କରୋନା ଭାଇରସ ପାଇଁ ଟୋଲ ଫ୍ରି ନମ୍ବର ଜାରି କଲା ଓଡ଼ିଶା । ଆଜି କେନ୍ଦ୍ର ସଚିବଙ୍କ ସହ ହେବ ଆଲୋଚନା , ବୈଦେଶିକ ମନ୍ତ୍ରଣାଳୟ କହିଲା, ଚୀନରେ କୌଣସି ଭାରତୀୟଙ୍କୁ ହୋଇନାହିଁ ସଂକ୍ରମଣ, ସ୍ଥିତି ଉପରେ ରହିଛି ନଜର

256

କନକ ବ୍ୟୁରୋ : କୋରୋନା ଭୂତାଣୁକୁ ନେଇ ସତର୍କତା ଜାରି କଲେ ରାଜ୍ୟ ସରକାର । ଟୋଲ୍ ଫ୍ରି ନମ୍ବର ଜାରି କରି ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି, ଯେଉଁମାନେ ଚୀନ୍ରୁ ଫେରିଛନ୍ତି ସେମାନେ ନିଜର ସ୍ୱାସ୍ଥ୍ୟ ପରିକ୍ଷା କରାଇ ନିଅନ୍ତୁ । କୌଣସି ପ୍ରକାର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସତର୍କ କରାଇ ଦେଇଛନ୍ତି । ଆଉ ଏପଟେ ବୁର୍ଲା ମଡ଼ ମେଡ଼ିକାଲରେ କୋରୋନା ଭାଇରସର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯଦି କୌଣସି ରୋଗୀ କୋରୋନା ଭାଇରସର ଆକ୍ରାନ୍ତ ହୁଅନ୍ତି ସେମାନଙ୍କ ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲରେ ଏକ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି ।

ଏହି ସ୍ୱତନ୍ତ୍ର ୱାର୍ଡରେ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିକିିତ୍ସା କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ଚୀନର ଉତ୍କଟ ହେବାରେ ଲାଗିଛି କୋରୋନା ଭୂତାଣୁ ସମସ୍ୟା । ଏଥିରେ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଠାରେ ଫଶିରହିଥିବା ଆମେରିକୀୟମାନଙ୍କୁ ତୁରନ୍ତ ତାଙ୍କ ଦେଶକୁ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଚାଇନା । ଆଶା କରାଯାଉଛି ଭାରତୀୟମାନଙ୍କ ପାଇଁ ସମାନ ବ୍ୟବସ୍ଥା ଆପଣେଇବ ଚାଇନା ।