କରୋନା ତ କରୋନା କଲରଟ୍ୟୁନ୍ ବି କରିଦେଲାଣି କାନ କଣା ! ଏପଟେ ବିଶ୍ୱକୁ କରୋନା ଡରାଉଛି ସେପଟେ ଲୋକଙ୍କୁ ବିରକ୍ତ କରାଉଛି କରୋନା କଲରଟ୍ୟୁନ୍ । 

872

ସାରା ବିଶ୍ୱରେ କାଳର ଖେଳ ଖେଳୁଥିବା କରୋନା ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରାଇଛିି । ଏହି ଭାଇରସ କେବଳ ଲୋକଙ୍କ ଜୀବନରେ ନୁହେଁ ବରଂ କାନରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିବାରେ ଲାଗିଛି । ଏହି ଭାଇରସରୁ ଲୋକଙ୍କୁ ଜାଗୃତ ଏବଂ ସଚେତନ କରିବା ପାଇଁ ସରକାର ଓ ହେଲଥ୍ ଏଜେନ୍ସି ଏହା ଉପରେ କାମ କରିବା ଆରମ୍ଭ କରିସାରିଲେଣି । ନିକଟରେ ଟେଲିକମ୍ କମ୍ପାନୀ ମଧ୍ୟ କରୋନା ଭାଇରସ ପାଇଁ ଏକ ସଚେତନ କଲର ଟ୍ୟୁନ୍ ଜାରି କରିଦେଇଛନ୍ତି।

ବର୍ତ୍ତମାନ ଯାହାକୁ ବି କଲ୍ କଲେ କରୋନା ଭାଇରସ ସତର୍କତା ଉପରେ କଲର ଟ୍ୟୁନ୍ ଶୁଣାଯାଉଛି । ଏହି କଲର ଟ୍ୟୁନ୍ ଲୋକଙ୍କ ସଚେତନ ପାଇଁ ଜାରୀ କରାଯାଇଥିଲେ ମଧ୍ୟ ଲୋକମାନେ ଏହାକୁ ଶୁଣି ଭୟ କରୁଛନ୍ତି । କିଛି ଲୋକ ତ ଏହି କଲର ଟ୍ୟୁନ୍ ଶୁଣି ବିରକ୍ତିଭାବ ପ୍ରକାଶ କରୁଛନ୍ତି ।

କଲର୍ ଟ୍ୟୁନ୍ ବଦଳରେ ଏହି ପରାମର୍ଶ ଶୁଣାଯାଉଛି – “କାଶ ଏବଂ ଛିଙ୍କିବା ସମୟରେ ରୁମାଲ ଏବଂ ଟିସୁରେ ମୁହଁ ଘୋଡାନ୍ତୁ । ସାବୁନରେ ହାତ ଧୁଅନ୍ତୁ । ମୁହଁ, ଆଖି ଏବଂ ନାକକୁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ଯଦି କାହାର କାଶ, ଜ୍ୱର ଏବଂ ନିଶ୍ୱାସ ନେବାରେ ଅସୁବିଧା ହୁଏ, ତେବେ ସେମାନଙ୍କଠାରୁ ଏକ ମିଟର ଦୂରତା ରଖନ୍ତୁ । ଯଦି ଆବଶ୍ୟକ ହୁଏ, ତେବେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ । ” ଏହି ବାର୍ତ୍ତା ସହିତ କଲର୍ ଟ୍ୟୁନରେ ଏକ ହେଲ୍ପଲାଇନ ନମ୍ବର (+ ୯୧-୧୧-୨୩୭୯୭-୮୦୪୬) ମଧ୍ୟ ଦିଆଯାଉଛି । ରିଲାଏନ୍ସ ଜିଓ ଏବଂ ବିଏସଏନଏଲ ଏହି ଆଦେଶ କାର୍ଯ୍ୟକାରୀ କରିଛନ୍ତି । ଏହି ମୋବାଇଲ୍ କମ୍ପାନୀଗୁଡିକର ଉପଭୋକ୍ତାମାନଙ୍କୁ କଲ୍ କରିବାବେଳେ, କଲର୍ ଟ୍ୟୁନ୍ ପରିବର୍ତ୍ତେ କରୋନାଭାଇରସ୍ ବିଷୟରେ ଏକ ଚେତାବନୀ ଦିଆଯାଏ । ଏଥିସହ, ଏହାକୁ କିପରି ଏଡାଇ ହେବ, ଏହି ପରାମର୍ଶଗୁଡିକ ସେବା ପ୍ରଦାନକାରୀ ଦ୍ୱାରା କଲର୍ ଟ୍ୟୁନ୍ ମାଧ୍ୟମରେ ମଧ୍ୟ ପ୍ରଦାନ କରାଯାଉଛି । ଏହି ସୂଚନା ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଦିଆଯାଉଛି ।

ଏବେ ପ୍ରଶ୍ନ ଉଠୁଛି ଯେ କରୋନା ଭାଇରସକୁ ନେଇ ଜାରି ହୋଇଥିବା କଲର ଟ୍ୟୁନ୍ ଠାରୁ ଆପଣ ମୁକ୍ତି କେମିତି ପାଇବେ । ତେବେ ଆପଣ ଯଦି କାହାକୁ କଲ୍ କରୁଛନ୍ତି ସେତେବେଳେ କରୋନା ଭାଇରସ କଲର୍ ଟ୍ୟୁନ୍ ଆରମ୍ଭ ହେବା ମାତ୍ରକେ ହିଁ ୧ କିମ୍ବା # ଦବାଇ ଦିଅନ୍ତୁ । ଏହାପରେ କଲର ଟ୍ୟୁନ୍ ବନ୍ଦ ହୋଇଯିବ ଏବଂ ଆପଣଙ୍କୁ ରିଂଗ ସ୍ୱର ଶୁଣାଯିବ । କିନ୍ତୁ ଏହି ଟ୍ରିକ୍ କିଛି ଟେଲିକମ୍ କମ୍ପାନୀର ନମ୍ବରରେ କାମ କରୁନଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପଟେ, ସୋସିଆଲ ମିଡିଆରେ ଏହି କଲର୍ ଟ୍ୟୁନରେ ମେମ୍ ତିଆରି କରି ମଜାଳିଆ ବାର୍ତ୍ତା ଦିଆଯାଉଥିବା ଦେଖିବାକୁ ମିଳିଛି ।