କରୋନାରେ ଆକ୍ରାନ୍ତ ହୋଇ ଦେଶରେ ପ୍ରାଣ ହରାଇଲେ ଆଉ ୧୦ ଜଣ ବ୍ୟକ୍ତି : ମାର୍ଚ୍ଚ ପ୍ରଥମ ସପ୍ତାହରେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ, ୩୦୦ ଜଣ ହସ୍ପିଟାଲରେ ଭର୍ତ୍ତି 

8,502
କନକ ବ୍ୟୁରୋ : କରୋନା ଭାଇରସରେ ଆଉ ୧୦ ଜଣ ମୃତ । ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସାମବେଶରେ ଯୋଗଦେଇଥିବା ୧୦ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏଥିରେ ଯୋଗ ଦେଇଥିବା ତେଲେଙ୍ଗାନାର ୬ ଜଣ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଯୋଗୁଁ ଗତ କାଲି ମୃତ୍ୟୁହେବା ପରେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏକାନ୍ତବାସରେ ରଖାଯାଉଛି  । ସେହିପରି ତାମିଲନାଡୁ, କର୍ଣ୍ଣାଟକ ଓ ଜମ୍ମୁ କଶ୍ମୀରରୁ ମଧ୍ୟ ଜଣେ ଲେଖାଏଁ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅନ୍ୟ ଜଣେ ହେଉଛନ୍ତି ବିଦେଶୀ ନାଗରିକ ।
ନିଜାମୁଦ୍ଦିନ ଅଞ୍ଚଳର ଏକ ମସଜିଦରେ ହୋଇଥିବା ଏହି ସମାବେଶ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୩ ଶହ ଲୋକଙ୍କ ଶରୀରରେ ଏବେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଇଛି । ଏହି ଧାର୍ମିକ ସମାବେଶରେ  ଦେଶ ତଥା ଦେଶ ବାହାରୁ ଅନେକ ଲୋକ ଯୋଗ ଦେଇଥିଲେ । ତବଲିଘି ଜମାତ ପକ୍ଷରୁ ଅନୁଷ୍ଠିତ ଏହି ସମାବେଶ ମାର୍ଚ୍ଚ ପ୍ରଥମ ସପ୍ତାହରେ ଆୟୋଜିତ ହୋଇଥିଲା ।  ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ସମାବେଶ ପାଇଁ ପୁଲିସର ଅନୁମତି ନିଆଯାଇନଥିଲା  ବୋଲି ଜଣାପଡ଼ିଛି ।
ଫଳରେ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ କରାଯିବା ସହ ଲୋକମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଧାର୍ମିକ ସମାବେଶ ଆୟୋଜନ କରିଥିବା ମୌଲାନା ବିରୋଧରେ ମାମଲା ରୁଜୁ କରିବା ପାଇଁ କୁହାଯାଇଛି । ଏହା ସହିତ ଉକ୍ତ ସମାରୋହରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ହସପିଟାଲରେ ଆଇସୋଲେସନରେ ରଖାଯାଇଛି । ଏହି ଅଞ୍ଚଳ ଉପରେ ଡ୍ରୋନ ମାଧ୍ୟମରେ ନଜର ରଖାଯାଉଛି ।