3,545
କନକ ବ୍ୟୁରୋ: ସାରା ବିଶ୍ୱକୁ ମହାମାରୀ କରୋନାର ଯନ୍ତ୍ରଣା ଭିତରକୁ ଠେଲି ଦେଇଥିବା ଚୀନର ଉହାନରେ ପୁଣି ଖେଲିଛି ମାଂସ ମାର୍କେଟ । ବର୍ତମାନ ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁ ଉହାନରୁ ଆସିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମାନ ଚୀନ୍ ଉହାନରେ ଥିବା ଏକ ବେଆଇନ ସି ଫୁଡ ବଜାରରୁ ପ୍ରଥମେ ବ୍ୟାପିଥିଲା କରୋନାର ସଂକ୍ରମଣ  । ଏହା ଭିତରେ ଚୀନ୍ରେ ପରିସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ପୁଣି ଖୋଲା ହୋଇଛି ବାଦୁଡି, ବଜ୍ରକାପ୍ତା ଓ କୁକୁର ମାଂସ ବିକ୍ରି ହେଉଥିବା ବଜାର । ଯାହା ସମସ୍ତଙ୍କର ଚିନ୍ତାକୁ ବଢାଇ ଦେଇଛି ।
ଉହାନର ହୁନାନରେ ଥିବା ସି ଫୁଡ ବଜାରରୁ ଏହି ଭୂତାଣୁ ମଣିଷ ଦେହକୁ ଆସି ସଂକ୍ରମଣକୁ ବଢାଇଥିବା ଆଶଙ୍କା କରାଯାଉଛି । ଯାହା ପର୍ଯ୍ୟାୟକ୍ରମେ ସାରା ବିଶ୍ୱରେ ବ୍ୟାପିଛି । ତେଣୁ ପୁଣିଥରେ ସେହିଭଳି ମାଂସ ବଜାର ଖୋଲିବା ସମସ୍ତଙ୍କ ଆଶଙ୍କାକୁ ବଢାଇଦେଇଛି । କାରଣ ଏହିଠାରୁ ବ୍ୟାପିଥିବା ଭୂତାଣୁ ସାରାବିଶ୍ୱରେ ୪୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ।
ପୂର୍ବ ଭଳି ଖୋଲା ହୋଇଛି ଏହି ବଜାର, ଯାହାକୁ ୱେଟ ମାର୍କେଟ କୁହାଯାଉଛି । କେବଳ ଏତିକି ନୁହେଁ ସେଠାରେ ସୁରକ୍ଷାକର୍ମୀ ମଧ୍ୟ ଜଗିରହିଛନ୍ତି । ବଜାରରେ ମିଳୁଛି ବାଦୁଡି, କୁକୁର, ବଜ୍ରକାପ୍ତା ଓ ଠେକୁଆ ମାଂସ । ତେବେ ଏହି ଜନ୍ତୁଙ୍କ ରକ୍ତରେ ଭିଜି ଯାଇଥିବା ଚଟାଣର ଫଟୋ ଯେଭଳି କେହି ଉଠାଇ ନପାରନ୍ତି ସେଥିପାଇଁ ମୁତୟନ ହୋଇଛନ୍ତି ସୁରକ୍ଷାକର୍ମୀ ।
ଡିସେମ୍ବର ମାସରେ ଉହାନରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏହାରି ଭିତରେ ୪ମାସ ବିତି ଯାଇଥିବା ବେଳେ ଭୂତାଣୁ କବଳରୁ ମୁକ୍ତ ହୋଇଥିବା ଦାବି କରୁଥିବା ଚୀନ୍ ଉତ୍ସବ ମନାଉଛି । କିନ୍ତୁ ଏହା ଏବେ ସାରା ବିଶ୍ୱ ପାଇଁ ବିରାଟ ସଂକଟ ନେଇଆସିଛି । ପ୍ରଥମେ କରୋନା ଭୂତାଣୁ ଉହାନରୁ ବ୍ୟାପିବା ଆରମ୍ଭ ହୋଇଥିବାରୁ ଏହାକୁ ଉହାନ ଭାଇରସ ବା ଚୀନ୍ ଭାଇରସ୍ ବୋଲି ମଧ୍ୟ  କୁହାଯାଉଛି । ସେପଟେ ଏଠାରେ ଖୋଲାଯାଇଥିବା ମାଂସ ମାର୍କେଟକୁ ବନ୍ଦ କରିବା ପାଇଁ ବୈଜ୍ଞାନିକ, ପରିବେଶବିତ ଓ ପଶୁପ୍ରେମୀ ଦାବି କରୁଥିବା ବେଳେ ଚୀନ୍ ପ୍ରଶାସନ ଏହାକୁ ଅଣଦେଖା କରିଛି ।